ନୂଆଦିଲ୍ଲୀ ୦୨।୦୭: ବଢିଲା ଭୟ । ପୃଥିବୀ ପାଇଁ ଘନଉଛି ବିପଦ । ଆଉ ମାତ୍ର ୪ ବର୍ଷର ଅପେକ୍ଷା । ୨୦୨୯ରେ ପୃଥିବୀ ପାଖ ଦେଇ ଗତି କରିବ ଗ୍ରହାଣୁ । ସବୁଠାରୁ ଚିନ୍ତା ବଢାଉଛି ଗ୍ରହାଣୁର ଆକାର । ଏହି ଗ୍ରହାଣୁଟି ୩ଟି ଫୁଟବଲ୍ ପଡ଼ିଆ ପରି ହେବ । ଏବେ ଚିନ୍ତା ଯଦି ଗ୍ରହାଣୁ ପୃଥିବୀରେ ମାଡ ହେବ ତେବେ କଣ ହେବ ?
ଆମର ସୌରମଣ୍ଡଳ ଅଗଣିତ ରହସ୍ୟରେ ପରିପୂର୍ଣ୍ଣ । କିଛି ରହସ୍ୟର ଖୁଲାସା ହୋଇଥିବା ବେଳେ ଏବେ ବି କିଛି ଅସମାପ୍ତ ପ୍ରହେଳିକା ଭାବରେ ରହିଛି । ଏହି ରହସ୍ୟ ମଧ୍ୟରୁ ଗୋଟିଏ ହେଉଛି ଗ୍ରହାଣୁ । ବାସ୍ତବରେ ଯେତେବେଳେ ସୌରମଣ୍ଡଳ ପ୍ରାୟ ୪.୬ ବିଲିୟନ ବର୍ଷ ପୂର୍ବେ ଗଠିତ ହୋଇଥିଲା, କିଛି ପଥରମୟ ପିଣ୍ଡ ପଛରେ ରହିଯାଇଥିଲା । ଆଉ ଏଗୁଡ଼ିକୁ ହିଁ କୁହାଯାଏ ଗ୍ରହାଣୁ ।
ଏହି ସମସ୍ତ ଗ୍ରହାଣୁ ସୂର୍ଯ୍ୟକୁ ପରିକ୍ରମା କରନ୍ତି । କିନ୍ତୁ ଅନେକ ସମୟରେ ମହାକାଶରୁ ଆସୁଥିବା କିଛି ଗ୍ରହାଣୁ ପୃଥିବୀର ଏତେ ନିକଟତର ହୋଇଥାନ୍ତି ଯେ ଯଦି ଏହା ଧକ୍କା ହୁଏ ତେବେ ଏକ ବଡ଼ ଧ୍ୱଂସ ଘଟାଇପାରେ। ତଥାପି ବୈଜ୍ଞାନିକମାନେ ବିଶ୍ୱାସ କରନ୍ତି ଯେ କେବଳ ଏହି ଗ୍ରହାଣୁମାନେ ହିଁ ଜୀବନ ଉତ୍ପତ୍ତିର ରହସ୍ୟ ପ୍ରକାଶ କରିପାରିବେ।
ତେବେ ପୂର୍ବରୁ ତ ଅନେକ ଗ୍ରହାଣୁ ପୃଥିବୀ ନିକଟ ଦେଇ ଗତି କରିଛନ୍ତି । କିନ୍ତୁ ଭବିଷ୍ୟତର ଗ୍ରହାଣୁକୁ ନେଇ ଚିନ୍ତା । ଆଉ ୪ ବର୍ଷ ପରେ ଅର୍ଥାତ୍ ୨୦୨୯ରେ ଏକ ବଡ ଗ୍ରହାଣୁ ପୃଥିବୀ ପାଖ ଦେଇ ଗତି କରିବ । ଏହି ଗ୍ରହାଣୁଟି ତିନୋଟି ଫୁଟବଲ୍ ପଡ଼ିଆ ପରି ଆକାରର । ଯେଉଁଥିପାଇଁ ଚିନ୍ତାରେ ପଡିଛନ୍ତି ବୈଜ୍ଞାନିକ ।
ଏହି ଗ୍ରହାଣୁର ନାଁ ମିଶରର ପୌରାଣିକ କାହାଣୀରେ ବିନାଶର ଦେବତା ଆପୋଫିସ୍ଙ୍କ ନାମରେ ରଖାଯାଇଛି। ସୂଚନା ଅନୁଯାୟୀ, ଏହି ଗ୍ରହାଣୁ ପ୍ରଥମେ ୨୦୦୪ ମସିହାରେ ଆବିଷ୍କୃତ ହୋଇଥିଲା । ସେବେଠାରୁ ଏହା ମହାକାଶ ବୈଜ୍ଞାନିକମାନଙ୍କ ପାଇଁ ପାଲଟିଛି ଚିନ୍ତାର କାରଣ ।
ବୈଜ୍ଞାନିକଙ୍କ ଅନୁଯାୟୀ, ଆପୋଫିସ୍ର ହାରାହାରି ବ୍ୟାସ ପ୍ରାୟ ୩୪୦ ମିଟର, ଅର୍ଥାତ୍ ତିନୋଟି ଫୁଟବଲ୍ ପଡ଼ିଆ ସହିତ ସମାନ । ଏହି ଗ୍ରହାଣୁ ୧୩ ଏପ୍ରିଲ୍ ୨୦୨୯ରେ ପୃଥିବୀ ପାଖ ଦେଇ ଗତି କରିବ । ବୈଜ୍ଞାନିକଙ୍କ ଅନୁଯାୟୀ ସେହି ସମୟରେ ପୃଥିବୀଠାରୁ ଏହି ଗ୍ରହାଣୁର ଦୂରତା ୩୨ ହଜାର କିଲୋମିଟର ହେବ। ନାସା ଅନୁଯାୟୀ, ପୃଥିବୀ ପାଖ ଦେଇ ଗତି କରିବା ସମୟରେ ଏହି ଗ୍ରହାଣୁ ପୃଥିବୀର ଗୁରୁତ୍ୱାକର୍ଷଣର ପ୍ରଭାବରେ ଆସିପାରେ ।
ଯାହା ଏହାର ଆକାର ଏବଂ ଦିଗ ମଧ୍ୟ ପରିବର୍ତ୍ତନ କରିପାରେ । ବୈଜ୍ଞାନିକମାନେ ସ୍ପଷ୍ଟ କରିଛନ୍ତି ଯେ ବର୍ତ୍ତମାନ ଏହି ଗ୍ରହାଣୁରୁ ପୃଥିବୀ ପ୍ରତି କୌଣସି ବିପଦ ନାହିଁ । ନାସା କହିଛି ଯେ ଗ୍ରହାଣୁ ଆପୋଫିସ୍ ଅତି କମରେ ଆଗାମୀ ୧୦୦ ବର୍ଷ ପର୍ଯ୍ୟନ୍ତ ପୃଥିବୀକୁ ଧକ୍କା ଦେବାର ସମ୍ଭାବନା ନାହିଁ । ଏହା ସତ୍ତ୍ୱେ ବି ଏହାକୁ ଭୂମିରୁ କଡ଼ା ନଜର ରଖାଯାଇଛି।