ନୂଆଦିଲ୍ଲୀ: ବିଶ୍ୱ ଦେଖିବ ଭାରତୀୟ କଳାର ଯାଦୁ ! ୭ ହଜାର ବର୍ଷ ପୁରୁଣା ଇତିହାସକୁ ଶୁଣିବ ଆମେରିକା। ନ୍ୟୁୟର୍କ ସହରର ଲିଙ୍କନ ସେଣ୍ଟରରେ ପ୍ରଦର୍ଶିତ ହେବ ଭାରତର କଳା, ସଙ୍ଗୀତ, ଫ୍ୟାଶନ୍ ଏବଂ ପରମ୍ପରା। ଦେଶର ସଂସ୍କୃତି ଓ ଐତିହ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ପତ୍ନୀ ନୀତା ଅମ୍ବାନୀ। ବିଶ୍ୱର ପ୍ରମୁଖ ମଞ୍ଚରେ 'NMACC ଇଣ୍ଡିଆ ୱିକେଣ୍ଡ' ଅଧୀନରେ ଆୟୋଜିତ ହେବାକୁ ଯାଉଛି ୩ ଦିନିଆ କାର୍ଯ୍ୟକ୍ରମ।
୨୦୨୩ ମସିହାରେ ମୁମ୍ବାଇରେ ଶୁଭାରମ୍ଭ ହୋଇଥିଲା ‘ନୀତା ମୁକେଶ ଅମ୍ବାନୀ ସାଂସ୍କୃତିକ କେନ୍ଦ୍ର’ (NMACC)। ଏହା 'ଭାରତର ମେଟ୍ ଗାଲା' ପରିଚିତ। ଏହି କାର୍ଯ୍ୟକ୍ରମରେ ଶାହରୁଖ ଖାନ, ପ୍ରିୟଙ୍କା ଚୋପ୍ରା, ଗିଗି ହାଦିଦ, ନିକ୍ ଜୋନାସ୍ ଏବଂ ଜେଣ୍ଡାୟା ଭଳି ଅନେକ ଆନ୍ତର୍ଜାତୀୟ ତାରକାଙ୍କୁ ରେଡ କାର୍ପେଟରେ ଦେଖିବାକୁ ମିଳିଥିଲା। ଏବେ ଏହି ସମାନ ପ୍ଲାଟଫର୍ମ ନ୍ୟୁୟର୍କର ଲିଙ୍କନ୍ ସେଣ୍ଟରରେ 'NMACC ଇଣ୍ଡିଆ ୱିକେଣ୍ଡ' ଅଧୀନରେ ଏକ ୩ ଦିନିଆ ଶୋ’ ହେବାକୁ ଯାଉଛି।
ଏନେଇ ନୀତା ଅମ୍ବାନୀ କହିଛନ୍ତି, 'ଆମେ ପ୍ରଥମ ଥର ପାଇଁ ନ୍ୟୁୟର୍କରେ NMACC ଇଣ୍ଡିଆ ୱିକେଣ୍ଡ ଆୟୋଜନ କରୁଛୁ । ଏହା ଭାରତର ସଂସ୍କୃତି ଓ ଐତିହ୍ୟର ଏକ ବିଶ୍ୱବ୍ୟାପୀ ଉତ୍ସବ। ଯାହା ଆମର କଳା, ହସ୍ତଶିଳ୍ପ, ସଙ୍ଗୀତ, ନୃତ୍ୟ, ଫ୍ୟାଶନ୍ ଏବଂ ଖାଦ୍ୟକୁ ପ୍ରଦର୍ଶିତ କରିବ। ଭାରତକୁ ବିଶ୍ୱର ସର୍ବୋତ୍ତମ ଏବଂ ବିଶ୍ୱକୁ ଭାରତର ସର୍ବୋତ୍ତମ ପ୍ରଦର୍ଶନ କରିବା NMACCର ଉଦ୍ଦେଶ୍ୟ । ଏହି ସ୍ୱତନ୍ତ୍ର ଓ୍ୱିକେଣ୍ଡ ହେଉଛି ଲିଙ୍କନ୍ ସେଣ୍ଟର ଭଳି ଏକ ପ୍ରତିଷ୍ଠିତ ପ୍ଲାଟଫର୍ମରେ ଭାରତର ଆତ୍ମାକୁ ପ୍ରଦର୍ଶନ କରିବା ଦିଗରେ ପ୍ରଥମ ପଦକ୍ଷେପ।
ପ୍ରକାଶଥାଉକି- ଏହି ୩ ଦିନିଆ କାର୍ଯ୍ୟକ୍ରମରେ କେବଳ ନିମନ୍ତ୍ରିତ ଅତିଥି ଯୋଗଦେବେ। ଏହି କାର୍ଯ୍ୟକ୍ରମର ସ୍ୱାଗତ ସମାରୋହ ଉତ୍ସବ ସ୍ୱତନ୍ତ୍ର ରହିବ। ନୀତା ଅମ୍ବାନୀଙ୍କ ହ୍ୟାଣ୍ଡଲୁମ୍ ଏମ୍ପୋରିୟମ ସ୍ୱଦେଶ ଦ୍ୱାରା ଫ୍ୟାଶନ୍ ଶୋ କରାଯିବ। ଏହି ଶୋ’କୁ ଗାଇଡ୍ କରିବେ ପ୍ରଖ୍ୟାତ ଭାରତୀୟ ଡିଜାଇନର୍ ମନୀଷ ମଲହୋତ୍ରା। ଭାରତୀୟ ହସ୍ତଶିଳ୍ପ ଏବଂ ପାରମ୍ପରିକ କାରିଗରୀକୁ ବିଶ୍ୱସ୍ତରୀୟ ମଞ୍ଚରେ ପ୍ରଦର୍ଶିତ କରାଯିବ। ଯାହା ଭାରତର ସମୃଦ୍ଧ ଐତିହ୍ୟକୁ ପ୍ରଦର୍ଶିତ କରିବ। ମିସେଲିନ୍ ଷ୍ଟାର ଶେଫ୍ ବିକାଶ ଖାନ୍ନା ଏହି କାର୍ଯ୍ୟକ୍ରମରେ ଅନ୍ୟ ଏକ ଗ୍ଲାମର। ଏଥିରେ ସାମିଲ ହେବ ଭାରତର ବିଭିନ୍ନ ସ୍ଥାନର ରୋଷେଇ ଘରର ସ୍ୱାଦିଷ୍ଟ ଖାଦ୍ୟ।
ସଙ୍ଗୀତ ଏବଂ ନୃତ୍ୟରେ ପରିପୂର୍ଣ୍ଣ ହେବ NMACC ଓ୍ୱିକେଣ୍ଡ୍। "ଦି ଗ୍ରେଟ୍ ଇଣ୍ଡିଆନ୍ ମ୍ୟୁଜିକାଲ୍: ସିଭିଲାଇଜେସନ୍ ଟୁ ନେସନ୍"ରେ ପ୍ରଦର୍ଶିତ ହେବ ଭାରତର ୭ ହଜାର ବର୍ଷର ପୁରୁଣା ଇତିହାସ। ଏହି ଶୋ’ର ନିର୍ଦ୍ଦେଶନା କରିବେ ନିର୍ଦ୍ଦେଶକ ଫିରୋଜ ଆବାସ୍ ଖାନ। ଏଥିରେ ଅଭିନେତା, ଓ ଲୋକପ୍ରିୟ କଳାକାରଙ୍କ ସହ ସହଯୋଗ ରହିବ। ଏହି କାର୍ଯ୍ୟକ୍ରମରେ ଶଙ୍କର ମହାଦେବନ, ଶ୍ରେୟା ଘୋଷାଲ ଏବଂ ଶାସ୍ତ୍ରୀୟ ସଂଗୀତଜ୍ଞ ରିଷଭ ଶର୍ମାଙ୍କ ପରି କିମ୍ବଦନ୍ତୀମାନେ ନିଜର ଜଲଓ୍ୱା ଦେଖାଇବେ। ଏକ ସ୍ୱତନ୍ତ୍ର ବଲିଉଡ୍ ଡ୍ୟାନ୍ସ ଓ୍ୱର୍କଶପ୍ କରିବେ ପ୍ରସିଦ୍ଧ ବଲିଉଡ୍ କୋରିଓଗ୍ରାଫର ଶିଆମକ ଡାଭର। ଏହି ଶୋ’ ଭାରତର ସାଂସ୍କୃତିକ ଯାତ୍ରାକୁ ଏକ ଅନନ୍ୟ ଉପାୟରେ ଉପସ୍ଥାପନ କରିବ।
ଜୁନ୍ ଶେଷରେ NMACC ଇଣ୍ଡିଆ ୱିକେଣ୍ଡ ପାଇଁ ଟିକେଟ୍ ବିକ୍ରି ହେବ। ନ୍ୟୁୟର୍କର ଲିଙ୍କନ୍ ସେଣ୍ଟରରେ ଏହି କାର୍ଯ୍ୟକ୍ରମ ଭାରତର ସାଂସ୍କୃତିକ ଐତିହ୍ୟକୁ ଏକ ନୂତନ ସ୍ତରରେ ପହଞ୍ଚାଇବ। ନୀତା ଅମ୍ବାନୀଙ୍କ ଏହି ପଦକ୍ଷେପ କେବଳ ଭାରତର କଳା ଏବଂ ସଂସ୍କୃତିକୁ ବିଶ୍ୱ ଦରବାରରେ ପହଞ୍ଚାଇବ ନାହିଁ ବରଂ ବିଶ୍ୱ ମଞ୍ଚରେ ଭାରତର ପରିଚୟକୁ ମଧ୍ୟ ସୁଦୃଢ଼ କରିବ।