ନୂଆଦିଲ୍ଲୀ- ଦୁଇ ଦଶନ୍ଧି ପରେ ମହାରାଷ୍ଟ୍ରରେ ଉଦ୍ଧବ ଠାକରେ ଓ ରାଜ୍ ଠାକରେଙ୍କୁ ଏକାଠି ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଛି। ହିନ୍ଦୀ ଭାଷାକୁ ମହାରାଷ୍ଟ୍ରର ସ୍କୁଲ୍ ଗୁଡ଼ିକରେ ବାଧ୍ୟତାମୂଳକ କରାଯିବା ନିଷ୍ପତ୍ତିକୁ ସରକାରଙ୍କ ଦ୍ୱାରା ପ୍ରତ୍ୟାହାର କରାଯିବାକୁ ନେଇ, ଉତ୍ସବ ପାଳୁଥିବା ଦୁଇ ଭାଇ କେନ୍ଦ୍ର ଓ ମହାରାଷ୍ଟ୍ର ସରକାରଙ୍କୁ ଜୋରଦାର ଟାର୍ଗେଟ୍ କରିଛନ୍ତି। ରାଜ୍ୟରେ ଭାଷା ନାଁରେ ହେଉଥିବା ହିଂସାକାଣ୍ଡକୁ ଅଣଦେଖା କରି ରାଜ୍ ଠାକରେ ନିଜର କାର୍ଯ୍ୟକର୍ତ୍ତାଙ୍କୁ ନୂଆ ପରାମର୍ଶ ମଧ୍ୟ ଦେଇଛନ୍ତି। ସେ କହିଛନ୍ତି ଏବେ ଯଦି କାହାକୁ ପିଟିବ ତ ତାର ଭିଡ଼ିଓ କରିବ ନାହିଁ।
ଉଦ୍ଧବ ଠାକରେଙ୍କ ସହ ମଞ୍ଚରେ ଥିବା ରାଜ ଠାକରେ ନିଜର କର୍ମକର୍ତ୍ତାଙ୍କୁ ସମ୍ୱୋଧିତ କରି ମୀରା ରୋଡ୍ର ଏକ ଘଟଣାର ମଧ୍ୟ ଉଦ୍ଧୃତ କରିଥିଲେ, ଯେଉଁଠାରେ ଜଣେ ବ୍ୟବସାୟୀଙ୍କର ହତ୍ୟା ହୋଇ ଥିଲା। ସେ କହିଛନ୍ତି , କାହାର ମଥାରେ କଣ ଲେଖା ହୋଇଥାଏ ଯେ, ସେ କେଉଁ ଜାତି ବା ସଂପ୍ରଦାୟର? ମୋର କହିବା ହେଲା ଯେ, ବିନା କାରଣରେ କାହାକୁ ମାଡ଼ ମାର ନାହିଁ , ହେଲେ ଯଦି କେହି ଅଧିକ ନାଟକ କରିଥାଏ ତ ପୁଣି ତାର କାନ ତଳେ ନିଶ୍ଚୟ ବଜାଅ ... ହଁ ଆଗାମୀ ଥର ଯେବେ କାହାକୁ ପିଟ ତ ତାର ଭିଡ଼ିଓ କରିବ ନାହିଁ।
ଏହା ପୂର୍ବରୁ ରାଜ ଠାକରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବିସ୍ ଓ କେନ୍ଦ୍ର ସରକାରଙ୍କୁ ମଧ୍ୟ ମରାଠୀ ଭାଷାକୁ ନେଇ ଖୁବ୍ ଘେରିଥିଲେ। ସେ ବ୍ୟଙ୍ଗାତ୍ମକ ଭାବେ କହିଥିଲେ ,ଯଦି ତୁମ ପାଖରେ ବିଧାନସଭାରେ କ୍ଷମତା ଅଛି ...ତ ଆମ ପାଖରେ ମଧ୍ୟ ମହାରାଷ୍ଟ୍ରର ସଡ଼କର କ୍ଷମତା ଅଛି। ଖାଲି ଏତିକି ନୁହେଁ ରାଜ୍ କହିଛନ୍ତି ଯେ, ମୋ ପାଖକୁ ରାଜ୍ୟର ଶିକ୍ଷା ମନ୍ତ୍ରୀ ଆସିଥିଲେ...ମୁଁ ତାଙ୍କୁ ସ୍ପଷ୍ଟ ଭାବେ କହି ଦେଇଛି କି ମୁଁ ଆପଣଙ୍କ କଥା ଶୁଣିବି ନିଶ୍ଚୟ ହେଲେ ମାନିବି ନାହିଁ।