ଭୁବନେଶ୍ୱର ୧୩।୦୧ : ହଂସିତା-ଅନିଲ୍ ଗିରଫ ମାମଲା । ଗିରଫ ପରେ ସୋମବାର ଦିନ ଉଭୟଙ୍କ ଜାମିନ ଆବେଦନର ଶୁଣାଣି ହେବ । ତେବେ ଯଦି ଜାମିନ ଆବେଦନ ଖାରଜ ହୁଏ, ତେବେ ଉଭୟ ପୁଣି ଥରେ ଝାରପଡ଼ା ଜେଲ୍କୁ ଯିବେ ବୋଲି ଜଣାପଡିଛି ।
ବିଭିନ୍ନ ଲୋକଙ୍କୁ ଠକେଇ ଅଭିଯୋଗରେ କମିଶନରେଟ୍ ପୋଲିସ ହାତରେ ବନ୍ଧା ହୋଇଥିଲେ ହଂସିତା ଏବଂ ତାଙ୍କ ସହଯୋଗୀ । ତେବେ ହଂସିତା ଗିରଫ ପରେ ଅନେକ ଗୁମର ଖୋଲିଥିଲା । ଏପିରିକି ଲଗାତର ୪ ଦିନ ଧରି ଆୟକର ବିଭାଗ ଏବଂ ପୋଲିସ ହଂସିତା ଏବଂ ଅନିଲଙ୍କ ବିଭିନ୍ନ ଠିକଣାରେ ଚଢାଉ କରିଥିଲେ । ଏହି ଚଢାଉରେ ପୋଲିସ ଏବଂ ଆୟକର ବିଭାଗ ଟିମ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିଲା ।
ତେବେ କମିଶନରେଟ୍ ପୋଲିସ ହାତରେ ଗିରଫ ହୋଇଥିବା ହଂସିତା ଓ ଅନୀଲଙ୍କ କଳା ସାମ୍ରାଜ୍ୟର ତଦନ୍ତ ଭାର ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କରିବ ବୋଲି ସୂଚନା ମିଳିଛି । ଉଭୟଙ୍କ ସମ୍ପତ୍ତି ପରିମାଣ ଦେଖି ଆର୍ଥିକ କାରବାର ଓ କଳାଧନର ଉତ୍ସ ଖୋଜିବାକୁ ଇଡି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି । ଅନୀଲ ଓ ହଂସିତାଙ୍କ ବିରୋଧରେ ହୋଇଥିବା ଏତଲା କପି, ସମସ୍ତ ତଥ୍ୟ ଓ କାଗଜପତ୍ର କମିଶନରେଟ ପୋଲିସ ଓ ଆୟକର ବିଭାଗ ଠାରୁ ସଂଗ୍ରହ କରିଛି ଇଡି।