ଭୁବନେଶ୍ୱର ୨୪।୦୮ : ବିଜେଡି ସୁପ୍ରିମୋକୁ ଭେଟିଲେ ଦୁଇ ରାଜ୍ୟସଭା ସାଂସଦ । ନବୀନ ନିବାସରେ ଯାଇ ବିଜେଡି ସୁପ୍ରିମୋଙ୍କୁ ଭେଟିଲେ ସୁଲତା ଦେଓ ଏବଂ ନିରଞ୍ଜନ ବିଶି। କିଛି ସମୟ ନବୀନ ନିବାସରେ ବିତାଇବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ।
ତେବେ ଆଲୋଚନା ପରେ ସୁଲତା ଦେଓ କହିଛନ୍ତି ଯେ, ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଛୁ । ସେ ଆମକୁ ଦେଖି ଖୁସି ହେଲେ । ତାଙ୍କର ସ୍ୱାସ୍ଥ୍ୟ ସବୁବେଳେ ଭଲ ରହୁ । ତେବେ ଜଣଙ୍କ ଦେହ ଖରାପକୁ ନେଇ ରାଜନୀତି କରିବା ଠିକ୍ ନୁହେଁ। ଦେବାଶିଷ ସାମନ୍ତରାୟ କଣ କହୁଛନ୍ତି କଣ ନାହିଁ, ସେ କଥା ସେ କହିବେ । ନବୀନ ନିବାସରେ ସବୁ ବିଷୟରେ ଖବର ସମସ୍ତଙ୍କୁ ଦିଆଯାଉଛି । ସାଂସଦମାନଙ୍କୁ ମଧ୍ୟ ଜଣାଯାଇଛି । ଦଳର ସୁପ୍ରିମୋଙ୍କ ନିଷ୍ପତ୍ତି ହିଁ ଆମର ଶେଷ ନିଷ୍ପତ୍ତି ହେବ । ଉପରାଷ୍ଟ୍ରପତି ନିର୍ବାଚନରେ ସୁପ୍ରିମୋଙ୍କ ନିର୍ଦ୍ଦେଶରେ ହିଁ ଆମେ କାମ କରିବୁ ବୋଲି କହିଛନ୍ତି ସାଂସଦ ନିରଞ୍ଜନ ବିଶି ।
ତେବେ ଆଗାମୀ ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି କାହାକୁ ସମର୍ଥନ କରିବ । ଏବେ ଯାଏଁ ଅସ୍ପଷ୍ଟ ରହିଛି । ନା ଦଳ ପକ୍ଷରୁ କୌଣସି ନେତା କିଛି ସ୍ପଷ୍ଟ ବୟାନ ଦେଉଛନ୍ତି ନା ସୁପ୍ରିମୋ ଏବେ ଯାଏଁ କିଛି କହିଲେନି । ହେଲେ ନିକଟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ ଫୋନ୍ ଯୋଗେ କଥା ହୋଇଥିଲେ । ଉପରାଷ୍ଟ୍ରପତି ନିର୍ବାଚନରେ ଏନ୍ଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଜଣାଇବା ଉଦ୍ଦେଶ୍ୟରେ କଥା ହୋଇଥିଲେ ରାଜନାଥ ସିଂହ ।
ସୂଚନାଯୋଗ୍ୟ ଯେ, ଉପରାଷ୍ଟ୍ରପତି ପଦରୁ ଜଗଦୀପ ଧନଖଡ଼ ଇସ୍ତଫା ଦେଇଥିଲେ। ଇସ୍ତଫା ପରେ ଆରମ୍ଭ ହୋଇଥିଲା ନିର୍ବାଚନ ପ୍ରସ୍ତୁତି । ତେବେ ଏନ୍ଡିଏ ପକ୍ଷରୁ ସିପି ରାଧାକୃଷ୍ଣନଙ୍କୁ ପ୍ରାର୍ଥୀ କରିଥିବା ବେଳେ ଇଣ୍ଡି ମେଣ୍ଟ ବି. ସୁଦର୍ଶନଙ୍କୁ ପ୍ରାର୍ଥୀ କରିଛି । ସେପ୍ଟେମ୍ୱର ୯ରେ ଉପ-ରାଷ୍ଟ୍ରପତି ନିର୍ବାଚନ। ଏଥିପାଇଁ ଆସନ୍ତା ୭ ତାରିଖରେ ପ୍ରକାଶ ପାଇବ ବିଜ୍ଞପ୍ତି । ଅଗଷ୍ଟ ୨୧ ନାମାଙ୍କନର ଶେଷ ତାରିଖ । ଅଗଷ୍ଟ ୨୫ ତାରିଖ ନାମାଙ୍କନ ପ୍ରତ୍ୟାହାରର ଶେଷଦିନ। ସେପ୍ଟେମ୍ବର ୯ରେ ସକାଳ ୧୦ରୁ ସଂଧ୍ୟା ୫ ଯାଏଁ ଭୋଟ୍ ଗ୍ରହଣ କରାଯିବ ବୋଲି ବିଜ୍ଞପ୍ତିରେ ପ୍ରକାଶ ପାଇଛି। ୨୩୩ ରାଜ୍ୟସଭା ସାଂସଦ, ୧୨ ରାଜ୍ୟସଭା ମନୋନୀତ ସାଂସଦ ଏବଂ ୫୪୩ ଲୋକସଭା ସାଂସଦ ଉପରାଷ୍ଟ୍ରପତିଙ୍କ ନିର୍ବାଚନ ପାଇଁ ଭୋଟ ଦେବେ ।