ଭୁବନେଶ୍ୱର ୦୬।୦୮ : ୧୬୩୫ ନୂଆ ରାଜସ୍ୱ ଗାଁର ହେବ ସୀମା ପରିବର୍ତ୍ତନ । ଖୁବ୍ଶୀଘ୍ର ୧୬୩୫ଟି ନୂତନ ରାଜସ୍ୱ ଗ୍ରାମର ସୀମା ପରିବର୍ତ୍ତନ କରାଯିବ । ଏନେଇ ରାଜସ୍ବ ବିଭାଗ ପକ୍ଷରୁ ଜାରି ହେଲା ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରାଯାଇଛି । ପୁରୁଣା ରାଜସ୍ଵ ଗାଁ ରେକର୍ଡ ଯେମିତି ମିଶି ନଯାଏ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।
ରାଜସ୍ବ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚିଠିରେ ଲେଖିଛନ୍ତି, ଦୀର୍ଘଦିନ ଧରି ନୂତନ ରାଜସ୍ବ ଗ୍ରାମ ଓ ଏହାର ସୀମା ପୁନଃ ନିର୍ଦ୍ଧାରଣ ଲାଗି ଦାବି ହୋଇଆସୁଥିଲା। ଏହାକୁ ନେଇ ଜିଲ୍ଲାପାଳ, ବନ୍ଦୋବସ୍ତ ଅଧିକାରୀଙ୍କ ପକ୍ଷରୁ ଆସିଥିବା ସୁପାରିସ୍କୁ ଆଧାର କରି ସରକାରଙ୍କ ପକ୍ଷରୁ ୧୬୩୫ଟି ରାଜସ୍ବ ଗ୍ରାମକୁ ଅନୁମୋଦନ ପ୍ରଦାନ କରାଯାଇଛି। ରାଜସ୍ବ ଗ୍ରାମ ବିଭାଜନ ଦ୍ବାରା ଦୁଇଟି ଅଲଗା ଗ୍ରାମ ପାଇଁ ନୂତନ ଭୂ-ରେକର୍ଡ ପ୍ରସ୍ତୁତ ହେବା ଉଚିତ୍। ଯେଉଁଥିରେ ପ୍ରତ୍ୟେକ ରାଜସ୍ବ ଗ୍ରାମର ନୂତନ ଖାତା ଓ ପ୍ଲଟ୍ ତଥ୍ୟ ରହିବା ଜରୁରୀ । ନୂତନ ରାଜସ୍ବ ଗ୍ରାମ ସୀମା ପୁନଃ ନିର୍ଦ୍ଧାରଣ ବେଳେ ଯେପରି ପୁରୁଣା ରାଜସ୍ୱ ଗ୍ରାମର ରେକର୍ଡ ମିଶି ନଯାଏ ସେଥିପ୍ରତି ଦୃଷ୍ଟି ଦେବାକୁ ଏସିଏସ୍ ନିର୍ଦ୍ଦେଶ ଦେଇଛନ୍ତି।
ରାଜସ୍ୱ ମନ୍ତ୍ରୀ ସୁରେସ ପୂଜାରୀ କହିଛନ୍ତି ଯେ, ରାଜ୍ୟରେ ୧୯୯୧ରୁ ୨୦୨୪ ପର୍ଯ୍ୟନ୍ତ ୩୪ ବର୍ଷ ଭିତରେ ମାତ୍ର ୧ ହଜାର ଗାଁକୁ ରାଜସ୍ବ ଗାଁ ଭାବେ ଘୋଷିତ ହୋଇଥିଲା । ପୂର୍ବତନ ସରକାର ସେଥିରୁ ମାତ୍ର ୩୦୦ ଗାଁର ମ୍ୟାପ ପ୍ରସ୍ତୁତ କରିଥିଲେ। କିନ୍ତୁ ବାକି ୭୦୦ ଗାଁର ମ୍ୟାପ କରିପାରିଲେ ନାହିଁ ପୂର୍ବ ସରକାର । ତେଣୁ ମ୍ୟାପ ହୋଇନଥିବା ବାକି ଗାଁ ଏବଂ ନୂଆ ଗାଁ ମିଶାଇ ୧୬୩୫ ରାଜସ୍ୱ ଗାଁ ଗୁଡ଼ିକର ମ୍ୟାପ କରିବା ପାଇଁ ଯାଉଛନ୍ତି ସରକାର । ସେଥିପାଇଁ ପ୍ରତି ତହସିଲରେ ହେବ ଗୋଟିଏ ଲେଖାଏଁ ସ୍ଵତନ୍ତ୍ର ସେଲ୍ । ଏହାସହ ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ ଏହି ଗାଁ ଗୁଡିକ ମାନ୍ୟତା ପାଇବା ସହ କାର୍ଯ୍ୟକାରୀ ହେବ । ୩୪ ବର୍ଷ ଭିତରେ ପୂର୍ବତନ ସରକାର ମାନେ ଯାହା କରିପାରିଲେ ନାହିଁ, ବିଜେପି ସରକାର ଏବେ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି । ରାଜସ୍ୱ ଗାଁ ହେଲା ପରେ ସ୍ଵତନ୍ତ୍ର ମ୍ୟାପ ହେବ । ମୂଳ ଗାଁରେ ଥିବା ଲୋକଙ୍କ ଖାତା ନମ୍ବର ପ୍ଲଟ ନମ୍ବର ମଧ୍ୟ ପରିବର୍ତ୍ତନ ହୋଇ ନୂଆ ହେବ । ଭୂଲେଖରେ ମଧ୍ୟ ଗାଁର ନାମ ସ୍ଥାନ ପାଇବ । ୨୫୦ରୁ ଅଧିକ ଜନସଂଖ୍ୟା ଏବଂ ମୂଳ ରାଜସ୍ୱ ଗାଁକୁ ୫୦୦ ମିଟର ଦୂରତା ଥିବା ପଡ଼ା ଗାଁ ଗୁଡ଼ିକୁ କରାଯିବ ରାଜସ୍ୱ ଗ୍ରାମ । ଅନ୍ୟ ସବୁ କଟକଣା ଉଠାଇ ଦେଇଛନ୍ତି ବିଜେପି ସରକାର ।