ଲସ୍ଏଞ୍ଜେଲ୍ସ, ୧୪/୦୧: ଆମେରିକାର କାଲିଫର୍ଣ୍ଣିଆ ରାଜ୍ୟରେ ଲାଗିଥିବା ଜଙ୍ଗଲ ନିଆଁ ୭ ଦିନ ପରେ ବି ଆୟତ୍ତ ହୋଇପାରିନାହିଁ । ଜନବସତିରେ ବି ନିଆଁ ବ୍ୟାପିଥିବାରୁ ମୃତୁସଂଖ୍ୟା ବଢ଼ି ୨୬ ହେଲାଣି । ମୃତକଙ୍କ ମଧ୍ୟରେ ଜଣେ ଅଷ୍ଟ୍ରେଲୀୟ ଟିଭି ଅଭିନେତା ରୋରି ସାଇକ୍ସ ଅଛନ୍ତି । ରିପୋର୍ଟ ଅନୁସାରେ, ରବିବାର ସୁଦ୍ଧା ଲସ୍ ଏଞ୍ଜେଲ୍ସରେ ପ୍ରାୟ ୪୦ ହଜାର ଏକର ଅଞ୍ଚଳ ଜଳିସାରିଛି । ଯାହା କି ପ୍ୟାରିସ୍ର ଆକାରଠାରୁ ବି ବଡ଼ ।
ଅନ୍ୟପକ୍ଷରେ ନିଆଁଲିଭା କାମରେ ପ୍ରାୟ ହଜାରେ କଏଦୀଙ୍କୁ ଲଗାଯାଇଛି । ଶନିବାର ୯୩୯ କଏଦୀଙ୍କୁ ଏଥିରେ ସାମିଲ କରାଯାଇଛି । ସେମାନଙ୍କ ମଧ୍ୟରେ ଉଭୟ ମହିଳା ଏବଂ ପୁରୁଷ ରହିଛନ୍ତି । ସାଧାରଣତଃ କଏଦୀଙ୍କୁ ଦିନକୁ ୫.୮୦ ଡଲାରରୁ ୧୦.୨୪ ଡଲାର ଭତ୍ତା ଦିଆଯାଏ । ତେବେ ସେମାନଙ୍କୁ ଆପାତକାଳୀନ କାମରେ ଲଗାଗଲେ ଭତ୍ତା ୧ ଡଲାର ବଢ଼ାଯାଇଥାଏ । ଏହାକୁ ନେଇ ବିତର୍କ ଆରମ୍ଭ ହୋଇଯାଇଛି । କେତେକ ଏହାକୁ ଶୋଷଣ ବୋଲି କହୁଥିବାବେଳେ କେତେକ ପୁନର୍ବାସ ବୋଲି ନିଜ ବିଚାର ପ୍ରକାଶ କରିଛନ୍ତି ।
ସେପଟେ ଲସ୍ ଏଞ୍ଜେଲ୍ସରେ ରବିବାର ପବନର ଗତି ସାମାନ୍ୟ କମିଛି । ଏହାଦ୍ୱାରା ଫାୟାରଫାଇଟରଙ୍କୁ ନିଆଁ ଲିଭାଇବାରେ ସୁବିଧା ହେବ । ଆମେରିକା ସମେତ କାନାଡା, ମେକ୍ସିକୋର ଫାୟାରଫାଇଟର ମଧ୍ୟ ନିଆଁ ଲିଭା କାମରେ ଲାଗିଛନ୍ତି । କାନାଡାର ସୁପର ସ୍କୁପର ବିମାନ ସିଏଲ୍-୪୧୫ ଘଣ୍ଟାପ୍ରତି ୩୫୦ କିମି ପର୍ଯ୍ୟନ୍ତ ବେଗରେ ପ୍ରାୟ ୧୬,୦୦୦ ଗ୍ୟାଲନ ପାଣି ବହନ କରି ସିଞ୍ଚନ କରୁଛି । ପେଲିସେଡ୍ସରେ ୧୧% ନିଆଁ ଲିଭାଯାଇଛି ।
ଇଟନ ଏବଂ ହର୍ଷ୍ଟରେ ବିରାଟ ଏରିଆ ନିଆଁ କବଳରେ ଅଛି । ତେବେ କ୍ୟାନ୍ଥରେ ନିଆଁକୁ ସମ୍ପୂର୍ଣ୍ଣ ଭାବେ ଆୟତ୍ତ କରାଯାଇଥିବା ଜଣାଯାଇଛି । ଅଦ୍ୟାବଧି ପ୍ରାୟ ୧୨ ହଜାର ଅଟ୍ଟାଳିକା, ଭିତ୍ତିଭୂମି ଜଳି ଛାରଖାର ହୋଇଯାଇଛି । ୩୦ ହଜାର ଘର କ୍ଷତିଗ୍ରସ୍ତ ହୋଇଛି । ପ୍ରାୟ ୨ ଲକ୍ଷ ଲୋକ ବିସ୍ଥାପିତ ହୋଇଛନ୍ତି । ଲକ୍ଷାଧିକ ଲୋକ ବିନା ବିଜୁଳିରେ ଅଛନ୍ତି ।
ପାଲିସେଡ୍ସ ନିଆଁ ପୂର୍ବଆଡ଼କୁ ଗତି କରୁଥିବାରୁ ଲୋକଙ୍କୁ ସତର୍କ କରାଯିବା ସହ ଘର ଛାଡ଼ିବା ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଅନେକ ସ୍ଥାନରେ କର୍ଫ୍ୟୁ ଜାରି କରାଯାଇଛି । ଲସ୍ ଏଞ୍ଜେଲ୍ସରେ ଥିବା ବହୁ ସିନେ ତାରକାଙ୍କ ଘର ଜଳିଯାଇଛି । ଏପରିସ୍ଥଳେ ସେମାନେ ପ୍ରାଇଭେଟ ଫାୟାରଫାଇଟର ଏବଂ ଅନ୍ୟାନ୍ୟ ସାମଗ୍ରୀ ମଗାଇ ନିଜ ଖର୍ଚ୍ଚରେ ଘର ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରଖିଛନ୍ତି ।