ଭୁବନେଶ୍ବର ୧୧।୧୧: ବିଜେପି ବିଧାୟକ ସରୋଜ ପାଢ଼ୀଙ୍କ ବିସ୍ଫୋରକ ବୟାନ । ୨୭ ବିଜେଡି ବିଧାୟକ ବିଜେପିର ଶୀର୍ଷ ନେତୃତ୍ୱଙ୍କ ସହିତ ଯୋଗାଯୋଗରେ ଅଛନ୍ତି ଓ କଥାବାର୍ତ୍ତା ଚାଲିଛି I ୩ ଦିନ ତଳେ ୨୭ଜଣ ବିଜେଡି ବିଧାୟକ ଏକାଠି ହୋଇଥିଲେ । ୨୭ ବିଧାୟକ ବିଜେପି ଆସିବା ପାଇଁ ବିଜେପିର ଶୀର୍ଷ ନେତୃତ୍ୱ ସହ ଯୋଗାଯୋଗରେ ଅଛନ୍ତି ବୋଲି ସରୋଜ ପାଢ଼ୀ କହିଛନ୍ତି ।
ସେପଟେ, ରବିବାର ମହାକାଳପଡା ବ୍ଲକ ବିଜେଡି ପଦଯାତ୍ରା ସଭାରେ ଯୋଗଦେଇ ବିଜେଡିର ବରିଷ୍ଠ ନେତା ଅତନୁ ସବ୍ୟସାଚୀ ନାୟକ ବିସ୍ଫୋରକ ବୟାନ ରଖିଥିଲେ । ସେ କହିଥିଲେ, ବିଜେଡି ପୁଣି ସରକାରକୁ ଫେରିବା ନେଇ ଯୋଜନା କରୁଛି । କଂଗ୍ରେସକୁ ସାଥିରେ ନେଇ ବିଜେଡି ସରକାର ଗଢ଼ିବ ଏବଂ ସ୍ଵାଧୀନ ବିଧାୟକ ସମର୍ଥନ କରିବେ ବୋଲି କହିଥିଲେ ଅତନୁ । ଗଣିତ ବି କହିଥିଲେ ଅତନୁ । ବିଜେଡିର ସଂଖ୍ୟା ୫୧ । କଂଗ୍ରେସର ୧୪, ସ୍ଵାଧୀନ ୩ ଓ ଅବଶିଷ୍ଟ ୧୦ ବିଧାୟକ ଯୋଗାଡ ହୋଇଯିବ ।
ଅତନୁଙ୍କ ଏଭଳି ମନ୍ତବ୍ୟ ପରେ ଏବେ ପ୍ରଶ୍ନ ଉଠୁଛି ୟେ କଂଗ୍ରେସ ଓ ବିଜେଡି ଭିତରେ କ’ଣ ଏନେଇ କୌଣସି ଚର୍ଚ୍ଚା ଚାଲିଛି କି । ଅଣ କଂଗ୍ରେସ ରାଜନୀତିରୁ ଆରମ୍ଭ ହୋଇଥିବା ବିଜେଡି କ’ଣ କ୍ଷମତାକୁ ଆସିବା ପାଇଁ କଂଗ୍ରେସକୁ ସାଥିରେ ନେବ । କଂଗ୍ରେସ ବିଜେଡି ଏକ ହେଲେ ବି ସଂଖ୍ୟା ହେଉନି । ବାକି ୧୦ ବିଜେପି ବିଧାୟକଙ୍କ ସମର୍ଥନ ଦରକାର । ତାହାଲେ ବିଜେପିରୁ ୧୦ ବିଧାୟକ ନିଜପକ୍ଷକୁ ନେବାରେ କ’ଣ ସକ୍ଷମ ହେବ ବିଜେଡି । ଏସବୁ ପ୍ରଶ୍ନକୁ ନେଇ ଜୋର ଧରିଛି ରାଜନୀତି ।
କଂଗ୍ରେସ ବିଧାୟକ ମଙ୍ଗୁ ଖିଲ ବିସ୍ଫୋରକ ବୟାନ ରଖିଥିଲେ । ସେ କହିଥିଲେ, ରାଜ୍ୟରେ ଚାଲିଛି ଅସ୍ଥିର ସରକାର l କେତେବେଳେ ବି ଭାଙ୍ଗିଯାଇପାରେ ବିଜେପି ସରକାର l ବିଜେଡି ବଡ ଷ୍ଟ୍ରାଟେଜି କରିଛି l ଆମେ ୧୪ ଜଣ ବିଧାୟକ ଅଛୁ l ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ l ରାଜନୀତିରେ କିଛି ବି ହୋଇପାରେ ବୋଲି ମଙ୍ଗୁ ଖିଲ କହିଥିଲେ ।