ସରିଲା ଜନ୍ମବେଦୀରେ ଚତୁର୍ଦ୍ଧାମୁରତୀଙ୍କ ଲୀଲାଖେଳା, ଧାଡି ପହଣ୍ଡିରେ ବାହୁଡିବେ ବାହୁଡ଼ାବ୍ରହ୍ମ

Published By : Prameya-News7 Bureau | July 05, 2025 IST

ପୁରୀ,୫/୦୬: ସରିଲା  ଆଡ଼ପମଣ୍ଡପ ଲୀଳା । ଭାଇ, ଭଉଣୀଙ୍କୁ  ଧରି ବାହୁଡ଼ିବେ କାଳିଆ ସାଆନ୍ତେ । ବାହୁଡ଼ା ଯାତ୍ରା ପାଇଁ ଶରଧାବାଲିରେ ଅପେକ୍ଷା କରିଛନ୍ତି  ତିନି ରଥ । ହେରାପଞ୍ଚମୀରେ ମହାଲକ୍ଷ୍ମୀ ଗୁଣ୍ଡିଚା ମନ୍ଦିର ଆସି ଫେରିଗଲା ପରେ ମହାପ୍ରଭୁ ଶ୍ରୀମନ୍ଦିରକୁ ଫେରିଯିବାକୁ ମନ ବଳାଇଛନ୍ତି । ଦଶମୀ ତିଥିରେ ଦାରୁଦିଅଁ ବଡ଼ଦେଉଳ ଅଭିମୁଖେ  ପ୍ରତ୍ୟାବର୍ତ୍ତନ କରୁଛନ୍ତି । 

ଶୁକ୍ରବାର ଆଡ଼ପ ମଣ୍ଡପରେ ପ୍ରାୟ ୩ ଲକ୍ଷ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ ପାଇଛନ୍ତି । ଦିନ ତମାମ ପାଗ ମେଘୁଆ ଥିଲା । କିଛି ସମୟ ଝିପିଝିପି ବର୍ଷିଥିଲା । ଏଣୁ ଥଣ୍ଡା ପାଗରେ ଭକ୍ତମାନେ ବେଶ୍‌ ଆନନ୍ଦରେ  ଶରଧାବାଲିରେ ପହଞ୍ଚି ବ୍ୟାରିକେଡରେ  ଲମ୍ୱା ଧାଡ଼ିରେ ଅପେକ୍ଷା କରୁଥିଲେ ।  ନୃସିଂହ ମନ୍ଦିର ନିକଟସ୍ଥ ଉତ୍ତରଦ୍ୱାର  ଦେଇ ସେବାୟତ ପରିବାର ଦର୍ଶନକୁ  ଯାଇଥିଲେ । ନୀତି ସହଳ ହୋଇ ଅନ୍ନ ମହାପ୍ରସାଦ ବାହାରିବାରେ ଦର୍ଶନ  ସମେତ ଆଡ଼ପ ଅବଢ଼ା ପାଇବାର  ସୌଭାଗ୍ୟ ମିଳିଥିଲା । 

ବଡ଼ ଆନନ୍ଦରେ ଜନ୍ମବେଦିରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ  କରି ଆନନ୍ଦବଜାର ହୋଇ ନାକଚଣା  ଦ୍ୱାରବାଟେ ଶରଧାବାଲିକୁ ଆସୁଥିଲେ ଭକ୍ତ । ରଥାରୂଢ ହୋଇ ସାତ ମୂର୍ତ୍ତି  ଶ୍ରୀମନ୍ଦିରକୁ ବାହୁଡ଼ି ଯିବେ । ବାହୁଡ଼ାଯାତ୍ରା  ପାଇଁ ପୂର୍ବ ନିର୍ଦ୍ଧାରିତ ପହଣ୍ଡି ଆରମ୍ଭ ସମୟ  ୧୨ଟା ରହିଥିବା ସ୍ଥଳେ ରଥ ଟଣା ସମୟ  ରହିଛି ଅପରାହ୍ନ ୪ଟା । ବାହୁଡ଼ା ନୀତି ସହଳ କରିବାକୁ ପ୍ରଶାସକ ଓ ସେବକଙ୍କ ଭିତରେ ଚାଲିଛି ସଜବାଜ । ସନ୍ଧ୍ୟା ଦର୍ଶନରେ ପୂର୍ବ ନିର୍ଦ୍ଧାରିତ ସମୟଠାରୁ ଶୁକ୍ରବାର ନୀତି ପ୍ରାୟ ଦେଢ଼ ଘଣ୍ଟା ଆଗୁଆ ରହିଛି । 

ବାହୁଡ଼ାରେ ସ୍ଥିରୀକୃତ  ସମୟର ଯଥେଷ୍ଟ ପୂର୍ବରୁ ଠାକୁରଙ୍କ ପହଣ୍ଡି କରିବାକୁ ପ୍ରସ୍ତୁତି ଚାଲିଥିବା ସୂଚନା ମିଳୁଛି ।  ଆଜି ଶରଧାବାଲି ଥିଲା ଲୋକାରଣ୍ୟ । ଅପରାହ୍ନରୁ ଶ୍ରୀଗୁଣ୍ଡିଚା ଘରେ ଭକ୍ତଙ୍କ ଅସମ୍ଭବ ଭିଡ଼ ହୋଇଥିଲା । ସନ୍ଧ୍ୟା ପାଖେଇବା ବେଳକୁ ଶରଧାବାଲିରେ ଭିଡ଼ ବଢୁଥିଲା । ଘୋଷଣା ହୋଇଥିଲା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦର୍ଶନ ମିଳିବ । ହେଲେ ଅପରାହ୍ନ ୫ଟା୧୫ ମିନିଟ୍‌ରେ ବାରିକେଡ଼୍‌ରେ ଶ୍ରଦ୍ଧାଳୁଙ୍କୁ ପ୍ରବେଶ ଅନୁମତି ଦିଆଯାଉ ନଥିଲା । ଏଣୁ ହଜାର ହଜାର ଭକ୍ତ ଠାକୁରଙ୍କ ସନ୍ଧ୍ୟା ଦର୍ଶନ ନପାଇ ମନଦୁଃଖରେ  ଫେରିଥିବା ଲକ୍ଷ୍ୟ କରାଯାଇଥିଲା । 

ସନ୍ଧ୍ୟା ଦର୍ଶନ ଅବସରରେ ଠାକୁରଙ୍କ ନୀତି  ଶୃଙ୍ଖଳିତ ଥିଲା । ସେବକ ଓ ପ୍ରଶାସକ ମିଳିତ ଭାବେ ମହାପ୍ରଭୁଙ୍କ ନୀତି ଶୃଙ୍ଖଳିତ  କରିବାକୁ ଲାଗି ପଡ଼ିଥିଲେ । ପ୍ରାୟ ଦେଢ଼ ଘଣ୍ଟା ଆଗୁଆ ଥିଲା ଦେବ ନୀତି । ହେଲେ  ମହାପ୍ରସାଦ ଦରକୁ ନିୟନ୍ତ୍ରଣ କରା ନଯିବାରେ ଭକ୍ତମାନେ ଅଧିକ ମୂଲ୍ୟ ଦେଇ  ମହାପ୍ରସାଦ କିଣିଥିବା ଅଭିଯୋଗ କରିଥିଲେ । ବାହୁଡ଼ା ଯାତ୍ରା ପାଇଁ ଶ୍ରୀଗୁଣ୍ଡିଚାରେ ଯାନବାହନ ଲାଗି ଯେଉଁ କଟକଣା ଥିଲା ତାହା ଅପରିବର୍ତ୍ତିତ ରହିଛି । 

ପାସ୍‌ ଥିବା ଗାଡ଼ିକୁ ମାଳତିପାଟପୁରଠାରୁ ସିଧା ଯିବାକୁ ଦିଆଯିବ । ଉକ୍ତ ଗାଡ଼ିଗୁଡ଼ିକ ବୀରହରେକୃଷ୍ଣପୁରରୁ ବାଇପାସ୍‌ରେ ଛଡ଼ାଯିବ ।  ବିନା ପାସ୍‌ଧାରୀ ସମସ୍ତ ଯାନକୁ ମାଳତିପାଟପୁରଠାରୁ ଆର୍‌ଓବି ଦେଇ ଗ୍ରିଡ  ଷ୍ଟେସନ ଛକରୁ ତାଳବଣିଆରେ ପାର୍କିଂକୁ ଯିବେ । ୨୧ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା  କରାଯାଇଛି । 

ସେଠାରେ ପୁଲିସ କର୍ମଚାରୀମାନେ ଉପସ୍ଥିତ ରହି ଶୃଙ୍ଖଳିତ ଭାବେ  ଗାଡ଼ିଗୁଡ଼ିକୁ ପାର୍କିଂ କରାଇବେ । ଅତ୍ୟଧିକ ଭିଡ଼ ପରିଲକ୍ଷିତ ହେଲେ ଟ୍ରାଫିକ କଟକଣା ପରିବର୍ତ୍ତନ କରାଯିବ । ଜଣେ ଶ୍ରଦ୍ଧାଳୁ କିଭଳି ଟ୍ରାଫିକକୁ ହଇରାଣ  ହରକତ ନ ହେବ ତାହା ଉପରେ ଗୁରୁତ୍ୱ ଦିଆଯାଇଛି । ମୋଟ ୨୦୫ ପ୍ଲାଟୁନ୍‌ ଫୋର୍ସ  ମୁତୟନ କରାଯାଇଥିବା ବେଳେ ସେଥିରୁ ୫୦ ପ୍ଲାଟୁନ୍‌ ଟ୍ରାଫିକ୍‌ ଡ୍ୟୁଟି କରିବେ ।  ରଥ ସୁରକ୍ଷାରେ ୬ ଆଇପିଏସ୍‌ଙ୍କୁ ନିୟୋଜିତ କରାଯାଇଛି ।

  • Ratha Yatra 2025
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.