ମୁମ୍ଵାଇ ୧୪।୦୧; ଚାଇନାର ଭୟଙ୍କର ଭୂକମ୍ପ । ସୋମବାର ରାତିରେ ତିବ୍ଦତ ସ୍ୱୟଂଶାସିତ ଅଞ୍ଚଳର ଜିଗାଜେସ୍ଥିତ ଡିଙ୍ଗ୍ରି କାଉଣ୍ଟିରେ ଭୂକମ୍ପ ହୋଇଥିଲା । ଯାହାର ତୀବ୍ରତା ଥିଲା ୫.୦ ମ୍ୟାଗ୍ନିଚ୍ୟୁଡ । ଚାଇନା ଭୂକମ୍ପ ନେଟୱାର୍କ କେନ୍ଦ୍ର (CENC) ଅନୁଯାୟୀ ସ୍ଥାନୀୟ ସମୟ ରାତି ୮.୫୮ ରେ ପବିତ୍ର ଶିଗାଜେ ସହର ପରିସରରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ଜାନୁଆରୀ ୮ରେ ସମାନ ଅଞ୍ଚଳରେ ୬.୮ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ହୋଇଥିଲା । ଯେଉଁଥିରେ ୧୨୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୮୮ ଜଣ ଆହତ ହୋଇଥିଲେ। ଚୀନ୍ ଏହି ଅଞ୍ଚଳରେ ବ୍ୟାପକ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି। ସୋମବାରର ହୋଇଥିବା ଭୂକମ୍ପ ୧୦ କିଲୋମିଟର ଗଭୀରରେ ଘଟିଛି। ଜାନୁଆରୀ ୮ ରେ ହୋଇଥିବା ଭୂକମ୍ପ ପରେ ଏହି ଅଞ୍ଚଳରେ ୬୪୦ ରୁ ଅଧିକ ଭୂକମ୍ପ ହୋଇଥିଲା।
ଜାପାନରେ ପ୍ରବଳ ଭୂକମ୍ପ, ସୁନାମି ଚେତାବନୀ
ସୋମବାର ଦିନ ଦକ୍ଷିଣ-ପଶ୍ଚିମ ଜାପାନର କ୍ୟୁଶୁ ଅଞ୍ଚଳରେ ରିକ୍ଟର ସ୍କେଲରେ ୬.୯ ମାପ ବିଶିଷ୍ଟ ଏକ ଭୂକମ୍ପ ଘଟିଛି ବୋଲି ଜାପାନର ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ। ଜାପାନ ପାଣିପାଗ ବିଭାଗ କହିଛି ଯେ ମିଆଜାକି ପ୍ରିଫେକ୍ଟରରେ ୯.୧୯ ରେ (ସ୍ଥାନୀୟ ସମୟ) ଏହି ଭୂକମ୍ପ ଘଟିଛି ଏବଂ ଏହି ଭୂକମ୍ପର ତୀବ୍ରତା ଜାପାନ ସ୍କେଲରେ ୦ ରୁ ୭ ମଧ୍ୟରେ ରହିଛି। ବିଭିନ୍ନ ଅଞ୍ଚଳ ପାଇଁ ଅଧିକାରୀମାନେ ସୁନାମି ଚେତାବନୀ ଦେଇଛନ୍ତି କିନ୍ତୁ ଏଥିରେ କୌଣସି କ୍ଷୟକ୍ଷତି ହୋଇଥିବା ଖବର ମିଳିନାହିଁ।
ୟୁରୋପୀୟ ଭୂମଧ୍ୟସାଗରୀୟ ଭୂକମ୍ପ କେନ୍ଦ୍ର (EMSC) ଅନୁଯାୟୀ ଏହି ଭୂକମ୍ପ ୩୭ କିଲୋମିଟର ଗଭୀରରେ ଅବସ୍ଥିତ। ଗତ ବର୍ଷ ଅଗଷ୍ଟ ୮ରେ ଜାପାନରେ ୬.୯ ଏବଂ ୭.୧ ମ୍ୟାଗ୍ନିଚ୍ୟୁଡର ଦୁଇଟି ଶକ୍ତିଶାଳୀ ଭୂକମ୍ପ ଘଟି କ୍ୟୁସୁ ଏବଂ ଶିକୋକୁର ଦକ୍ଷିଣ-ପଶ୍ଚିମ ଦ୍ୱୀପପୁଞ୍ଜକୁ ଥରାଇ ଦେଇଥିଲା। ଏହାପୂର୍ବରୁ ଜାନୁଆର ୧୧, ୨୦୨୪ରେ ଜାପାନର ସୁଜୁ, ୱାଜିମା ଏବଂ ଏହାର ଆଖପାଖ ଅଞ୍ଚଳରେ ୭.୬ ମ୍ୟାଗ୍ନିଚ୍ୟୁଡର ଏକ ବଡ଼ ଭୂକମ୍ପ ଘଟି ୩୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିଲା।