ଦକ୍ଷିଣ ଭାରତରେ ବର୍ଷା ବିତ୍ପାତ, ଆନ୍ଧ୍ର ଓ ତେଲଙ୍ଗାନାରେ ୧୯ ମୃତ, ୧୪୦ ଟ୍ରେନ୍ ବାତିଲ୍

Published By : Prameya-News7 Bureau | September 02, 2024 IST

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ଅବପାତ ପ୍ରଭାବରେ ଦକ୍ଷିଣ ଭାରତରେ ବର୍ଷା ବିତ୍ପାତ । ପ୍ରବଳ ବର୍ଷାରେ ବେହାଲ ହୋଇଛି ଆନ୍ଧ୍ର ପ୍ରଦେଶ ଓ ତେଲଙ୍ଗାନା । ଦୁଇ ଦିନ ଲଗାଣ ବର୍ଷା ଯୋଗୁ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । କେତେକ ସ୍ଥାନରେ ଭୂସ୍ଖଳନ ହୋଇଥିବା ଚିତ୍ର ସାମ୍ନାକୁ ଆସିଛି । ଫଳରେ ଯାତାୟାତର ସମସ୍ୟା ଭୋଗୁଛନ୍ତି ଲୋକେ । ବନ୍ୟାଜଳର ପ୍ରଖର ସ୍ରୋତରେ ରାସ୍ତାଘାଟ, ରେଳ ଧାରଣା ଧୋଇ ହୋଇଯାଇଛି । କିଛି ସ୍ଥାନରେ ଟ୍ରେନ୍ ଲାଇନ୍ ପାଣିରେ ବୁଡ଼ି ରହିଛି । ଯାହାଫଳରେ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି । ଦୁଇ ରାଜ୍ୟରେ ପ୍ରାୟ ୧୪୦ଟି ଟ୍ରେନକୁ ବାତିଲ୍ କରାଯାଇଛି । ବିମାନ ସେବା ମଧ୍ୟ ବନ୍ଦ ରହିଛି । ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଛୁଟି ଘୋଷଣା କରାଯାଇଛି । 

ଦୁଇଟି ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ଜନିତ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୯ରେ ପହଞ୍ଚିଛି । ଲଗାଣ ବର୍ଷା ଯୋଗୁ ଆନ୍ଧ୍ର ପ୍ରଦେଶ ଓ ତେଲଙ୍ଗାନାର ୧୧୦ଟି ଗାଁ ପାଣି ଘେରରେ ରହିଛି ।  ଆନ୍ଧ୍ର ପ୍ରଦେଶର ବିଜୟଓ୍ବାଡ଼ା, ମଛଲିପଟନମ୍, ଗୁଡ଼ିବଡ଼ା, କାଇକାଲୁରୁ, ନାରସପୁରମ, ଆମରାବତୀ, ମଙ୍ଗଳଗିରି, ନନ୍ଦିଗାମ ଓ ଭୀମାଭରମରେ ବିଶେଷ ଭାବେ ପ୍ରଭାବିତ ହୋଇଛି । ସେହିପରି ପ୍ରବଳ ବର୍ଷା ଯୋଗୁ ତେଲଙ୍ଗାନାର ହାଇଦ୍ରାବାଦ ସମେତ ମେହବୁବାବାଦସ ନାରାୟଣପେଟ୍, ଖମାମ, ଅଦିଲବାଦ, ନିଜାମାବାଦ, କମାରେଡ୍ଡୀ ଜିଲ୍ଲା ବେହାଲ ହୋଇଛି । ପ୍ରଶାସନ ପକ୍ଷରୁ ପ୍ରାୟ ୧୭ ହଜାର ଲୋକଙ୍କୁ   ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରାଯାଇଛି । ବନ୍ୟା ବିତ୍ପାତ ପାଇଁ ପ୍ରାୟ ୨.୭୬ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି ।  

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆନ୍ଧ୍ର ପ୍ରଦେଶ ଓ ତେଲଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରି ବନ୍ୟା ସ୍ଥିତି ସମୀକ୍ଷା କରିଛନ୍ତି । ଖୁବ୍ ଶୀଘ୍ର ଦୁଇ ରାଜ୍ୟକୁ ଜରୁରୀକାଳୀନ ରିଲିଫ୍ ସାମଗ୍ରୀ ପଠାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଅନ୍ୟପଟେ ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ, ଏସଡିଆରଏଫ, ଅଗ୍ନିଶମ ବାହିନୀ, ପୋଲିସ ପ୍ରଶାସନ ଲାଗିପଡ଼ିଛନ୍ତି । ପଡୋଶୀ ରାଜ୍ୟରୁ ମଧ୍ୟ ରେସକ୍ୟୁ ଟିମ୍ ଦୁଇ ରାଜ୍ୟରେ ପହଞ୍ଚିଛନ୍ତି ।  

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.