ଏସିଆ କପ୍ ୨୦୨୫ ପାଇଁ ଆଫଗାନିସ୍ତାନ ଟିମ୍ ଘୋଷଣା, ରଶିଦ ଅଧିନାୟକ

Published By : Prameya-News7 Bureau | August 24, 2025 IST

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୫ ପାଇଁ ଆଫଗାନିସ୍ତାନ ରବିବାର ଦଳ ଘୋଷଣା କରିଛି। ଘୋଷିତ ୧୭ ଜଣିଆ ଦଳରେ ରଶିଦ ଖାନଙ୍କୁ ଦଳର ଅଧିନାୟକ ଦାୟିତ୍ଵ ଦିଆଯାଇଛି। ରିଜର୍ଭ ଖେଳାଳି ଭାବେ ତିନି ଜଣଙ୍କୁ ସ୍ଥାନ ମିଳିଛି। ଦଳରେ ଅନୁଭବୀ ଖେଳାଳି ମହମ୍ମଦ ନବିଙ୍କ ସମେତ ଅନେକ ଯୁବ ଖେଳାଳିଙ୍କୁ ସ୍ଥାନ ମିଳିଛି। ଦଳରେ ଭରପୂର ସ୍ପିନର ରହିଛନ୍ତି। କାରଣ ୟୁଏଇର ପିଚ୍ ସ୍ପିନରଙ୍କୁ ବେଶ ସୁହାଇଥାଏ। 

ଆଫଗାନିସ୍ତାନର ଦଳରେ ସ୍ପିନର ରୂପେ ଅଧିନାୟକ ରଶିଦ ଖାନଙ୍କ ବ୍ୟତୀତ ମହମ୍ମଦ ନବି, ମୁଜିବ ଉର ରେହମାନ, ଆଲ୍ଲା ଗଜନଫର, ନୂର ଅହମ୍ମଦ ଓ ଶରାଫୁ୍‌ଦ୍ଦିନ ଅଶ୍ରଫଙ୍କ ନାଁ ସାମିଲ। ଏହି ପରି ୧୭ ଜଣିଆ ଦଳରେ ଛଅ ଜଣ ସ୍ପିନର ରହିଛନ୍ତି। ଏହା ବାଦ୍ ରିଜର୍ଭ ଖେଳାଳିଙ୍କ ମଧ୍ୟରେ ସ୍ପିନର ନ୍ୟାଙ୍ଗାଲ ଖରୋଟେଙ୍କୁ ସାମିଲ୍ କରାଯାଇଛି। ସ୍ପିନ ବୋଲରଙ୍କ ଭରସାରେ ଆଫଗାନିସ୍ତାନ ଟିମ୍ ଏସିଆ କପରେ ଶକ୍ତିଶାଳୀ ଦଳକୁ ଟକ୍କର ଦେବାକୁ ପ୍ରସ୍ତୁତି କରୁଛି। 




ସୂଚନାଯୋଗ୍ୟ, ୨୦୨୫ ଏସିଆ କପ୍ ସେପ୍ଟେମ୍ବର ୯ରୁ ଆରମ୍ଭ ହେବ। ଏହାର ଫାଇନାଲ ମ୍ୟାଚ୍  ସେପ୍ଟେମ୍ବର ୨୮ରେ ଖେଳାଯିବ। ଏଥର ଏସିଆ କପରେ ମୋଟ ଆଠଟି ଦଳ ଅଂଶଗ୍ରହଣ କରିବେ। ଏହି ଦଳଗୁଡ଼ିକୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯାଇଛି। ୨୦୨୫ ଏସିଆ କପ୍ ର ମ୍ୟାଚ୍ ଆବୁଧାବି ଏବଂ ଦୁବାଇରେ ଖେଳାଯିବ। ଟିମ୍ ଇଣ୍ଡିଆ ୧୦ ସେପ୍ଟେମ୍ବରରେ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ମ୍ୟାଚ୍ ଖେଳିବ। ଗ୍ରୁପ ଏରେ ଭାରତ, ପାକିସ୍ତାନ, ଓମାନ ଓ ୟୁଏଇ ଥିବା ବେଳେ ଗ୍ରୁପ ବିରେ ରହିଛନ୍ତି ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ତାନ ଓ ହଂକଂ।

ଆଫଗାନିସ୍ତାନ ଟିମ୍

ରଶିଦ ଖାନ(ଅଧିନାୟକ), ରହମାନୁଲ୍ଲା ଗୁରବାଜ, ଇବ୍ରାହିମ ଜାରଦାନ, ଦରବିଶ ରସୁଲି, ସେଦିକୁଲ୍ଲା ଅଟଲ, ଅଜମତୁଲ୍ଲା ଉମରଜାଇ, କରିମ ଜନତ, ମହମ୍ମଦ ନବି, ଗୁଲବଦିନ ନାଏବ, ଶରାଫୁ୍‌ଦ୍ଦୀନ ଅଶରଫ, ମହମ୍ମଦ ଇଶାକ, ମୁଜିବ ଉର ରେହମାନ, ଆଲ୍ଲା ଗଜନଫର, ନୂର ଅହମ୍ମଦ, ଅହମ୍ମଦ ମଲିକ, ନବୀନ ଉଲ ହକ ଓ ଫଜଲହକ ଫାରୁକି।

ରିଜର୍ଭ ଖେଳାଳି- ଓ୍ଵାଫିଉଲ୍ଲା ତାରଖିଲ, ନ୍ୟାଙ୍ଗାଲ ଖରୋଟେ ଓ ଅବଦୁଲ୍ଲା ଅହମ୍ମଦଜଇ 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.