ପେଜର ପରେ ଲେବାନନ୍‌ରେ ଓ୍ବାକିଟକି ବିସ୍ଫୋରଣ; ପ୍ରାଣ ହରାଇଲେଣି ୨୦, ଆହତ ୫୦୦

Published By : Prameya-News7 Bureau | September 19, 2024 IST

ନୂଆଦିଲ୍ଲୀ: ଲେବାନନ୍‌ରେ ସିରିଜ୍ ବିସ୍ଫୋରଣ । ପେଜର ଏବଂ ଓ୍ବାକିଟକି ବ୍ଲାଷ୍ଟରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ୨୦ଜଣ ପ୍ରାଣ ହରାଇଛନ୍ତି । ସେହିପରି ଆହତ ସଂଖ୍ୟା ୫୦୦ ପାର୍ କରିଛି । ବୁଧବାର ଲେବାନନ୍‌ର ରାଜଧାନୀ ବିରୁଟ୍‌ରେ ଆଉ ଏକ ବିସ୍ଫୋରଣ ସମସ୍ତଙ୍କୁ ଚକିତ କରିଛି । ବହୁସଂଖ୍ୟାରେ ୱାକିଟକି ଦ୍ୱାରା କରାଯାଇଛି ବିସ୍ଫୋରଣ । ପେଜର ବ୍ଲାଷ୍ଟରେ ମୃତକଙ୍କ ସତ୍କାର କାମ ଚାଲିଥିବାବେଳେ ବିଭିନ୍ନ ସ୍ଥାନରେ ୱାକିଟକି ବିସ୍ଫୋରଣ ଘଟିଛି ।  ଏଥିରେ ୨୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦୦ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି । 

ସୋଲାର   ସିଷ୍ଟମ୍‌ ଜରିଆରେ ମଧ୍ୟ ବିସ୍ଫୋରଣ କରାଯାଇଛି । ଏହା ପଛରେ ଇସ୍ରାଏଲ ଗୁଇନ୍ଦା ସଂସ୍ଥା ମୋସାଦର ହାତ ରହିଥିବା ହିଜ୍‌ବୁଲ୍ଲା ଆତଙ୍କୀ   ସଙ୍ଗଠନ କହିଛି । ଇସ୍ରାଏଲ୍‌ର ଏହା ‘ନୂଆ ପର୍ଯ୍ୟାୟ’ର ଯୁଦ୍ଧ ବୋଲି କୁହାଯାଉଛି । ଆଗକୁ ଏହାଠାରୁ ଆହୁରି ଭୟଙ୍କର ରଣନୀତିକ ଆକ୍ରମଣ କରାଯିବା ନେଇ ଇସ୍ରାଏଲ୍‌ ସଂକେତ ଦେଇଛି । ଇସ୍ରାଏଲୀ ସେନା ମୁଖ୍ୟ କହିଛନ୍ତି, ଆମ ପାଖରେ ଅନେକ ସାମରିକ ଦକ୍ଷତା ରହିଛି । ଏ ପର୍ଯ୍ୟନ୍ତ ସେଗୁଡ଼ିକୁ ଆମେ ସକ୍ରିୟ ମୋଡ୍‌କୁ ଆଣିନାହୁଁ । ଆଗକୁ ଅନେକ ରଣନୀତିକ ଆକ୍ରମଣ ପାଇଁ ଯୋଜନା ରହିଛି । ଅନ୍ୟପକ୍ଷରେ  କାଲିର ବିସ୍ଫୋରଣରେ ପେଜରରେ ବିସ୍ଫୋରକ ଖଞ୍ଜାଯାଇଥିଲା ବୋଲି ଜଣାପଡ଼ିଛି । 

ବିଦେଶୀ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ମୋସାଦ ପ୍ରାୟ ୫ ହଜାର ପେଜରରେ ୩ରୁ ୫ ଗ୍ରାମର ବିସ୍ଫୋରକ ଫିଟ୍‌ କରିଥିଲା । ଏହି   ପେଜରଗୁଡ଼ିକ ସାଧାରଣତଃ କୋଡ୍‌ ଦ୍ୱାରା ପରିଚାଳିତ   ହୋଇଥାଏ । ଏହାକୁ ଲେବାନନ୍‌ରେ ଥିବା ହିଜ୍‌ବୁଲ୍ଲା ଆତଙ୍କବାଦୀ ସଙ୍ଗଠନ ତାଇୱାନର ଏକ କମ୍ପାନୀଠାରୁ ମଗାଇଥିଲା । ଚଳିତ ବର୍ଷ ଆରମ୍ଭରେ ଏଗୁଡ଼ିକୁ ଲେବାନନ୍‌ ପଠାଯାଇଥିଲା । ହିଜ୍‌ବୁଲ୍ଲା ଆତଙ୍କବାଦୀ ଇସ୍ରାଏଲ ନଜରରୁ ବର୍ତ୍ତିବା ପାଇଁ ପେଜର ବ୍ୟବହାର କରୁଥିଲେ । ମଙ୍ଗଳବାର ରାତିରେ ସବୁ ପେଜରକୁ ଏକ ମେସେଜ ଆସିଥିଲା, ଯାହାଦ୍ୱାରା ସେଥିରେ ଥିବା ବିସ୍ଫୋରକ ସକ୍ରିୟ ହୋଇଯାଇଥିଲା । ଫଳରେ   ତାହା ବିସ୍ଫୋରଣ ହୋଇଥିଲା । ଏଥିରେ ଅନ୍ୟୂନ   ୧୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୩ ହଜାରରୁ ଅଧିକ  ଆହତ ହୋଇଛନ୍ତି । ୨ ଶହରୁ ଅଧିକ ଗୁରୁତର  ଅଛନ୍ତି । ଆହତଙ୍କ ମଧ୍ୟରେ ଇରାନର ରାଷ୍ଟ୍ରଦୂତ  ମଧ୍ୟ ଅଛନ୍ତି । ସେହିପରି ସିରିଆରେ ମଧ୍ୟ କେତେକ  ସ୍ଥାନରେ ପେଜର ବିସ୍ଫୋରଣ ହୋଇଛି । ଏଥିରେ ୭ ଜଣଙ୍କ ମୃତ୍ୟୁ ଘଟିଛି । ହିଜବୁଲ୍ଲା ଏହି ଘଟଣା ପାଇଁ ଇସ୍ରାଏଲକୁ ସିଧାସଳଖ ଭାବେ ଦାୟୀ କରିଛି । ଇରାନ ମଧ୍ୟ ଏହାକୁ ‘ନରସଂହାର’ ଆଖ୍ୟା ଦେଇ ନିନ୍ଦା କରିବା  ସହ ଇସ୍ରାଏଲକୁ ଦାୟୀ କରିଛି ।

ତାଇୱାନର ଗୋଲ୍ଡ ଆପୋଲୋ କମ୍ପାନୀ ଏହି  ପେଜର ବନାଇ ନ ଥିବା କହିଛି । ପେଜରଗୁଡ଼ିକୁ  ଏହାର ସହଯୋଗୀ କମ୍ପାନୀ ବିଏସି ନିର୍ମାଣ କରିଥିବା ଗୋଲ୍ଡ ଆପୋଲୋ ପକ୍ଷରୁ କୁହାଯାଇଛି । ଲେବାନନ୍‌ରେ ବିସ୍ଫୋରଣ ଘଟଣାକୁ ରୁଷ୍‌  ନିନ୍ଦା କରିଛି । ଏହା ଅନ୍ତର୍ଜାତୀୟ ନିୟମର ଉଲ୍ଲଂଘନ  ବୋଲି ରୁଷ୍‌ ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର ମାରିଆ ଜାଖରୋଭା କହିଛନ୍ତି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.