ନୂଆଦିଲ୍ଲୀ ୦୩/୦୬: ଚଳିତମାସ ୬ ଓ ୭ ତାରିଖରେ ସାରା ବିଶ୍ୱରେ ଇଦ୍-ଅଲ-ଅଜହା ଅର୍ଥାତ ବକରି-ଇଦ୍ ପାଳନ ହେବାକୁ ଯାଉଛି । କୋରାନ ଅନୁଯାୟୀ ଏହି ଦିନରେ ମୁସଲିମ୍ ସଂପ୍ରଦାୟର ଲୋକେ ଛେଳିକୁ ମାରିି ଆଲ୍ଲାକୁ ସମର୍ପିତ କରିଥାନ୍ତି । ହେଲେ ଚଳିତ ବର୍ଷରୁ ଏହି ନିୟମରେ ହେବ ପରିବର୍ତ୍ତନ । କାରଣ ବଡ ନିଷ୍ପତ୍ତି ନେଇଛି ମୁସଲିମ୍ ଦେଶ । ୯୯ ପ୍ରତିଶତ ମୁସଲିମ୍ ରହୁଥିବା ଏହି ଦେଶ ମୋରକ୍କୋ ଜୀବହତ୍ୟାକୁ ନେଇ ବଡ଼ ନିଷ୍ପତ୍ତି ନେଇଛି । ରାଜାଙ୍କ ତରଫରୁ ଦେଶର ନାଗରିକଙ୍କୁ ନିର୍ଦ୍ଦେଶ ଦିଆଯାଇଛି କି, ବକରିଦରେ ଛେଳି କିମ୍ବା କୌଣସି ଜୀବ ହତ୍ୟା କରାଯାଇପାରିବ ନାହିଁ ।
ମୋରକ୍କୋର ରାଜା ମହମ୍ମଦ ଷଷ୍ଠଙ୍କ ଏଭଳି ନିଷ୍ପତ୍ତି ପରେ ଶୁଭିଛି ପ୍ରତିବାଦର ସ୍ୱର । ଦେଶର ନାଗରିକମାନେ କ୍ଷୋଭ ପ୍ରକାଶ କରିଛନ୍ତି । ରାଜା କେବଳ ନିର୍ଦ୍ଦେଶ ଦେଇନାହାଁନ୍ତି ବରଂ ଦେଶର ବିଭିନ୍ନ ସହର ଉପରେ ସେନା ତରଫରୁ ଚଢାଉ ଜାରି ରହିଛି । ବକରିଦରେ ଜୀବ ହତ୍ୟା କରି ତାକୁ ଆଲ୍ଲାଙ୍କୁ ସମର୍ପିତ କରିବା ମୁସଲିମ୍ ସଂପ୍ରଦାୟର ଏକ ବିଶ୍ୱାସର ପରମ୍ପରା ।
ମୋରକ୍କୋରେ ଏବେ ମରୁଡି ଲାଗି ରହିଛି । ଫଳରେ ଦେଶରେ ପଶୁ ପକ୍ଷୀଙ୍କ ସଂଖ୍ୟା କମିବାରେ ଲାଗିଛି । ଏହାକୁ ନଜରରେ ରଖି ରାଜା ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ରାଜାଙ୍କ ଏଭଳି ନିର୍ଦ୍ଦେଶ ପରେ ସାରା ଦେଶରେ ପଶୁଙ୍କ କିଣା ବିକ୍ରି ଉପରେ ପ୍ରତିବନ୍ଧକ ଲାଗିଛି । ସେପଟେ ରାଜାଙ୍କର ଏଭଳି ନିଷ୍ପତ୍ତିକୁ ବିଶ୍ୱ ମୁସଲିମ୍ ସମୁଦାୟ ଅଭିଯୋଗ ଆଣିଛି । ବିଶ୍ୱ ମୁସଲିମ୍ ସମୁଦାୟ ଏହାକୁ ସାଂଘାତିକ ନିଷ୍ପତ୍ତି ବୋଲି କହିଛି ।