ମାହାଙ୍ଗା: କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍ ଭଦ୍ରେଶ୍ୱର ଥାନା ସମ୍ମୁଖରେ ୩୭ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟମାନେ ଧାରଣାରେ ବସିଛନ୍ତି। ସେମାନଙ୍କର ଦାବି ଦୋଷୀକୁ ଗିରଫ ନକରାଯିବା ପର୍ଯ୍ୟନ୍ତ ସେମାନେ ଧାରଣାରେ ବସି ରହିବେ।
ସୂଚନା ଅନୁସାରେ, ଗତ ୮ ତାରିଖରେ ବିଶ୍ଵ ମହିଳା ଦିବସ ଦିନ ମାହାଙ୍ଗା ବ୍ଳକ୍ ଭଦ୍ରେଶ୍ୱର ଥାନା ଅନ୍ତର୍ଗତ ପୋଡ଼ାମରେଇ ସମିତି ସଭ୍ୟା ସୋନାଲି ପ୍ରିୟଦର୍ଶିନୀ ସାହୁଙ୍କୁ ଆକ୍ରମଣ କରାଯାଇଥିଲା। ସ୍ୱାଧୀନ ବିଧାୟକ ଶାରଦା ପ୍ରଧାନଙ୍କ ସମର୍ଥକମାନେ ଘରେ ପଶି ତାଙ୍କୁ ମାଡ଼ ମାରିଥିବା ସେ ଅଭିଯୋଗ କରି ଥାନାର ଦ୍ୱାରସ୍ଥ ହୋଇଥିଲେ।
ତେବେ ଏହା ପରେ ଘଟଣାସ୍ଥଳରେ ସାଲେପୁର ଏସଡିପିଓ ଏବଂ ଭଦ୍ରେଶ୍ଵର ପୋଲିସ ପହଞ୍ଚି ତଦନ୍ତ କରିଥିଲେ। କିନ୍ତୁ ଏହି ଘଟଣାରେ ୪ ଦିନ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ୪ ଜଣ ଅପରାଧୀଙ୍କୁ ପୋଲିସ ଧରିବାରେ ବିଫଳ ହୋଇଛନ୍ତି। ଯାହାର ପ୍ରତିବାଦରେ ମାହାଙ୍ଗା ବ୍ଲକ୍ର ୩୭ ପଞ୍ଚାୟତର ସରପଞ୍ଚ ସମିତି ସଭ୍ୟମାନେ ଥାନା ସମ୍ମୁଖରେ ଧାରଣାରେ ବସିଛନ୍ତି।
ସେମାନେ ଆହୁରି ଅଭିଯୋଗ କରିଛନ୍ତି, ଏହି ସମିତି ସଭ୍ୟା ଖୋଦ୍ ବିଧାୟକଙ୍କ ନିଜସ୍ବ ପଞ୍ଚାୟତର। ହେଲେ ବିଧାୟକଙ୍କ ଚାପରେ ଦୋଷୀଙ୍କୁ ପୋଲିସ ଗିରଫ କରୁନି। ଏହା ସହିତ ଘଟଣା ପର ଦିନ ଠାରୁ ଅଭିଯୁକ୍ତମାନେ ପ୍ରତିଦିନ ସମିତି ସଭ୍ୟାଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଉଛନ୍ତି ବୋଲି ସମିତି ସଭ୍ୟା ନିଜେ ପ୍ରତିକ୍ରିୟା ଦେଇଛନ୍ତି।ସେପଟେ ଘଟଣାରେ ପୋଲିସ ତରଫରୁ କୌଣସି ପ୍ରତିକ୍ରିୟା ଦେବାକୁ ମନା କରାଯାଇଛି।