ନୂଆଦିଲ୍ଲୀ ୨୩।୦୫; ଦେଶ ପାଇଁ ଗୌରବ ଆଣିଛନ୍ତି ଭାରତର ୭୭ ବର୍ଷୀୟା ଲେଖକ ବାନୁ ମୁସ୍ତାକ। ପ୍ରଥମ ଥର ପାଇଁ କନ୍ନଡ ଭାଷାର ପୁସ୍ତକକୁ ଏହି ସମ୍ମାନ ମିଳିଛି। ବାନୁ ମୁସ୍ତାକ ତାଙ୍କର ଗଳ୍ପ ପୁସ୍ତକ 'ହାର୍ଟ ଲ୍ୟାମ୍ପ' ପାଇଁ ସମ୍ମାନ ଲାଭ କରି ଏହି ଇତିହାସ ସୃଷ୍ଟି କରିଛନ୍ତି। ‘ହାର୍ଟ ଲ୍ୟାମ୍ପ’ରେ ୧୨ଟି ଗପ ଅଛି। ୧୯୯୦ରୁ ୨୦୨୩ ମଧ୍ୟରେ ଲେଖାଯାଇଛି ଏହି ଗପଗୁଡ଼ିକ। ଏଥିରେ ରହିଛି କର୍ଣ୍ଣାଟକାରେ ବସବାସ କରୁଥିବା ମୁସଲିମ ମହିଳାଙ୍କ ଦୈନନ୍ଦିନ ସଂଘର୍ଷର କଥା।
‘ହାର୍ଟ ଲ୍ୟାମ୍ପ’ରେ ଥିବା ଗପଗୁଡ଼ିକୁ ବାନୁ ମୁସ୍ତାକ କନ୍ନଡ ଭାଷାରେ ଲେଖିଥିଲେ। ସେଗୁଡ଼ିକୁ ଇଂରାଜୀ ଭାଷାରେ ଅନୁବାଦ କରିଥିଲେ ଦୀପା ଭାଷ୍ଟି। ବାନୁ ମୁସ୍ତାକଙ୍କ ସହିତ ତାଙ୍କୁ ମଧ୍ୟ ‘ଇଣ୍ଟରନ୍ୟାଶନାଲ ବୁକର ପ୍ରାଇଜ ୨୦୨୫’ ପ୍ରଦାନ କରାଯାଇଛି। ପୁରସ୍କାର ରାଶି ବାବଦକୁ ମିଳିଥିବା ୫୦ ହଜାର ପାଉଣ୍ଡରେ ଉଭୟ ବାନୁ ମୁସ୍ତାକ ଓ ଅନୁବାଦିକା ଦୀପା ଭାଷ୍ଟିଙ୍କର ରହିଛି ସମାନ ଭାଗ।ବାନୁ ମୁସ୍ତାକଙ୍କ ସହିତ ଦୀପା ଭାଷ୍ଟିଙ୍କ ନାଁରେ ଏକ ରେକର୍ଡ ଯୋଡ଼ି ହୋଇଯାଇଛି। ସେ ପ୍ରଥମ ଭାରତୀୟ ଅନୁବାଦକ ଭାବେ ଇଣ୍ଟରନ୍ୟାଶନାଲ ବୁକର ପ୍ରାଇଜ ପାଇଛନ୍ତି। ବୁକର ପୁରସ୍କାରରେ ସମ୍ମାନିତ ବାନୁ ଖୁସି ବ୍ୟକ୍ତି କରିବା ସହ କହିଛନ୍ତି, ଏହା ଆକାଶକୁ ଆଲୋକ ଦେଉଥିବା ତାରା ପରି ଲାଗୁଛି…
ବାନୁ ମୁସ୍ତାକ କିଏ?
୧୯୪୮ ମସିହାରେ କର୍ଣ୍ଣାଟକରେ ଜନ୍ମଗ୍ରହଣ କରିଥିବା ବାନୁ ଜଣେ ଲେଖିକା, ଓକିଲ ଏବଂ ସାମାଜିକ କର୍ମୀ। ଯିଏ ବହୁତ କମ୍ ବୟସରୁ ଲେଖାଲେଖି କରିଆସୁଛନ୍ତି, ସେ ଜଣେ ସାମ୍ବାଦିକ ମଧ୍ୟ ଥିଲେ କିନ୍ତୁ ସେ ୨୯ ବର୍ଷ ବୟସରେ ବୃତ୍ତିଗତ ଭାବରେ ତାଙ୍କର ଅଭିଜ୍ଞତା ଲେଖିବା ଆରମ୍ଭ କରିଥିଲେ। ତାଙ୍କ କାହାଣୀଗୁଡ଼ିକ ମହିଳା ଜୀବନର ବିଭିନ୍ନ ସମସ୍ୟାକୁ ସୂଚାଇଥାଏ। କାହାଣୀ ବ୍ୟତୀତ ସେ ଉପନ୍ୟାସ, ପ୍ରବନ୍ଧ ଏବଂ କବିତା ମଧ୍ୟ ଲେଖିଛନ୍ତି। ୧୨ଟି କାହାଣୀର ଏକ ସଂଗ୍ରହ, ହାର୍ଟ ଲ୍ୟାମ୍ପ, ଦକ୍ଷିଣ ଭାରତରେ ପୁରୁଷତନ୍ତ୍ରର ଏକ ଶୋକଗାନ। ଦୀପା ଭାଷ୍ଟି ୨୦୨୨ ମସିହାରୁ ଏହି କାହାଣୀଗୁଡ଼ିକୁ ଅନୁବାଦ କରିବା ଆରମ୍ଭ କରିଥିଲେ। ଏହି ପୁସ୍ତକରେ ୧୯୯୦ ରୁ ୨୦୨୩ ପର୍ଯ୍ୟନ୍ତ ଲେଖାଯାଇଥିବା କାହାଣୀଗୁଡ଼ିକର ଏକ ସଂଗ୍ରହ ରହିଛି। ମୋଟାମୋଟି ଭାବରେ, ପୁସ୍ତକଟି ୩୦ ବର୍ଷରୁ ଅଧିକ ସମୟ ଧରି ଲେଖାଯାଇଥିଲା।