କୋଲକାତା ୩୦/୦୪: କୋଲକାତାରେ ଭୟଙ୍କର ଅଗ୍ନିକାଣ୍ଡ । ହୋଟେଲରେ ନିଆଁ ଲାଗି ୧୪ ଜଣଙ୍କ ମୃତ୍ୟୁ । କୋଲକାତାର ମେଛୁଆପତି ଅଞ୍ଚଳରେ ଅଗ୍ନିକାଣ୍ଡ ଘଟିଛି। ୧୪ ଟି ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଗୁରୁତର ଅବସ୍ଥାରେ ଅନେକ ଲୋକଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି ।
ଏହି ଘଟଣା ମଙ୍ଗଳବାର ବିଳମ୍ୱିତ ରାତିରେ ଘଟିଥିଲା। ଖବର ପାଇ ତୁରନ୍ତ ଘଟଣାସ୍ଥଲରେ ପହଞ୍ଚିଥିଲେ ଅଗ୍ନିଶମ ବାହିନୀ ଓ ପୋଲିସ । ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ଅଗ୍ନିଶମ ବାହିନୀ । ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ଏଥିରେ ୧୪ ଜଣଙ୍କର ମୃତ୍ୟୁ ହୋଇଥିଲା । ଜୀବନ ବଞ୍ଚାଇବା ପାଇଁ ଅନେକ ଲୋକ ହୋଟେଲ କୋଠାରୁ ଡେଇଁ ପଡ଼ିଥିଲେ।
କୋଲକାତା ପୋଲିସ କମିଶନର ମନୋଜ କୁମାର ବର୍ମା କହିଛନ୍ତି, ଶ୍ରଦ୍ଧାରାଜ ହୋଟେଲରେ ଅଗ୍ନିକାଣ୍ଡ ଘଟିଥିଲା। ୧୪ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏବେ ନିଆଁକୁ ନିୟନ୍ତ୍ରଣ କରାଯାଇଛି। ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଚାଲିଛି। ଅଧିକ ତଦନ୍ତ ଚାଲିଛି। ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ଦଳ ମଧ୍ୟ ଗଠନ କରାଯାଇଛି।