ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଆତିଶୀ ସେପ୍ଟେମ୍ବର ୨୧ରେ ନେଇ ପାରନ୍ତି ଶପଥ, ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ LG

Published By : Prameya-News7 Bureau | September 18, 2024 IST

ନୂଆଦିଲ୍ଲୀ ୧୮।୯: ମୁଖ୍ୟମନ୍ତ୍ରୀ ପଦରୁ ଅରବିନ୍ଦ କେଜରିୱାଲ ହଟିବା ପରେ ଏବେ ଦିଲ୍ଲୀରେ ଆତିଶୀଙ୍କ ନେତୃତ୍ୱରେ ଆମ ଆଦମୀ ପାର୍ଟି (ଆପ)ର ନୂଆ ସରକାର ହେବାକୁ ଯାଉଛି। ସୂତ୍ର ଅନୁସାରେ ଆତିଶୀ ୨୧ ସେପ୍ଟେମ୍ବର ଶନିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ପାରନ୍ତି। ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର (ଏଲଜି) ବିନୟ କୁମାର ସକ୍ସେନା ଏ ନେଇ ରାଷ୍ଟ୍ରପତି ଓ ଗୃହମନ୍ତ୍ରାଳୟକୁ ପତ୍ର ଲେଖି ତିଥି ପ୍ରସ୍ତାବିତ କରିଛନ୍ତି। ତେବେ ଆତିଶୀଙ୍କ ଦ୍ୱାରା ଶପଥଗ୍ରହଣ ଲାଗି କୌଣସି ତିଥି ପ୍ରସ୍ତାବ ଦିଆଯାଇନି।  

ଉଲ୍ଲେଖଯୋଗ୍ୟ ଯେ ଅରବିନ୍ଦ କେଜରିୱାଲ ମଙ୍ଗଳବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। କେଜରିୱାଲଙ୍କ ଦ୍ୱାରା ଏଲଜି ଭି.କେ ସକ୍ସେନାଙ୍କୁ ଇସ୍ତଫା ପ୍ରଦାନ ପରେ ମୁଖ୍ୟମନ୍ତ୍ରୀ ପଦ ନିମନ୍ତେ ନାମିତ ଆତିଶୀ ମଙ୍ଗଳବାର ନୂଆ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଥିଲେ। ଶୀଲା ଦିକ୍ଷୀତ ସବୁଠୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଥିଲେ। ସେ ୧୯୯୮ ମସିହାରୁ ୨୦୧୩ ମସିହା ପର୍ଯ୍ୟନ୍ତ ୧୫ ବର୍ଷ ଧରି ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିଲେ। 

ଏବେ ୪୩ ବର୍ଷ ବୟଷ୍କା ଆତିଶୀ ଦିଲ୍ଲୀର ସବୁଠୁ କମ ବୟସ୍କା ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ଓ ପଶ୍ଚିମବଙ୍ଗ ପରେ ଦେଶର ଦ୍ୱିତୀୟ ମହିଳା ମୁଖ୍ୟମନ୍ତ୍ରୀ ହେବେ। ବର୍ତ୍ତମାନ ଆତିଶୀ ଦିଲ୍ଲୀ ମନ୍ତ୍ରୀମଣ୍ଡଳରେ ସବୁଠୁ ଅଧିକ ବିଭାଗର ଦାୟିତ୍ୱ ସମ୍ଭାଳୁଛନ୍ତି। ସେ ଅର୍ଥ, ଜଳ, ଶିକ୍ଷା, ପୂର୍ତ୍ତ,ବିଦ୍ୟୁତ, ରାଜସ୍ୱ, ଯୋଜନା, ସେବା, ଆଇନ, ଭିଜିଲାନ୍ସ ଓ ଅନ୍ୟ ପ୍ରମୁଖ ବିଭାଗର ମନ୍ତ୍ରୀ ଅଛନ୍ତି। ଆପରେ ସ୍ଥିରତା ବଜାୟ ରଖିବାରେ ଆତିଶୀ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଛନ୍ତି। ଖାସ କରି କେଜରିୱାଲ ଓ ଅନ୍ୟ ବରିଷ୍ଠ ନେତା ଜେଲରେ ରହିବା କାଳରେ ଆତିଶୀ ଅନ୍ୟ ନେତାଙ୍କ ସହ ମିଶି ପାର୍ଟିକୁ ସଞ୍ଚାଳିତ କରିଛନ୍ତି।      

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.