ମନମୋହନ ରିପିଟ୍ ହେବେ ନା ଆଉ କିଏ ଧରିବେ ରାଜ୍ୟ ବିଜେପି ମଙ୍ଗ, ଦିଲ୍ଲୀରେ ଚାଲିଛି ମାନସ ମନ୍ଥନ

Published By : Prameya-News7 Bureau | January 14, 2025 IST

ଭୁବନେଶ୍ବର ୧: କିଏ ଧରିବ ରାଜ୍ୟ ବିଜେପିର ମଙ୍ଗ । ଦିଲ୍ଲୀରେ ରାଜ୍ୟ ବିଜେପିର ମାନସ ମନ୍ଥନ । କୋର କମିଟି ବୈଠକରେ ଏ ନେଇ ହୋଇଛି ଆଲୋଚନା । ଯେଉଁଥିରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ରାଜ୍ୟରେ ସାଙ୍ଗଠନିକ ସ୍ଥିତି ନେଇ ଆଲୋଚନା ସହ ନୂଆ ମଙ୍ଗୁଆଳ କିଏ ହେବ ତାକୁ ନେଇ ଆଲୋଚନା ହୋଇଛି । 

ସେହିପରି ରାଜ୍ୟରୁ ଯାଇଥିବା ଜିଲ୍ଲା ସଭାପତିଙ୍କ ତାଲିକାକୁ ନେଇ ବି ବିଚାର ବିମର୍ଶ ହୋଇଛି । ଦୁଇ ଦିନ ଭିତରେ ଆସିପାରେ ଚୂଡ଼ାନ୍ତ ହୋଇଥିବା ଜିଲ୍ଲା ସଭାପତିଙ୍କ ନାମ । ପରେ ରାଜ୍ୟ ସଭାପତିଙ୍କ ନାମ ଘୋଷଣା ହେବ । ତେବେ ନୂଆ ସଭାପତି କିଏ ହେବ, ମନମୋହନ ରିପିଟ୍ ହେବେ ନା ଆଉ କିଏ ଧରିବେ ମଙ୍ଗ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ସୂଚନାଯୋଗ୍ୟ ଯେ, ବିଜେପି ରାଜ୍ୟର ଏକ ନମ୍ବର ରାଜନୈତିକ ଦଳ ହେବାକୁ ତାର ଉଦ୍ୟମ ଜାରି ରଖିଛି ।  ସଦସ୍ୟତା ଅଭିଯାନ ଶେଷ ହେବା ପରେ ମଣ୍ଡଳ ସଭାପତି, ଜିଲ୍ଲା ସଭାପତି ଓ ରାଜ୍ୟ ସଭାପତି ଚୟନ ପ୍ରକ୍ରିୟା କରିବାକୁ ନିଷ୍ପତ୍ତି ହୋଇଥିଲା । ଡିସେମ୍ବର ୩୧ ତାରିଖ ସୁଦ୍ଧା ମଣ୍ଡଳ ସଭାପତି, ଜାନୁଆରୀ ୫ ତାରିଖ ସୁଦ୍ଧା ଜିଲ୍ଲା ସଭାପତି ଏବଂ ଜାନୁଆରୀ ୧୫ ତାରିଖ ସୁଦ୍ଧା ରାଜ୍ୟ ସଭାପତି ଚୟନ କରିବାକୁ ନିଷ୍ପତ୍ତି ହୋଇଥିଲା । ହେଲେ ଏପର୍ଯ୍ୟନ୍ତ ଜିଲ୍ଲା ସଭାପତି ଚୟନ ହୋଇପାରିଲାନି। ଜିଲ୍ଲା ସଭାପତି ଚୟନ ହୋଇନଥିବାରୁ ‌ରାଜ୍ୟ ସଭାପତି ଚୟନ ମଧ୍ୟ ବିଳମ୍ବ ହେଉଛି ।

ଓଡ଼ିଶା ବିଜେପି ଏଥର ସବୁଠୁ ଅଧିକ ୭୮ଟି ବିଧାୟକ ଏବଂ ୨୦ଟି ସାଂସଦ ଜିତିଛି । ପୂର୍ବରୁ ଏତେ ସଂଖ୍ୟକ ବିଧାୟକ କି ସାଂସଦ ଦଳ ପାଖରେ ନଥିଲେ । ଏହାହିଁ ବିଜେପିର ସାଙ୍ଗଠନିକ କାର୍ଯ୍ୟକର୍ତ୍ତା ଓ ପଦ ପଦବୀ ନିଯୁକ୍ତିରେ ବଡ଼ ବାଧକ ସାଜିଛି । ଏବେ ଜିଲ୍ଲା ସଙ୍ଗଠନକୁ କେଉଁ ସାଂସଦ, ବିଧାୟକ ହାତରେ ରଖିବେ ତାହାକୁ ନେଇ ଟଣାଓଟରା ଚାଲିଛି । 


You Can Read:

ଖୁବ୍‌ଶୀଘ୍ର BSKY ଦୁର୍ନୀତିର ହେବ ତଦନ୍ତ, ବିଜେଡ଼ି କହିଲା- ତଦନ୍ତ ତଦନ୍ତ କହୁଛନ୍ତି ହେଲେ ରିପୋର୍ଟ ଆସୁନି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.