ସ୍ୱାଧୀନତା ଦିବସ ଅବସରରେ ବିଶ୍ୱକର୍ମା ଯୋଜନାର ଘୋଷଣା କଲେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ କାହାକୁ ମିଳିବ ଫାଇଦା

Published By : Prameya-News7 Bureau | August 15, 2023 IST

ନୂଆଦିଲ୍ଲୀ, ୧୫/୦୮: ଭାରତର ୭୭ତମ ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲାରୁ ଦେଶକୁ ସମ୍ବୋଧନ କରିଛନ୍ତି।  ଦେଶ ସ୍ବାଧୀନତାର ୭୬ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ପରିବାରଜନ ନାମରେ ସମ୍ବୋଧନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କିଛି ଯୋଜନା ବିଷୟରେ କହିଛନ୍ତି। ଏହି ଯୋଜନା ମଧ୍ୟରେ ରହିଛି ୧୫ ହଜାର କୋଟିର ବିଶ୍ବକର୍ମା ଯୋଜନାର ଶୁଭାରମ୍ଭ, ସହରରେ ଘର ତିଆରି ପାଇଁ ସୁଧରେ ଛାଡ଼ ଯୋଜନା ଏବଂ ୨ କୋଟି ଲକ୍ଷପତି ଦିଦି।

ବିଶ୍ବକର୍ମା ଯୋଜନା:

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ସେପ୍ଟେମ୍ବରରେ ବିଶ୍ବକର୍ମା ଜୟନ୍ତୀ ଅବସରରେ ଦେଶରେ ବିଶ୍ବକର୍ମା କୌଶଳ ସମ୍ମାନ ଯୋଜନା ଆରମ୍ଭ ନେଇ ଘୋଷଣା କରିଛନ୍ତି।  ଏହି ଯୋଜନା ଦ୍ବାରା ଦେଶର ଛୋଟ କର୍ମଜୀବୀ ଏବଂ କାରିଗରଙ୍କୁ ଆର୍ଥିକ ସହଯୋଗ ମିଳିବ। ଯାହାଦ୍ବାରା ସେମାନଙ୍କୁ ଋଣରୁ ଆରମ୍ଭ କରି ପ୍ରଶିକ୍ଷଣ, ଆଧୁନିକ ପ୍ରଯୁକ୍ତି ସୂଚନା ଏବଂ କୌଶଳ ସହ ଜଡ଼ିିତ ସହଯୋଗ ଯୋଗାଇଦିଆଯିବ। ଏହି ସ୍କିମ୍‌ ସାହାଯ୍ୟରେ କ୍ଷୁଦ୍ର କର୍ମଜୀବୀ, କାରିଗର ଆଦି ଶ୍ରେଣୀର ଲୋକଙ୍କୁ ଏମଏସଏମଇ ସହ ଯୋଡ଼ିବା ଏବଂ ତାଙ୍କ ବିଷୟରେ ଜାଣିବା ପାଇଁ ସୁଯୋଗ ମିଳିବ।

ଆହୁରି ପଢ଼ନ୍ତୁ: ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା, ଦେଶରେ ବଢ଼ିବ ଜନଔଷଧି କେନ୍ଦ୍ର ସଂଖ୍ୟା

ଏହି ଯୋଜନାରେ ପାଇଁ ସରକାର ୧୩ ହଜାରରୁ ୧୫ ହଜାର କୋଟି ଟଙ୍କାର ନିବେଶ କରିବେ। ବିଶ୍ବକର୍ମା ଯୋଜନା ଅନୁଯାୟୀ, ବଣିଆ, କମାର, ହେୟାର ଡ୍ରେସର, ଧୋବି ଏବଂ ରାଜମିସ୍ତ୍ରୀ ଏବଂ ବୁଲାବିକାଳୀ ଭଳି ପାରମ୍ପରିକ ବ୍ୟବସାୟୀଙ୍କୁ ୧୫ ହଜାର କୋଟି ଟଙ୍କାର ସହାୟତା ଫଳରେ ବ୍ୟବସାୟିକ ସହଯୋଗ ମିଳିବ। ଯାହା ସାହାଯ୍ୟରେ ସେମାନେ ଜୀବନ ସ୍ତର ସୁଧାରି ପାରିବେ। ଏହି ଯୋଜନା ମୁଖ୍ୟ ଭାବରେ ଓବିସି ବର୍ଗଙ୍କ ପାଇଁ ଆରମ୍ଭ କରାଯାଇଛି ଏବଂ ଏହାଦ୍ବାରା ଓବିସି ବର୍ଗର ଶ୍ରମିକଙ୍କୁ ଲାଭ ମିଳିବ।

ସହରରେ ଘର ତିଆରି ପାଇଁ ସୁଧ​‌‌ ହ୍ରାସ ପାଇଁ ଆସିବ ଯୋଜନା

ପ୍ରଧାନମନ୍ତ୍ରୀ ନିଜ ଭାଷଣରେ କହିଛନ୍ତି ସହରରେ ରହୁଥିବା ପରିବାର ନିଜର ଘର ସ୍ବପ୍ନ ଦେଖୁଛନ୍ତି। ତାଙ୍କ ପାଇଁ କେନ୍ଦ୍ର ସରକାର ଏକ ନୂଆ ଯୋଜନା ଆଣୁଛନ୍ତି। ଯାହା ଲୋକଙ୍କୁ ସହରରେ ଭଡ଼ାରେ ଘର, କୁଡ଼ିଆ ବସ୍ତିରେ ରହୁଥିବା ଲୋକଙ୍କୁ ଗୃହ ଋଣରେ ସୁଧରେ ଲକ୍ଷ ଲକ୍ଷ ଆଶ୍ବସ୍ତି ଦେବାର ନିଷ୍ପତ୍ତି ନେଇଛନ୍ତି। ତେବେ ଏହି ସ୍କିମ୍‌ର ବିସ୍ତୃତ ତଥ୍ୟ ପରବର୍ତ୍ତୀ ସମୟରେ ଆସିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.