ପୂର୍ବ ସରକାର କଥା ଦେଇ ଭୁଲିଗଲେ, ଆମ ସରକାର ସମସ୍ତ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରାଇବେ- ବିଜେପି ରାଜ୍ୟ ସଭାପତି

Published By : Prameya-News7 Bureau | July 04, 2025 IST

ଭୁବନେଶ୍ଵର ୦୪।୦୭ : ସମସ୍ତ ଚିଟଫଣ୍ଡ୍ କ୍ଷତିଗ୍ରସ୍ତ ଟଙ୍କା ଫେରିପାଇବେ। କ୍ଷୁଦ୍ର ଜମାକାରି ହୁଅନ୍ତୁ କିମ୍ଵା ବଡ଼ ଜମାକାରି ସମସ୍ତେ ପାଇବେ ଟଙ୍କା। ୧୦ ହଜାର ହେଉକି ୧୦ ଲକ୍ଷ ସାମାନ୍ୟ ପ୍ରମାଣ ଦେଖାଇଲେ ସମସ୍ତଙ୍କୁ ଟଙ୍କା ମିଳିବ। ଏନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି। 

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବର୍ଷେ ଭିତରେ ୧ ଲକ୍ଷ ୨୬ ହଜାର ୧୩୭ ଜମାକାରୀଙ୍କୁ ୪୭.୦୭ କୋଟି ଟଙ୍କା ଫେରସ୍ତ ହୋଇଛି। ଆସନ୍ତା ୩-୪ ମାସ ମଧ୍ୟରେ ଆଉ ୫ ଲକ୍ଷ ଜମାକାରୀଙ୍କୁ କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଦେଇଛନ୍ତି। ଏହା ନିୟମିତ ପ୍ରକ୍ରିୟା ଆଉ ତାଲିକା ଆସିଲେ ପର୍ଯ୍ୟାୟ କ୍ରମେ ଟଙ୍କା ଦିଆଯିବ। ମନରେ କୌଣସି ଦ୍ଵନ୍ଦ ରଖିବା ଉଚିତ ନୁହେଁ। ସମସ୍ତେ ଟଙ୍କା ପାଇବେ। 

ସେହିପରି ଚିଟଫଣ୍ଡ୍ ପ୍ରସଙ୍ଗରେ ବିଜେଡିକୁ ଟାର୍ଗେଟ୍ କଲା ବିଜେପି। ସାମ୍ବାଦିକ ସମ୍ମିଳନୀ କରି ବିଜେଡି ଉପରେ ବର୍ଷିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ସେ କହିଛନ୍ତି, ସରକାରଙ୍କ ଉପରେ ବିଶ୍ଵାସ ଭରସା ରଖି ଜମାକାରୀମାନେ ଟଙ୍କା ଜମା କରିଥିଲେ। କିନ୍ତୁ ଦୁର୍ଭାଗ୍ୟର ବିଷୟ, ବିଗତ ସରକାରରେ ୧୫ ବର୍ଷ ଭିତରେ ୧୭୪ ଚିଟଫଣ୍ଡ କମ୍ପାନୀ ଓଡ଼ିଶାର ସାଧାରଣ ଲୋକଙ୍କ କଷ୍ଟ ଅର୍ଜିତ ଟଙ୍କା ଲୁଟ୍ କରିବାରେ ଲାଗିଥିଲେ। ବିଜେଡିର ଅନେକ ନେତା, ମନ୍ତ୍ରୀ ଏଥିପାଇଁ ଦଣ୍ଡିତ ହୋଇ ଜେଲ୍ ବି ଯାଇଥିଲେ। ପ୍ରାୟୋଜିତ ଚିଟଫଣ୍ଡ କାରଣରୁ ଲକ୍ଷ ଲକ୍ଷ ଲୋକ ଅନିଶ୍ଚିତତା ଭିତରେ ଦିନ କାଟୁଥିଲେ। ସେତେବେଳେ ସରକାର ଉପରୁ ଓଡ଼ିଶା ଲୋକଙ୍କ ବିଶ୍ୱାସ ଉଠିଯାଇଥିଲା। ସୁପ୍ରିମକୋର୍ଟକୁ କେସ୍ ଗଲା ପରେ ପୂର୍ବ ସରକାର କର୍ପସ୍ ଫଣ୍ଡ ତିଆରି କଲେ। କିନ୍ତୁ ବିଜେଡି ସରକାରର ନିୟତି ଠିକ୍ ନଥିବାରୁ କାର୍ଯ୍ୟକାରୀ ହୋଇପାରିଲା ନାହିଁ। ପୂର୍ବ ସରକାର କମିଶନ ପରେ କମିଶନ ବସାଇଲେ । କିନ୍ତୁ ତଦନ୍ତ ରିପୋର୍ଟ ସାର୍ବଜନୀନ କରାଗଲା ନାହିଁ।

ଅନ୍ୟପଟେ ବିଜେଡିର ବରିଷ୍ଠ ନେତା ଦେବୀ ମିଶ୍ର କହିଛନ୍ତି ଯେ, ପୂର୍ବ ସରକାର ପଦକ୍ଷେପ ନେଇଥିଲେ ବୋଲି ଏବେ ସରକାର ଫେରାଇବାକୁ ପଦକ୍ଷେପ ନେଇଛନ୍ତି। ବିଜେଡ଼ି ସରକାର ଟଙ୍କା ଫେରସ୍ତ ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲେ। ଏବେ ଚିହ୍ନଟ କରି ଟଙ୍କା ଫେରସ୍ତ ପାଇଁ ସରକାର ପଦକ୍ଷେପ ନେଇଛନ୍ତି। ଯଦି ପୂର୍ବ ସରକାର ପଦକ୍ଷେପ ନେଇନଥିଲେ ତେବେ କାଗଜ କିପରି ମିଳୁନଥିଲା ବୋଲି ବିଜେପି କହୁଥିଲା ।

  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.