ନୂଆଦିଲ୍ଲୀ ୧୪।୦୧: ବିଶ୍ୱର ସବୁଠାରୁ ଉଚ୍ଚ କୋଠା । ଦୁବାଇର ବୁର୍ଜ ଖଲିଫା । ଏହି ବିଲ୍ଡିଙ୍ଗକୁ ଦେଖିବା ପାଇଁ ଲୋକମାନେ ଦୂର ଦୂରାନ୍ତରରୁ ଛୁଟି ଆସିଥାନ୍ତି । ଏହାର ଚାକଚକ୍ ଏବଂ ଭବ୍ୟତା ଲୋକଙ୍କୁ କରିଥାଏ ଆକର୍ଷିତ । ଏହି ବିଲ୍ଡିଙ୍ଗରେ ମିଳିଥାଏ ସମସ୍ତ ସୁବିଧା । ତେବେ ଅନେକ ସମୟରେ ନଜର କରିଥିବେ ବୁର୍ଜ ଖଲିଫାରେ ମେସେଜ୍ କିମ୍ବା ଫଟୋର ବିଜ୍ଞାପନ ଫ୍ଲାସ୍ ହୋଇଥାଏ । ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନଙ୍କ ଜନ୍ମଦିନରେ ବୁର୍ଜ ଖଲିଫାରେ ତାଙ୍କ ଫଟୋ ଫ୍ଲାସ୍ ମଧ୍ୟ ହୋଇଥିଲା ।
ନିଶ୍ଚୟ ଅନେକ ଚିନ୍ତା କରୁଥିବେ କି କୌଣସି ସେଲିବ୍ରିଟି କିମ୍ବା ବଡ କମ୍ପାନୀ ହିଁ ବୁର୍ଜ ଖଲିଫାରେ ବିଜ୍ଞାପନ କିମ୍ବା ଫଟୋ ଫ୍ଲାସ୍ କରିପାରିବେ । ଯଦି ଆପଣ ଏପରି ଭାବୁଛନ୍ତି ତେବେ ଆପଣ ସମ୍ପର୍ଣ୍ଣ ଭୁଲ୍ ଭାବୁଛନ୍ତି । ବୁର୍ଜ ଖଲିଫାରେ ଫଟୋ ଲଗାଇବା ପାଇଁ ସେଲିବ୍ରିଟି ହେବା କିମ୍ବା ବଡ କମ୍ପାନୀ ହେବା ଜରୁରୀ ନୁହେଁ । ଯେକୌଣସି ବ୍ୟକ୍ତି ଟଙ୍କା ଦେଇ ଏଠାରେ ନିଜର ଫଟୋ ଫ୍ଲାସ୍ କରିପାରିବେ । କିନ୍ତୁ ଏଥିପାଇଁ ଦେବାକୁ ପଡିବ ମୋଟା ଅଙ୍କର ଟଙ୍କା ।
ଏକ ରିପୋର୍ଟ ଅନୁଯାୟୀ ୮୨୮ ମିଟର ଉଚ୍ଚ ବିଲ୍ଡି ବୁର୍ଜ ଖଲିଫାରେ ଆପଣଙ୍କର ନାଁ କିମ୍ବା ଫଟୋ ଫ୍ଲାସ୍ କରିବା ପାଇଁ ଆପଣଙ୍କୁ ଅତିକମରେ ୨.୫ଲକ୍ଷ ଦିରହମ ଖର୍ଚ୍ଚ କରିବାକୁ ପଡିବ । ଯାହା ଭାରତୀୟ ମୂଲ୍ୟରେ ପ୍ରାୟ ୫୮ ଲକ୍ଷ ଟଙ୍କା । ଏହି ଦାମ୍ରେ କେବଳ କାର୍ଯ୍ୟ ଦିବସଗୁଡ଼ିକରେ ଫଟୋ ଫ୍ଲାସ୍ କରିହେବ । ଅର୍ଥାତ୍ ଯଦି ଆପଣ ସୋମବାରରୁ ଶୁକ୍ରବାର ରାତି ୮ଟାରୁ ୧୦ଟା ମଧ୍ୟରେ ୩ ମିନିଟର ଏକ ମେସେଜ୍ ଲେଖିବାକୁ ଚାହାଁନ୍ତି, ତେବେ ଆପଣଙ୍କୁ ପ୍ରାୟ ୫୮ ଲକ୍ଷ ଟଙ୍କା ଦେବାକୁ ପଡିବ ।
ଯଦି ସପ୍ତାହାନ୍ତରେ ଅର୍ଥାତ୍ ଶନିବାର ଏବଂ ରବିବାର ସମାନ ମେସେଜ୍ କିମ୍ବା ଫଟୋ ଫ୍ଲାସ୍ କରିବାକୁ ଚାହାନ୍ତି ତେବେ ଏଥିପାଇଁ ୩ ଲକ୍ଷ ୫୦ ହଜାର ଦିରହମ୍। ଅର୍ଥାତ୍ ପ୍ରାୟ ୮୧ ଲକ୍ଷ ଟଙ୍କା। ଏହି ଦୁଇଟି ଦାମ୍ କେବଳ ୩ ମିନିଟ୍ର ବିଜ୍ଞାପନ ପାଇଁ ରହିଥାଏ । ଯଦି ଆପଣ ୫ ମିନିଟର ବିଜ୍ଞାପନ ଚଲାଇବାକୁ ଚାହାଁନ୍ତି, ତେବେ ଆପଣ ସନ୍ଧ୍ୟା ୭ଟାରୁ ମଧ୍ୟରାତ୍ରି ପର୍ଯ୍ୟନ୍ତ ଯେକୌଣସି ଦିନ ବୁର୍ଜ ଖଲିଫାରେ ପାଞ୍ଚ ମିନିଟର ମେସେଜ୍ ଫ୍ଲାସ୍ କରିପାରିବେ। କିନ୍ତୁ ଏଥିପାଇଁ ଆପଣଙ୍କୁ ଦେବାକୁ ପଡିବ ୨ କୋଟି ୩୩ ଲକ୍ଷ ଟଙ୍କା । ଏହାପରେ ହିଁ ଯାଇ ବୁର୍ଜ ଖଲିଫାରେ ଫ୍ଲାସ୍ ହେବ ଆପଣଙ୍କ ଫଟୋ କିମ୍ବା ମେସେଜ୍ ।