‘ଉତ୍କର୍ଷ ଓଡ଼ିଶା’ ଜରିଆରେ ଅଧିକ ପୁଞ୍ଜି ଆଣି ଶିଳ୍ପାୟନ ଗତି ତ୍ବରାନ୍ବିତ କରିବାକୁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର

Published By : Prameya-News7 Bureau | January 25, 2025 IST

ଭୁବନେଶ୍ବର ୧: ନୂଆ ସରକାର ଶିଳ୍ପକୁ ରଖିଛନ୍ତି ଫୋକସରେ  । ଆସନ୍ତା ୨୮ ଓ ୨୯ ରେ ଆୟୋଜିତ ହେବାକୁ ଯାଉଛି ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମ । ଆସିବେ ଆଦାନୀ, ବିର୍ଲା, ଜିନ୍ଦଲ, ମିତ୍ତଲ । ଯୋଗଦେବେ ୧୬ ଦେଶର ବିଜନେସ୍ ଟାଇକୁନ୍ । ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମ ଆଉ ଦୁଇଦିନ ବାକି ଥିବାବେଳେ ଦେଶ ବିଦେଶର ବଡ଼ ବଡ଼ ଶିଳ୍ପପତି କିଭଳି ଓଡ଼ିଶା ଆସି ପୁଞ୍ଜି ନିବେଶ କରିବେ ତା ପାଇଁ ମେଗା ଆୟୋଜନ କରୁଛି ଓଡ଼ିଶା । ଏଲ୍ ଏନ୍‌ ମିତ୍ତଲ, କୁମାର ମଙ୍ଗଲମ ବିର୍ଲା, ଅନିଲ ଅଗ୍ରୱାଲ, ସଜନ ଜିନ୍ଦଲ, ନବୀନ ଜିନ୍ଦଲ, କରନ ଆଦାନୀ, ଟି.ଭି ନରେନ୍ଦ୍ରନଙ୍କ ଭଲି ପ୍ରମୁଖ ଓ ବଡବଡ ଶିଳ୍ପପତି ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି । 

ଏହାସହ ସିଙ୍ଗାପୁର, ମାଲେସିଆ, ଅଷ୍ଟ୍ରେଲିଆ, ଭିଏତନାମ , ଇଟାଲୀ, ବେଲାରୁସ, ଇଂଲଣ୍ଡ ଭଳି ୧୬ ଟି ରାଷ୍ଟ୍ରର ୧୦୦ ରୁ ଅଧିକ ପ୍ରତିନିଧି ଏଥିରେ ଯୋଗଦେବେ । ୭୫୦୦ ଶିଳ୍ପ ପ୍ରତିନିଧି ବି ଏଥିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଭାରତର ଶିଳ୍ପ ବିପ୍ଲବର ନେତୃତ୍ବ କିଭଳି ଓଡ଼ିଶା ନେଇପାରିବ ସେନେଇ ମୋହନ ସରକାର ପ୍ରସ୍ତୁତ ହେଉଛନ୍ତି । ଏହି କାର୍ଯ୍ୟକ୍ରମ ଜରିଆରେ ଓଡିଶାକୁ ୫ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ଆଣିବା ଟାର୍ଗେଟ୍‌ ରହିଛି ।

ବିଜେପି ସରକାର କ୍ଷମତାକୁ ଆସିବାର ୭ ମାସ ମଧ୍ୟରେ ୧୫୯ ଶିଳ୍ପକୁ ଅନୁମୋଦନ ଦେଇସାରିଛନ୍ତି । ଏହା ମାଧ୍ୟମରେ ୨ ଲକ୍ଷ ୭୫ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ଆସିଛି ଓଡ଼ିଶା । ଯାହାକି ୨ ଲକ୍ଷ ୧୫ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି  କରିଛି । ଶୁକ୍ରବାର ମଧ୍ୟ ପ୍ରାୟ ୩୩ ହଜାର କୋଟି ଟଙ୍କାର ପୁଞ୍ଜିନିବେଶକୁ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ମିଳିଛି । ତେଣୁ ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମ ଜରିଆରେ ରାଜ୍ୟକୁ ଅଧିକ ପୁଞ୍ଜି ଆଣି ଶିଳ୍ପାୟନ ଗତି ତ୍ବରାନ୍ବିତ କରିବାକୁ ଅଣ୍ଟା ଭିଡିଛନ୍ତି ନୂଆ ବିଜେପି ସରକାର ।

ଆସନ୍ତା ୨୮ ତାରିଖରେ ଉତ୍କର୍ଷ ଓଡ଼ିଶା କନକ୍ଲେଭକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଫର୍ଚ୍ୟୁନ୍-୫୦୦ ତାଲିକାରେ ସାମିଲ ୧୦୦ କମ୍ପାନୀର ପ୍ରତିନିଧି ଏହି କନକ୍ଲେଭରେ ସାମିଲ ହେବେ ।  ଏଥର କନକ୍ଲେଭରେ ଆଇଟି, ଅକ୍ଷୟ ଶକ୍ତି, ବୟନଶିଳ୍ପ, କେମିକାଲସ୍ ଓ ଫୁଡ ପ୍ରୋସେସିଂ ଭଳି କ୍ଷେତ୍ରକୁ ଅଧିକ ପ୍ରାଥମିକତା ଦେବାକୁ ନିଷ୍ପତ୍ତି ହୋଇଛି । ଷ୍ଟାର୍ଟ ଅପ୍ ଓଡିଶା, ସ୍କିଲଡ୍‌ ଇନ ଓଡିଶା, ୱିମେନ୍ ଏଣ୍ଟରପ୍ରିନ୍ୟୁର, MSME  ଆଦି ଉପରେ ସେମିନାର ଆୟୋଜିତ ହେବ । ବଡ ବଡ କମ୍ପାନୀର CEO ମାନଙ୍କର ଗୋଲ ଟେବୁଲ ବୈଠକ, ମହିଳା ଉଦ୍ୟୋଗୀଙ୍କ ବୈଠକ ଆୟୋଜିତ ହେବାର କାର୍ଯ୍ୟକ୍ରମ ବି ରହିଛି ।

ପ୍ରଥମ ଦିନରେ ୫ଟି ଓ ଦ୍ବିତୀୟ ଦିନରେ ୧୦ଟି ଅଧିବେଶନ ଅନୁଷ୍ଠିତ ହେବ । ଉତ୍କର୍ଷ ଓଡ଼ିଶା କନକ୍ଲେଭର ଉଦଯାପନୀ ସମାରୋହରେ ପ୍ରତ୍ୟେକ ଜିଲ୍ଲାରୁ ୨ ଜଣ ଲେଖାଏଁ  ଯୁବ ଉଦ୍ୟୋଗୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବର୍ଦ୍ଧିତ କରିବେ । ଓଡିଶାକୁ ବିଶ୍ବରେ ପରିଚୟ କରିବାକୁ ସାଂସ୍କୃତିକ କାର୍ଯ୍ୟକ୍ରମ, ଲେଜର ସୋ’ ଆଦି ଆୟୋଜିତ ହେବ । ୩୦ ତାରିଖ ଦିନ ସର୍ବସାଧାରଣଙ୍କ ପାଇଁ ଖୋଲିବ ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମ ।

You Can Read:

IMS ଆଣ୍ଡ ସମ୍ ହସ୍ପିଟାଲ-୩ ପକ୍ଷରୁ ମାଗଣା ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ, ଏଭଳି ପ୍ରୟାସକୁ ପ୍ରଶଂସା କରି ଧନ୍ୟବାଦ ଜଣାଇଲେ ଅଞ୍ଚଳବାସୀ

 

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.