ବ୍ରହ୍ମପୁର ୨୫।୧: ଷ୍ଟଡ଼ି ଟୁର୍ରେ ଆସି ସମୁଦ୍ରରେ ଭାସିଗଲେ ଛାତ୍ର । କଲେଜ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ କରିଛନ୍ତି ପରିବାର ଲୋକେ । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଗୋପାଳପୁର ଥାନା ଅନ୍ତର୍ଗତ ଧବଳେଶ୍ବରରୁ ।
ସୂଚନାଯୋଗ୍ୟ ଯେ, ଶୁକ୍ରବାର ଖୋର୍ଦ୍ଧା ସ୍ଥିତ ପ୍ରାଣନାଥ ମହାବିଦ୍ୟାଳୟର ଇଲୋକ୍ଟ୍ରୋନିକ୍ସ ବିଭାଗର ପ୍ରାୟ ୫୦ଜଣ ଛାତ୍ରଛାତ୍ରୀ ଧବଳେଶ୍ବର ଯାଇଥିଲେ । ସେଠାରେ ମନ୍ଦିରରେ ଦର୍ଶନ କରିବା ପରେ କିଛି ଛାତ୍ର ଧବଳେଶ୍ବର ସମୁଦ୍ରରେ ଗାଧୋଉଥିବା ବେଳେ ସେଥିମଧ୍ୟରୁ ସୋମନାଥ ପରିଡ଼ା ସମୁଦ୍ରରେ ବୁଡ଼ିଯାଇଥିଲେ । ସୋମାନଙ୍କ ସାଙ୍ଗ ମାନେ ତାଙ୍କୁ ଉଦ୍ଧାର କରିବା ନିମନ୍ତେ ପ୍ରଚେଷ୍ଟା କରିଥିଲେ ସୁଦ୍ଧା ବିଫଳ ହୋଇଥିଲେ । ଦୀର୍ଘ ସମୟ ପରେ ମତ୍ସ୍ୟଜୀବୀଙ୍କ ଦ୍ବାରା ସମୁଦ୍ରରୁ ସୋମନାଥ ଉଦ୍ଧାର ହୋଇଥିବା ବେଳେ ତାଙ୍କୁ ବ୍ରହ୍ମପୁର ଏମ୍କେସିଜି ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସୋମନାଥଙ୍କ ମୃତ୍ୟୁ ହେବା ପରେ କଲେଜ ପକ୍ଷରୁ ତାଙ୍କ ପରିବାର ଲୋକଙ୍କୁ ଅବଗତ କରାଯାଇଥିଲା । ଏହାପରେ ପରିବାର ଲୋକେ ଏମକେସିଜି ମେଡ଼ିକାଲରେ ପହଞ୍ଚିବା ପରେ ସୋମନାଥଙ୍କ ମୃତଦେହକୁ ବ୍ୟବଚ୍ଛେଦ କରାଯାଇଥିଲା ।
ତେବେ ସୋମନାଥଙ୍କ ଏଭଳି ମୃତ୍ୟୁକୁ ସହଜରେ ଗ୍ରହଣ କରିନାହାନ୍ତି ପରିବାର ଲୋକେ । କଲେଜ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ହିଁ ସୋମନାଥଙ୍କ ମୃତ୍ୟୁ ହୋଇଥିବା ପରିବାରବର୍ଗ ଅଭିଯୋଗ ଆଣିଛନ୍ତି । ତେବେ ଷ୍ଟଡ଼ି ଟୁର୍ରେ ସମୁଦ୍ରକୁ ଯିବା କଥା ନେଇ ତାଙ୍କ ପରିବାର ଲୋକଙ୍କୁ ଜଣାଯାଇନଥିଲା । ଯଦି ସମୁଦ୍ରକୁ ଯିବାର ଥାନ୍ତା ତେବେ ପରିବାର ଲୋକେ ସୋମନାଥଙ୍କୁ ଷ୍ଟଡ଼ିଟୁରରେ ଛାଡ଼ିନଥାନ୍ତେ । ଏହାଛଡ଼ା ଛାତ୍ର ମାନଙ୍କୁ ଷ୍ଟଡ଼ି ଟୁର୍ ବାଧ୍ୟତାମୂଳକ କରାଯାଇଥିଲା । ଷ୍ଟଡ଼ି ଟୁର୍ରେ ନଗଲେ ମାର୍କ ଦିଆଯିବ ନାହିଁ ବୋଲି କହିଥିଲେ କଲେଜ କର୍ତ୍ତୃପକ୍ଷ । ତେଣୁ ସୋମନାଥଙ୍କ ମୃତ୍ୟୁ ପଛରେ କଲେଜ କର୍ତ୍ତୃପକ୍ଷଙ୍କ ଅବହେଳା ରହିଥିବା ଯୋଗୁଁ ଛାତ୍ରଛାତ୍ରୀଙ୍କୁ ଧବଳେଶ୍ବର ନେଇ ଯାଇଥିବା ୩ କଲେଜ ଅଧ୍ୟାପକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିଆଯାଉ ବୋଲି ଦାବି କରିଛନ୍ତି ସୋମନାଥଙ୍କ ମାମୁଁ ।
ସେପଟେ କୌଣସି ଛାତ୍ରଛାତ୍ରୀଙ୍କୁ ଷ୍ଟାଡ଼ି ଟୁର୍ ବାଧ୍ୟତାମୂଳକ କରାଯାଇନଥିଲା । ଛାତ୍ରମାନେ ବିନା ଅନୁମତିରେ ଲୁଚି ଲୁଚି ସମୁଦ୍ରକୁ ଗାଧୋଇବାକୁ ଯାଇଥିଲେ ବୋଲି କଲେଜର ଅଧ୍ୟାପକ କହିଛନ୍ତି । ସୋମନାଥଙ୍କ ପରିବାର ଲୋକଙ୍କ ଅଭିଯୋଗକୁ ଆଧାର କରି ଗୋପାଳପୁର ଥାନାରେ ଏକ ମାମଲା ରୁଜୁ ହୋଇଛି । ତଦନ୍ତ ପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ବ୍ରହ୍ମପୁର ଏସ୍ପି ।
You Can Read:
‘ଉତ୍କର୍ଷ ଓଡ଼ିଶା’ ଜରିଆରେ ଅଧିକ ପୁଞ୍ଜି ଆଣି ଶିଳ୍ପାୟନ ଗତି ତ୍ବରାନ୍ବିତ କରିବାକୁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର