ନୂଆଦିଲ୍ଲୀ: ଆମିର ଖାନଙ୍କ ଫିଲ୍ମ ‘ସିତାରେ ଜମିନ ପର’ର ଓଟିଟି ରିଲିଜକୁ ପ୍ରଶଂସକ ଚାତକ ପରି ଚାହିଁ ରହିଛି। ଜୁନରେ ରିଲିଜ୍ ହୋଇଥିବା ଏହି ଫିଲ୍ମରେ ଆମିର ଖାନଙ୍କୁ ବାସ୍କେଟ୍ ବଲ୍ ରୋଲ୍ରେ ଦେଖିବାକୁ ମିଳିଥିଲା। ତାଙ୍କ ସହିତ ଅନେକ ଦିବ୍ୟାଙ୍ଗ କଳାକାର ଚମତ୍କାର ଅଭିନୟ କରିଥିଲେ। ଥିଏଟରରେ ଏହି ଫିଲ୍ମକୁ ଜନତାଙ୍କ ବେଶ ଭଲ ପାଇବା ମିଳିଥିଲା। ହେଲେ ଓଟିଟିରେ ଫିଲ୍ମ ଦେଖୁଥିବା ଦର୍ଶକ ଫିଲ୍ମର ଅପେକ୍ଷା କରିଛନ୍ତି। ଏସବୁ ମଧ୍ୟରେ ଫିଲ୍ମକୁ ନେଇ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି।
ଆମିର ଖାନ ଘୋଷଣା କରିଛନ୍ତି ଯେ, ତାଙ୍କ ଫିଲ୍ମ ସିତାରେ ଜମିନ ପର ୟୁଟ୍ୟୁବରେ ରିଲିଜ୍ ହେବ। ଏହା ‘ପେ ପର ଭ୍ୟୁ’ ମଡେଲ୍ ଆଧାରରେ ରିଲିଜ୍ ହେବ। ଏହାର ଅର୍ଥ ୟୁଜରଙ୍କୁ ଫିଲ୍ମ ଦେଖିବା ପାଇଁ ୧୦୦ ଟଙ୍କା ଦେବାକୁ ପଡ଼ିବ। ଆମିର ଏହି ମଡେଲକୁ ‘ଜନତା କା ଥିଏଟର’ ନାମରେ ନାମିତ କରିଛନ୍ତି। ଏଥିରେ ଦର୍ଶକଙ୍କୁ ଅଧିକ ସିନେମା ଦେଖିବାର ସୁଯୋଗ ମିଳିବ। ସିତାରେ ଜମିନ ପର ୟୁଟ୍ୟୁବ୍ରେ ଅଗଷ୍ଟ ୧ରେ ରିଲିଜ୍ ହେବ।
ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ ଆମିର ଖାନ କହିଛନ୍ତି ଯେ, ଦେଶର ୨ରୁ ୩ ପ୍ରତିଶତ ଲୋକ ସିନେମାଘରେ ଫିଲ୍ମ ଦେଖି ପାରନ୍ତି। ୟୁପିଆଇ ଆସିବା ପରଠୁ ଡିଜିଟାଲ୍ ପେମେଣ୍ଟ ଭାରତୀୟଙ୍କ ବହୁ କାମ ସରଳ କରି ଦେଇଛି। ତେଣୁ ଏମିତି ସମୟରେ ଡିଜିଟାଲ୍ ପ୍ଲାଟଫର୍ମରେ ଓହ୍ଲାଇବାକୁ ଏହା ଉଚିତ୍ ସମୟ। ଆମିର କହିଛନ୍ତି, ମୁଁ ଚିନ୍ତା କଲି ଯେ ୟୁଟ୍ୟୁବ ହେଉଛି ଏମିତି ଏକ ପ୍ଲାଟଫର୍ମ ଯାହାକୁ ପ୍ରାୟ ସମସ୍ତେ ବ୍ୟବହାର କରୁଛନ୍ତି। ଆପଣ ଏହାକୁ କୌଣସି ବି ଡିଭାଇସରେ ଚଲାଇ ପାରିବେ। ଗୋଟିଏ ଦିନରେ ପ୍ରାୟ ୫୫ କୋଟି ଭାରତୀୟ ୟୁଟ୍ୟୁବ୍ ଚଲାନ୍ତି। ଭାବିଲି ଯଦି ମୁଁ ୟୁଟ୍ୟୁବକୁ ବ୍ୟବହାର କରିବି ତେବେ ନିଜର କଣ୍ଟେଣ୍ଟକୁ ପ୍ରତିଟି ଜାଗାରେ ଦେଖାଇ ପାରିବି। ୟୁପିଆଇ କାରଣରୁ ଏବେ ସମସ୍ତ ଭାରତୀୟ ଆରାମରେ ଏଥିପାଇଁ ପେମେଣ୍ଟ କରି ପାରିବେ।