ଜୋହନସବର୍ଗ ୧୪।୧: ଦକ୍ଷିଣ ଆଫ୍ରିକାରେ ଏକ ବଡ଼ଧରଣର ଦୁର୍ଘଟଣା ଘଟିଛି। ଏଠାରେ ଅବୈଧ ସୁନା ଖଣିରେ ଫଶିଥିବା ୧୦୦ରୁ ଅଧିକ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାର ଖବର ଆସୁଛି। ଏହି ଶ୍ରମିକମାନେ ଅନେକ ମାସରୁ ଖଣିରେ ଥିଲେ। ଆକଳନ କରାଯାଉଛି ଖାଦ୍ୟ ଓ ପାଣି ନପାଇ ଭୋକ ଓ ଶୋଷରେ ଶ୍ରମିକ ପ୍ରାଣ ହରାଇଛନ୍ତି। ତେବେ ଖଣିରୁ ପାଖାପାଖି ୨୬ ଜଣ ଶ୍ରମିକଙ୍କୁ ଜୀବିତ ଉଦ୍ଧାର କରାଯାଇଥିବା ବେଳେ ୧୮ ଜଣଙ୍କ ଶବ ବାହାରକୁ ଅଣାଯାଇଛି।
ଏହି ଘଟଣା ଷ୍ଟିଲଫୋଣ୍ଟେନ ସହର ନିକଟସ୍ଥ ବଫେଲସଫୋଣ୍ଟେନରେ ଥିବା ସୁନା ଖଣିରେ ଘଟିଛି। ପ୍ରଥମେ ଉଦ୍ଧାର ହୋଇଥିବା ଶ୍ରମିକଙ୍କ ପୋଷ୍ଟମର୍ଟମରୁ ଅନାହାରରେ ତାଙ୍କର ମୃତ୍ୟୁ ହୋଇଥିବା ପୁଷ୍ଟି ହୋଇଛି। ମାଇନିଂ ଆଫେକ୍ଟେଡ କମ୍ୟୁନିଟିଜ୍ ୟୁନାଇଟେଡ ଇନ ଆକ୍ସନ ଗ୍ରୁପର ମୁଖପାତ୍ର ସବେଲୋ ମଙ୍ଗୁନୀ କିଛି ଶ୍ରମିକଙ୍କୁ ଜୀବିତ ଉଦ୍ଧାର କରାଯାଇଥିବା କହିଛନ୍ତି। ସେମାନଙ୍କ ସହିତ ଖଣି ତଳର ୨ଟି ଭିଡିଓ ବାହାରକୁ ପଠାଯାଇଛି। ମଙ୍ଗୁନୀ କହିଛନ୍ତି ଯେ ଖଣିରେ ଅନୁନ୍ୟ ୧୦୦ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି।
ଦକ୍ଷିଣ ଆଫ୍ରିକାରେ ଅବୈଧ ଖନନ ଏକ ସାଧାରଣ ଘଟଣା। ବଡ଼ କମ୍ପାନୀମାନେ କମ ଲାଭ ଦେଉଥିବା ଖଣିଗୁଡିକ କିଛି ସମୟ ପରେ ବନ୍ଦ କରିଦେଉଛନ୍ତି। ଏହା ପରେ ସ୍ଥାନୀୟ ଶ୍ରମିକମାନେ ଅବୈଧ ରୂପେ ଏହି ସବୁ ଖଣିରୁ ସୁନାର ବଳକା ଭଣ୍ଡାର ଖୋଜୁଛନ୍ତି। ଗତ ନଭେମ୍ବର ମାସରେ ଦକ୍ଷିଣ ଆଫ୍ରିକା ପୋଲିସ ଏପରି ଖଣିରୁ ଶ୍ରମିକଙ୍କୁ ବାହାର କରିବା ପାଇଁ ଏକ ଅଭିଯାନ ଚଳାଇଥିଲା। ସୂଚନା ଅନୁସାରେ ପୋଲିସ ଏଭଳି ଖଣିସବୁ ସିଲ କରିବାକୁ ଉଦ୍ୟମ କରିଥିଲା। ଏହା ପରେ ସ୍ଥାନୀୟ ଅଞ୍ଚଳରେ ଶ୍ରମିକ ଓ ପୋଲିସ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା।
ପୋଲିସ କହିଛି ଯେ ଶ୍ରମିକ ଗିରଫ ଭୟରେ ଖଣିତଳୁ ବାହାରକୁ ଆସି ନଥିଲେ। ମଙ୍ଗୁନୀ କହିଛନ୍ତି ଯେ ଏଥିରେ ପୋଲିସ ଖଣିରୁ ବାହାରକୁ ବାହାରିବା ପାଇଁ ଶ୍ରମିକ ଲଗାଇଥିବା ରସି ହଟେଇ ଦେଇଥିଲା। ଫଳରେ ଖଣି ତଳେ ଅନେକ ଶ୍ରମିକ ଫଶି ରହିଯାଇଥିଲେ। ପୋଲିସ ଖଣି ତଳକୁ ପହଞ୍ଚୁଥିବା ଖାଦ୍ୟ ଓ ପାନୀୟ ବି ଅଟକାଇ ଦେଇଥିଲା। ଯାହା ଦ୍ୱାରା ଖଣିରୁ ଶ୍ରମିକଙ୍କୁ ବାହାର କରାଯାଇ ପାରିବ ବୋଲି ଆଶା କରିଥିଲା। ହେଲେ ଏବେ ଦେଖାଯାଉଛି ଖଣି ତଳେ ଭୋକ ଉପାସରେ ଶ୍ରମିକ ପ୍ରାଣ ହରାଇଛନ୍ତି।
ପୋଲିସ ମୁଖପାତ୍ର ବ୍ରିଗେଡିୟର ମକଗ୍ୱାବୋନ କହିଛନ୍ତି ଯେ ପୁଣି ଥରେ ଉଦ୍ଧାର ଅଭିଯାନ ଆରମ୍ଭ ହୋଇଛି। ହେଲେ ଏବେ ଜଣା ପଡିନାହିଁ ଖଣି ତଳେ କେତେ ଶବ ଅଛି। ତେବେ ମଙ୍ଗୁନୀ କହିଛନ୍ତି ଖଣିର ଅଲଗା ଅଲଗା ସ୍ଥାନରେ ଏବେବି ୫୦୦ ଶ୍ରମିକ ଅଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଏହି ଖଣି ଦକ୍ଷିଣ ଆଫ୍ରିକାର ସବୁଠୁ ଗଭୀର ଖଣି ମଧ୍ୟରୁ ଅନ୍ୟତମ। ଏହାର ଗଭୀରତା ପ୍ରାୟ ୨.୫ କିଲୋମିଟର ବୋଲି ମଙ୍ଗୁନୀ କହିଛନ୍ତି।