କ୍ୟାରମ୍ ଖେଳ ଗଣ୍ଡଗୋଳରୁ ଉତ୍‌କ୍ଷିପ୍ତ ହୋଇ ହତ୍ୟା କରିଥିଲେ ଅଭିଯୁକ୍ତ, ବନ୍ଧୁକକୁ ନେଇ ଖୋଳତାଡ଼ କରୁଛି ପୋଲିସ

Published By : Prameya-News7 Bureau | March 16, 2025 IST

କଟକ ୧୬।୩: ବେଶ୍ ଧୁମ୍‌ଧାମ୍‌ରେ ହୋଲି ପାଳନ ହେଉଥିଲା । ସମସ୍ତେ ହୋଲି ରଙ୍ଗରେ ଓ ନିଜ ନିଜ ମଧ୍ୟରେ ଖୁସି ମନାଇବାରେ ବ୍ୟସ୍ତ ଥିବାବେଳେ ଅପରାହ୍ନ ସମୟରେ କଟକ ସହର ଉପକଣ୍ଠ ବୟାଳିଶ ମୌଜା ଶ୍ରୀକୃଷ୍ଣ ବିହାର ଅଞ୍ଚଳରେ ଥିବା ଏକ ଘରେ ଫୁଟିଥିଲା ଗୁଳି । ଏହି ଗୁଳିରେ ଟଳି ପଡ଼ିଥିଲେ ଜଗତସିଂପୁର ଅଞ୍ଚଳର ୩୭ ବର୍ଷୀୟ ଯୁବକ ବିକାଶ ମହାନ୍ତି । ବିକାଶ ପେଶାରେ ଜଣେ ମୋଟର ପାର୍ଟସ୍ ବ୍ୟବସାୟୀ ଥିବା ବେଳେ ଶନିବାର ସାଙ୍ଗମାନଙ୍କ ସହ ଭୋଜି ଖାଇବା ପାଇଁ ଶ୍ରୀକୃଷ୍ଣ ବିହାର ଯାଇଥିଲେ । ହେଲେ ସେଠାରେ ସାଙ୍ଗ ମାନଙ୍କ ମଧ୍ୟରେ ଗଣ୍ଡଗୋଳ କାରଣରୁ କେନ୍ଦ୍ରାପଡ଼ା ଅଞ୍ଚଳର ପ୍ରକାଶ ବିକାଶଙ୍କୁ ଗୁଳି କରି ହତ୍ୟା କରିଥିଲେ । ଏହାପରେ ବୟାଳିଶ ମୌଜା ଥାନା ପୋଲିସ, କଟକ ଡିସିପି ଓ ଅନ୍ୟ ଅଧିକାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ କରିଥିଲେ । ଏହି ସମୟରେ ସେଠାରେ ହତ୍ୟା ଅଭିଯୁକ୍ତ ପ୍ରକାଶକୁ ଉଠାଇ ନେଇଥିଲା ପୋଲିସ । କଟକ ଏସସିବିରେ ମୃତକ ବିକାଶଙ୍କ ଶରୀର ବ୍ୟବଚ୍ଛେଦ କରାଯାଇଛି । ପରିବାର ଲୋକଙ୍କ ମଧ୍ୟରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ବିକାଶ ବିବାହିତ ଥିଲେ ତାଙ୍କର ୪ ବର୍ଷର ପୁଅ ଅଛି । ଏହାସହ ଜଣେ ବ୍ୟବସାୟୀ ଥିଲେ ଏଥିପାଇଁ ଯୋଜନା ବଦ୍ଧ ଭାବେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ଏହାସହ ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ।

ଅନ୍ୟପଟେ ଅଭିଯୁକ୍ତ ପ୍ରକାଶ ସୂତାରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କମିଶନରେଟ୍ ପୋଲିସ । କ୍ୟାରମ ଖେଳ ସମୟରେ  ହୋଇଥିବା ଗଣ୍ଡଗୋଳ ଯୋଗୁ ଉତକ୍ଷିପ୍ତ ହୋଇ ବିକାଶଙ୍କ ମୁଣ୍ଡକୁ ପ୍ରକାଶ ଗୁଳି କରିଥିବା କଥା କହିଛି ପୋଲିସ । ପ୍ରକାଶ, ବିକାଶ ଓ ଅନ୍ୟମାନେ ସେଠାରେ ଭୋଜି ଭାତ ଓ ନିଶା ସେବନ କରିଥିଲେ । ବଚସା ବେଳେ ପ୍ରକାଶ ହଠାତ ବନ୍ଧୁକରୁ ଗୁଳି ଚଳାଇଥିଲେ । ପ୍ରକାଶ ବ୍ୟବହାର କରିଥିବା ବନ୍ଧୁକ ଭୁବନେଶ୍ୱରର ଜଣେ ଅପରାଧୀଙ୍କ ନିକଟରୁ ଆଣି ନିଜ ଗାଁ କେନ୍ଦ୍ରାପଡ଼ା ଓ ପରେ କଟକ ଶ୍ରୀକୃଷ୍ଣ ବିହାରରେ ରଖିଥିଲା । ପ୍ରକାଶ କେଉଁଠାରୁ ବନ୍ଧୁକ ଆଣିଥିଲା ଓ ହତ୍ୟା ଘଟଣାରେ ଆଉ କିଛି ଦିଗ ରହିଛି କି ସେଥିପାଇଁ ପ୍ରକାଶକୁ ରିମାଣ୍ଡରେ ଆଣିବା ପାଇଁ ପୋଲିସ ପ୍ରୟାସ କରିବ ବୋଲି କଟକ ଡିସିପି ଋଷିକେଶ ଦାନଦେଓ ଖିଲାରୀ ସୂଚନା ଦେଇଛନ୍ତି ।

You Can Read: 

ହୋଲିରେ ହତ୍ୟାକାଣ୍ଡକୁ ନେଇ ବର୍ଷିଲେ ବିରୋଧୀ, ବିଜେପି କହିଲା- ପୂର୍ବରୁ ଅପରାଧୀଙ୍କୁ ଧରିବାକୁ ସମୟ ଲାଗୁଥିଲା ଏବେ ୨୪ଘଣ୍ଟାରେ ଧରାପଡ଼ି କାର୍ଯ୍ୟାନୁଷ୍ଠାନ

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.