ନୂଆଦିଲ୍ଲୀ: କଂଗ୍ରେସ ପାର୍ଟିର ମୁଖ୍ୟାଳୟ ଜାନୁଆରୀ ୧୫ ସକାଳ ୧୦ଟାରେ ଆନୁଷ୍ଠାନିକ ଭାବେ ନୂଆ ବିଲ୍ଡିଂକୁ ଶିଫ୍ଟ ହେବ । ଏହା ପୂର୍ବରୁ ୨୪ ଆକବର ରୋଡ୍ ସ୍ଥିତ କଂଗ୍ରେସ ମୁଖ୍ୟାଳୟରୁ କଂଗ୍ରେସ ପତାକାକୁ ଓହ୍ଲାଯାଇଛି । ୪୬ ବର୍ଷ ଧରି ଏହା କଂଗ୍ରେସର ମୁଖ୍ୟାଳୟ ଥିଲା । କଂଗ୍ରେସର ନୂଆ ଭବନ ଆଧୁନିକ ସୁବିଧାରେ ଭର୍ତ୍ତି ରହିଛି । ଏହାକୁ ସମ୍ପୂର୍ଣ୍ଣ ରୂପେ କର୍ପୋରେଟ୍ ଷ୍ଟାଇଲରେ ନିର୍ମାଣ କରାଯାଇଛି । କଂଗ୍ରେସର ନୂଆ ମୁଖ୍ୟାଳୟ ୬ ମହଲା ବିଶିଷ୍ଟ ।
ବୁଧବାର ସକାଳ ୧୦ଟାରେ କଂଗ୍ରେସ ମୁଖ୍ୟାଳୟକୁ ୯A କୋଟଲା ରୋଡ୍କୁ ଶିଫ୍ଟ କରାଯିବ । ୧୯୭୮ରେ ୨୪ ଆକବର ରୋଡ୍ ସ୍ଥିତ ଭେଙ୍କଟସ୍ୱାମୀଙ୍କ ଘରେ କଂଗ୍ରେସ ମୁଖ୍ୟାଳୟ ଖୋଲିଥିଲା । ଏହାପରଠୁ ପ୍ରାୟ ୪୬ ବର୍ଷ ଧରି ୨୪ ଆକବର ରୋଡ୍ କଂଗ୍ରେସର ମୁଖ୍ୟାଳୟ ରହିଥିଲା । ଏହି ମୁଖ୍ୟାଳୟରୁ କଂଗ୍ରେସ ପାର୍ଟି ୧୯୮୫ରେ ଐତିହାସିକ ୪୧୪ ଆସନ ଜିତିଥିଲା ଏବଂ ୨୦୧୪ରେ ୪୪ ଆସନରେ ସୀମିତ ହୋଇଥିଲା ।
୯A କୋଟଲା ରୋଡ୍ ସ୍ଥିତ କଂଗ୍ରେସର ନୂତନ ମୁଖ୍ୟାଳୟ ଇନ୍ଦିରା ଭବନର ଶିଳାନ୍ୟାସ ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ୨୦୦୯ ଡିସେମ୍ୱର ୨୮ରେ କରିଥିଲେ । ଏବେ ଆସନ୍ତାକାଲି ଜାନୁଆରୀ ୧୫ରେ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରାଯିବ ।