ହୋଲିରେ ହତ୍ୟାକାଣ୍ଡକୁ ନେଇ ବର୍ଷିଲେ ବିରୋଧୀ, ବିଜେପି କହିଲା- ପୂର୍ବରୁ ଅପରାଧୀଙ୍କୁ ଧରିବାକୁ ସମୟ ଲାଗୁଥିଲା ଏବେ ୨୪ଘଣ୍ଟାରେ ଧରାପଡ଼ି କାର୍ଯ୍ୟାନୁଷ୍ଠାନ

Published By : Prameya-News7 Bureau | March 16, 2025 IST

ଭୁବନେଶ୍ବର ୧୬।୩: ରାଜ୍ୟରେ ଆଇନ ଶୃଙ୍ଖଳାକୁ ନେଇ ବିରୋଧୀ ସରକାରଙ୍କୁ ଘେରିଥିବା ବେଳେ ସରକାର ବି ଏହାର ଜବାବ ଦେଇଛନ୍ତି । ହୋଲିରେ ରାଜଧାନୀର ବିଭିନ୍ନ ସ୍ଥାନରେ ହତ୍ୟାକାଣ୍ଡକୁ ତିନି ପ୍ରମୁଖ ଦଳର ବରିଷ୍ଠ ନେତା ପ୍ରତିକ୍ରିୟା ରଖିଛନ୍ତି । ବିଜେଡି ବରିଷ୍ଠ ନେତା ତଥା ବିଧାୟକ ଅରୁଣ ସାହୁ କହିଛନ୍ତି ସରକାର ବହୁତ ନାରାବାଜି କରିଥିଲେ ହୋଲିରେ ଶାନ୍ତି ଶୃଙ୍ଖଳା ରଖିବେ ବୋଲି । ହେଲେ ରାଜ୍ୟବ୍ୟାପୀ ୫ଟି ହତ୍ୟାକାଣ୍ଡ ହେବା ସହ ଅନେକ ହିଂସାକାଣ୍ଡରେ ଲୋକେ ଆହତ ହୋଇଛନ୍ତି । ମହାନଗର ନିଗମରେ ମହାମର୍ଡର ଓ ସ୍ମାର୍ଟ ନଗରରେ ସ୍ମାର୍ଟ ମର୍ଡର ହୋଇଛି । ସରକାର ନିଦ୍ରାରେ ଅଛନ୍ତି ବୋଲି ଅରୁଣ କହିଛନ୍ତି । ଶହ ଶହ ହତ୍ୟା ଏହି ୯ ମାସରେ ହେଲାଣି । ଅପରାଧୀ ଏହି ସରକାର ସମୟରେ ଅପରାଧ ଘଟାଉଛନ୍ତି । ସରକାର ଶକ୍ତ ହୁଅନ୍ତୁ ବୋଲି ଅରୁଣ କହିଛନ୍ତି । 

ସେପଟେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି, ୮ ମାସର ସରକାର ଆଇନ ଶୃଙ୍ଖଳାକୁ ବିପର୍ଯ୍ୟସ୍ତ କରିଦେଇଛି । ହୋଲିରେ ହତ୍ୟାକାଣ୍ଡ ହେଉଛି । ଭୁବନେଶ୍ୱର ଭଳି ସିଟି ଯାହା ହାଇ ସିକ୍ୟୁରିଟିରେ ରହୁଛି ବୋଲି କୁହାଯାଏ ସେଠି ବି ହତ୍ୟା ହେଲା । ମା’ ମାନେ ଏଠି ଅସୁରକ୍ଷିତ, ଶିଶୁ ମା’ ହେଉଛନ୍ତି । ସରକାର ନାରୀ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ ଆଣିବା ସହ ମୁଖ୍ୟମନ୍ତ୍ରୀ ନାରୀ ସୁରକ୍ଷା ପାଇଁ ଗୃହରେ ପ୍ରତିଶୃତି ଦେବା ଦରକାର । ଏହା ନ ହେବା ଯାଏଁ କଂଗ୍ରେସର ପ୍ରତିବାଦ ଜାରି ରହିବ । ସୋମବାର ବି କଂଗ୍ରେସ ବିଧାନସଭା ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ ଆନ୍ଦୋଳନ ଜାରି ରଖିବ ବୋଲି କାଡାମ୍ କହିଛନ୍ତି ।

ସେପଟେ ବିଜେପି ବିଧାୟକ ବାବୁ ସିଂ କହିଛନ୍ତି ଆଇନ ଶୃଙ୍ଖଳା ସମସ୍ତଙ୍କ ଚିନ୍ତାର ବିଷୟ । ଗତକାଲି ଘଟଣା ସବୁ ଚିନ୍ତାଜନକ । ଛୋଟ ଛୋଟ କଥାରେ ଲୋକ ମାନସିକତା ହରାଉଛନ୍ତି । କିଛି ବଡ଼ କଥାରୁ ନୁହେଁ ବରଂ ସାମାନ୍ୟ କଥାରୁ ଯୁବକମାନେ ବିଭିନ୍ନ କାର୍ଯ୍ୟକ୍ରମରେ ଏପରି କରୁଛନ୍ତି । ଆଇନ ଶୃଙ୍ଖଳା ହାତକୁ ନେଲେ ୨୪ ଘଣ୍ଟାରେ ଧରା ପଡ଼ୁଛନ୍ତି । ୧୦ ମାସର ସରକାର । ଲୋକେ କିପରି ନ୍ୟାୟ ପାଇବେ, ସରକାର ପ୍ରତିଶୃତିବଦ୍ଧ । ବିରୋଧୀଙ୍କ ଅଭିଯୋଗ ନେଇ ଗୋଟେ କଥା ଯେ, ବିଗତ ୨୪ ବର୍ଷରେ ସରକାରୀ ଦଳର ଲୋକ ମାନେ ଅପରାଧ ଘଟାଉଥିଲେ, ଏ ସରକାରରେ ସେପରି କୌଣସି ଘଟଣା ଘଟିବ ନାହିଁ । ବିଜେପି ଏପରି ଘଟଣାରେ ନାହିଁ । ବିଜେପିର କୌଣସି କାର୍ଯ୍ୟକର୍ତ୍ତା ଏହା ପଛରେ ରହିବେ ନାହିଁ । ଯଦି ଥିବେ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦୃଢ କାର୍ଯ୍ୟାନୁଷ୍ଠାନ ନେବେ । ବିଗତ ସରକାରରେ ଅପରାଧୀଙ୍କୁ ଧରିବାକୁ ସମୟ ଲାଗୁଥିଲା । ଏହି ସରକାରରେ ୨୪ ଘଣ୍ଟାରେ ଅପରାଧୀ ଧରାପଡ଼ି କାର୍ଯ୍ୟାନୁଷ୍ଠାନର ବ୍ୟବସ୍ଥା କରାଯାଉଛି । କଂଗ୍ରେସ ସମୟରେ ଛବି ରାଣୀ, ଅଞ୍ଜନା ମିଶ୍ରଙ୍କ ପରି ନାରୀ ନିର୍ଯାତନା ଘଟୁଥିଲା । ଏପରି କାଣ୍ଡ କରି ନିର୍ଭୟରେ ଅପରାଧୀ ବୁଲୁଥିଲେ । କଂଗ୍ରେସ ସେମାନଙ୍କ ପଛରେ ରହୁଥିଲା । ବିଜେଡି ସମୟରେ ପରୀ, ନବ ଦାସ ହତ୍ୟା ଘଟିଲା । ଏଥିରେ ବିଜେଡି ନେତା ପଛରେ ଥିଲେ । ସାଧାରଣ ଲୋକଙ୍କ ଆସ୍ଥା ଓ ବିଶ୍ୱାସରେ ଏ ସରକାର ଆସିଛି ବୋଲି ବିଜେପି ବିଧାୟକ କହିଛନ୍ତି ।

You Can Read: 

୪୧.୮ ଡିଗ୍ରୀ ତାପମାତ୍ରା ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ, ରାଉରକେଲା ଓ ସମ୍ବଲପୁରରେ ୩୯ ପାର୍ କଲା ପାରଦ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.