୧୬ ବର୍ଷୀୟ ତନଭୀଙ୍କ କମାଲ, ଜୁନିଅର ମହିଳା ସିଙ୍ଗଲ୍ସରେ ବିଶ୍ୱର ନମ୍ବର ୧ ଖେଳାଳି

Published By : Prameya-News7 Bureau | July 01, 2025 IST

ନୂଆଦିଲ୍ଲୀ: ଭାରତୀୟ ବ୍ୟାଡମିଣ୍ଟନର ଉଜ୍ଜ୍ୱଳୟମ ତାରକା ତନଭୀଙ୍କ ନାଁରେ ଯୋଡ଼ି ହୋଇଛି ନୂଆ କୀର୍ତ୍ତିମାନ । ୧୬ ବର୍ଷୀୟ ତନଭୀ ସଟଲର୍ ଦୁନିଆର ନୂଆ ରାଣୀ ହୋଇଛନ୍ତି ।  ବିଶ୍ୱର ନମ୍ବର ୱାନ୍ ଜୁନିଅର ମହିଳା ସିଙ୍ଗଲ୍ସ ଖେଳାଳି ହୋଇ ବ୍ୟାଡମିଣ୍ଟନ ଷ୍ଟାର ତନଭୀ ଶର୍ମା ଭାରତକୁ କରିଛନ୍ତି ଗର୍ବିତ ।

ବ୍ୟାଡମିଣ୍ଟନ ଆସୋସିଏସନ ଅଫ୍ ଇଣ୍ଡିଆ ଅଫିସିଆଲ୍ ଏକ୍ସ ହ୍ୟାଣ୍ଡେଲରେ ପୋଷ୍ଟ କରି ତନଭୀଙ୍କୁ ଶୁଭେଚ୍ଛା ଜଣାଯାଇଛି । ପୋଷ୍ଟରେ ଲେଖାଯାଇଛି, "ମାତ୍ର ୧୬ ବର୍ଷ ବୟସରେ, ଟିନ୍ ଟାଇଟାନ୍ ତନଭୀ ଶର୍ମା ବିଶ୍ୱର ନମ୍ବର ୱାନ୍ ଜୁନିଅର ମହିଳା ସିଙ୍ଗଲ୍ସ ଖେଳାଳି । ତନଭୀଙ୍କ ପାଇଁ ଗତ କିଛି ସପ୍ତାହ ଚମତ୍କାର ଥିଲା ! 

ନିକଟରେ ସମାପ୍ତ ୟୁଏସ୍ ଓପନ୍‌ର ମହିଳା ସିଙ୍ଗଲ୍ସରେ, ୧୬ ବର୍ଷୀୟା ତନଭୀ ପୂରା ଟୁର୍ଣ୍ଣାମେଣ୍ଟରେ ନିଜ ପ୍ରତିଭାରେ ସଭିଙ୍କୁ ବିସ୍ମିତ କରିଥିଲେ । ନିଜ ଖେଳର ଯାଦୁରେ ସମସ୍ତଙ୍କୁ ବନ୍ଧି ରଖିଥିଲେ । ତାଙ୍କ ଖେଳର ଗୁଣଗାନ କରୁଥିଲା, ତାଙ୍କର ପ୍ରତିଟି ସଟ୍ । ତାଙ୍କ ପ୍ରତ୍ୟେକଟି ସ୍ମାସ୍ ବିରୋଧୀଙ୍କୁ କରୁଥିଲା ଘାଇଲା । ବ୍ୟାଡମିଣ୍ଟନ କୋର୍ଟରେ ତାଙ୍କ ସ୍ପିଡ୍ ଓ ସ୍କିଲ୍ ବିରୋଧୀଙ୍କ ପ୍ରତିଟି ଚାଲକୁ କରଥିଲା ଫେଲ୍ । ଟୁର୍ଣ୍ଣାମେଣ୍ଟରେ ସେ ବିଶ୍ୱର ୨୩, ୪୦, ୫୦ ଏବଂ ୫୮ ନମ୍ବର ଖେଳାଳିମାନଙ୍କୁ ପରାସ୍ତ କରି ଫାଇନାଲରେ ପହଞ୍ଚିଥିଲେ । ତେବେ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ୨୧-୧୧, ୧୬-୨୧, ୨୧-୧୦ ଶୀର୍ଷ ସିଡ୍ ଆମେରିକାର ବେଇୱେନ୍ ଝାଙ୍ଗଙ୍କଠାରୁ ପରାସ୍ତ ହୋଇଥିଲେ । ତେବେ ଏହି ପାରଜୟ ତନଭୀଙ୍କ ବିଜୟର ନୂଆ ଯାତ୍ରା ଆରମ୍ଭ କରିବ । 

ତନଭୀ ବ୍ୟାଡମିଣ୍ଟନ୍ ବିଶ୍ୱ ଫେଡେରେସନ ୱାର୍ଲଡ ଟୁର୍ ଫାଇନାଲ୍‌ରେ ପହଞ୍ଚିବାରେ ସର୍ବକନିଷ୍ଠ ଭାରତୀୟ । ୟୁଏସ୍ ଓପନର ଉପବିଜେତା ତନଭୀ ଏହି ଉପଲବ୍ଧି ହାସଲ କରିବାରେ ତୃତୀୟ ଭାରତୀୟ ମହିଳା । ତସନୀମ ମୀର ୨୦୨୨ ଜାନୁଆରୀ ଓ ଅନୁପମା ଉପାଧ୍ୟାୟ ୨୦୨୨ ସେପ୍ଟେମ୍ୱରେ ଏହି କ୍ଲବରେ ସାମିଲ ହୋଇଥିଲେ । ତନଭୀଙ୍କ ୧୪ ଟୁର୍ଣ୍ଣାମେଣ୍ଟରେ ୧୯ ହଜାର ୭୩୦ ପଏଣ୍ଟ ହୋଇଛି । ସେ ଥାଇଲାଣ୍ଡର ଅନ୍ୟାପତଙ୍କୁ ହଟାଇ ଶୀର୍ଷରେ ପହଞ୍ଚିଛନ୍ତି । ତନଭୀ ନିଜ ପ୍ରଦର୍ଶନ ବଳରେ ସିନିୟର ରାଙ୍କିଂରେ ପ୍ରଥମ ଥର ଶୀର୍ଷ ୫୦ରେ ପହଞ୍ଚିଛନ୍ତି । ସିନିୟର ରାଙ୍କିଂରେ ତାଙ୍କ ପଏଣ୍ଟ ୩୦ ହଜାର ୧୬୦ ରହିଛି ।  ଆଗକୁ ଏସୀୟ ଜୁନିଅର ଚାମ୍ପିଅନସିପ୍ ଓ ବିଶ୍ୱ ଜୁନିଅର ଚାମ୍ପିଅନସିପ୍ ଅଛି । ଏହି ଦୁଇଟି ଟୁର୍ନାମେଣ୍ଟ ଭାରତରେ ହେବ । ଏହି ଟୁର୍ଣ୍ଣାମେଣ୍ଟର ଚାମ୍ପିଅନ ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି ତନଭୀ । ଏହାସହ ସୁପର ୩୦୦ ଏବଂ ୫୦୦ରେ ତାଙ୍କ ଠାରୁ ଭଲ ପ୍ରଦର୍ଶନ ଆଶା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.