ପହଲଗାମ୍ ହମ୍‌ଲା ପରେ ଆକ୍ସନରେ ଭାରତ ସରକାର, ଉତ୍ତରପ୍ରଦେଶରୁ ପାକିସ୍ତାନ ଯିବେ ୧୮ଶହ

Published By : Prameya-News7 Bureau | April 25, 2025 IST

ଉତ୍ତରପ୍ରଦେଶ ୨୫/୪: ଉତ୍ତରପ୍ରଦେଶରେ ରହୁଥିବା ୧୮ଶହ ପାକ୍‌ ନାଗରିକଙ୍କୁ ସ୍ବଦେଶ ଫେରିବାକୁ ହେବ । ଉତ୍ତର ପ୍ରଦେଶର ପୋଲିସ ମହାନିର୍ଦ୍ଦେଶକ ପ୍ରଶାନ୍ତ କୁମାର କହିଛନ୍ତି ଭାରତରେ ବିଭିନ୍ନ ପ୍ରକାର ଭିସାରେ ଆସି ଉତ୍ତରପ୍ରଦେଶରେ ରହୁଥିବା ପ୍ରାୟ ୧୮ଶହ ଜଣ ପାକିସ୍ତାନୀ ନାଗରିକଙ୍କ ସ୍ବଦେଶ ଯିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କାହିଁକି ନା ବୁଧବାର ଦିଲ୍ଲୀରେ ବସିଥିବା ଜରୁରୀ ବୈଠକ ପରେ ଭାରତ ସରକାର ପାକିସ୍ତାନ ନାଗରିକଙ୍କ ଭିସା ବାତିଲ କରିଦେଇଛନ୍ତି । ୪୮ ଘଣ୍ଟା ଭିତରେ ସମସ୍ତଙ୍କୁ ଭାରତ ଛାଡି ଯିବାକୁ ସମୟ ଦିଆଯାଇଛି । ପହଲଗାମ୍‌ ହମ୍‌ଲା ପରେ ବଡ ଆକ୍ସନ ନେଇଛନ୍ତି କେନ୍ଦ୍ର ସରକାର । 

ତଥ୍ୟ ମୁତାବକ ରାଜ୍ୟରେ ରହୁଥିବା ପାକିସ୍ତାନୀ ନାଗରିକଙ୍କ ସଂଖ୍ୟା ଓ ବିବରଣୀ ଏକାଠି କରାଯାଉଛି । ବରେଲିରୁ ୩୫, ରାୟପୁରରୁ ୩୦, ବୁଲନ୍ଦସହରରୁ ୧୮ ଓ ବାରାଣାସୀରୁ ୧୦ ପାକିସ୍ତାନୀଙ୍କ ସଂପର୍କରେ ରିପୋର୍ଟ ମିଳିଛି । ଡିଜିପିଙ୍କ ସୂଚନା ମୁତାବକ  କିଛି ଲୋକ ପ୍ରଥମରୁ ନିର୍ଦ୍ଦେଶ ମୁତାବକ ନିଜେ ନିଜେ ପଳାଇଛନ୍ତି । ହେଲେ ସମୟସୀମା ପୂର୍ବରୁ ଯେଉଁମାନେ ଯାଇପାରିବେନି ସେମାନଙ୍କୁ ଆଇନ କାନୁନର ସାମ୍ନା କରିବାକୁ ପଡିବ । ସେ ଆହୁରି କହିଛନ୍ତି ତେବେ ଉତ୍ତରପ୍ରଦେଶର ସେହି ଲୋକଙ୍କ ପାଇଁ ଏହି ନିୟମ ଲାଗୁ ହେବ ନାହିଁ ଯେଉଁମାନେ କି ନାଗରିକ ସଂଶୋଧନ ଅଧିନିୟମ ବା (CAA)ରେ ନାଗରିକତା ପାଇଁ ଆବେଦନ କରିଛନ୍ତି । ରାଜ୍ୟ ପୋଲିସ ଓ ତାଙ୍କ ଟିମ୍‌ କେନ୍ଦ୍ର ସରକାରଙ୍କ ଆଦେଶ ଅନୁସାରେ ପାକିସ୍ତାନୀ ନାଗରିକଙ୍କୁ ସ୍ବଦେଶ ଫେରାଇବାକୁ କାମ ଆରମ୍ଭ କରିଦେଇଛନ୍ତି । ସବୁ ଜିଲ୍ଲାର ପୋଲିସ ମୁଖ୍ୟଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି । । ତେବେ ପୋଲିସ ସେହି ମାନଙ୍କ ବିରୋଧରେ ଆକ୍ସନ ନେଉଛି ଯେଉଁମାନଙ୍କର ଭିସା ଅବଧି ସରିବା ପରେ ବି ସ୍ବଦେଶ ଯାଉନାହାନ୍ତି । 

ସେପଟେ ପହଲଗାମ ଆଟାକ ପରେ ଭାରତ-ପାକିସ୍ତାନ ମଧ୍ୟରେ ଜାରି ରହିଛି ଉତ୍ତେଜନା । ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ  ଲସ୍କର ଟପ୍‌ କମାଣ୍ଡର ନିହତ ହୋଇଛି । ବାନ୍ଦିପୋରାରେ ଚାଲିଥିଲା ସେନା ଓ ପୋଲିସର ମିଳିତ ସର୍ଚ୍ଚ ଅପରେସନ ।  ଆତଙ୍କୀଙ୍କୁ ଖୋଜି ଖୋଜି ମାରିବାକୁ ଚାଲିଛି ଉଦ୍ୟମ । ଶୁକ୍ରବାର ଆକ୍ରମଣରେ ସଂପୃକ୍ତ ୨ ଆତଙ୍କୀଙ୍କ ଘର ଧ୍ବସଂ କରାଯାଇଛି । ସେପଟେ LOCରେ ଦେଖାଦେଇଛି ଉତ୍ତେଜନା । ପାକିସ୍ତାନ ପଟୁ ସୀମାରେ ଗୁଳିମାଡର ଦୃଢ ଜବାବ ଦେଉଛି ଭାରତ । ସେହିପରି ଆକ୍ରମଣର ପ୍ରତିଶୋଧ ପାଇଁ ଚାଲିଛି ବଡ ପ୍ରସ୍ତୁତି । ଶ୍ରୀନଗରରେ ପହଞ୍ଚିଛନ୍ତି ସେନା ମୁଖ୍ୟ ଜେନେରାଲ ଭୂପେନ୍ଦ୍ର ଦ୍ବିବେଦୀ । କେଉଁ ପରିସ୍ଥିତିରେ ହେଲା ଆକ୍ରମଣ ପରଖିବେ ସ୍ଥିତି । । 

  • uttarpradesh
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.