ଭୁବନେଶ୍ବର ୧୩।୮: ଅପହୃତା ଓ ଅପହରଣକାରୀକୁ ଖୋଜି ପାରିଲାନି ପୋଲିସ । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସସ୍ପେଣ୍ଡ ହେଲେ ତଦନ୍ତକାରୀ ଅଧିକାରୀ । ଭଦ୍ରକ ଜିଲ୍ଲା ଧାମନଗର ଥାନା ଏଏସ୍ଆଇ ନେପାଳ ସାହା ନିଲମ୍ବିତ ହୋଇଛନ୍ତି । ସେପଟେ ଅପହରଣର ୫୫ ଦିନ ପରେ ଅପହୃତା ନାବାଳିକା ଛାତ୍ରୀ ଉଦ୍ଧାର ହୋଇଛନ୍ତି । ଅପହରଣକାରୀ ପାଇଁ ତଦନ୍ତକାରୀ ଅଧିକାରୀ ଅନୁକମ୍ପା ଦେଖାଉଥିବା ନେଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ନାବାଳିକା ଛାତ୍ରୀଙ୍କ ବାପା-ମା’ ।
ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଧାମନଗର ଥାନା କାଙ୍କରା ଗ୍ରାମର ଜନୈକା ନାବାଳିକା ଛାତ୍ରୀଙ୍କୁ ଏହି ଥାନା ଅନ୍ତର୍ଗତ ତାଳପଦା ଗ୍ରାମର ଜନୈକ ଯୁବକ ଜୁନ୍ ମାସ ୧୭ ତାରିଖରେ ଅପହରଣ କରିଥିବା ନେଇ ଅଭିଯୋଗ ହୋଇଥିଲା । ଛାତ୍ରୀଙ୍କ ଦୁଇ ଜଣ ସାଙ୍ଗଙ୍କ ସହଯୋଗରେ ଅପହରଣ କରିଥିବା ନେଇ ଛାତ୍ରୀଙ୍କ ମା’ ଧାମନଗର ଥାନାରେ ଅଭିଯୋଗ କରିଥିଲେ । ଧାମନଗର ଥାନା ଅଧିକାରୀ ଏହାର ତଦନ୍ତ ଦାୟିତ୍ୱ ଏଏସ୍ଆଇ ନେପାଳ ସାହାଙ୍କୁ ଦେଇଥିଲେ । ଉଭୟ ଅପହୃତା ଛାତ୍ରୀ ଓ ଅପହରଣକାରୀ ଯୁବକଙ୍କୁ ଠାବ କରିପାରିନଥିଲେ ତଦନ୍ତକାରୀ ଅଧିକାରୀ ।
ତେବେ ଅଭିଯୋଗର ୫୫ ଦିନ ପରେ ଧାମନଗର ପୋଲିସ ଏକ ସ୍ବତନ୍ତ୍ର ସ୍କ୍ୱାଡ୍ ଗଠନ କରିଥିଲେ । ଗତ ୧୧ ତାରିଖ ବିଳମ୍ୱିତ ରାତିରେ କେନ୍ଦୁଝର ଜିଲ୍ଲାର ଏକ ଭଡାଘରୁ ନାବାଳିକା ଛାତ୍ରୀଙ୍କୁ ଉଦ୍ଧାର କରିଥିଲା ଏହି ଟିମ୍ । ନାବାଳିକାଙ୍କୁ ଡାକ୍ତରୀ ମାଇନା କରିବା ପରେ ଭଦ୍ରକ ଆସିଆନାରେ ରଖାଯାଇଥିବା ଜଣାପଡିଛି ।
ସେପଟେ ନାବାଳିକା ଛାତ୍ରୀଙ୍କୁ ଖୋଜିବାରେ ବିଳମ୍ୱ ନେଇ ତାଙ୍କ ପରିବାର ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ । ଧାମନଗର ଥାନା ଆଇଆଇସି ଓ ତଦନ୍ତକାରୀ ଅଧିକାରୀଙ୍କୁ ଗତ ୧୧ ତାରିଖରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହି ଘଟଣାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ତଦନ୍ତକାରୀ ଅଧିକାରୀ ଏଏସଆଇ ନେପାଳ ସାହାଙ୍କୁ ଭଦ୍ରକ ଏସ୍ପି ମନୋଜ ରାଉତ ନିଲମ୍ୱିତ କରିଛନ୍ତି ।
ଘଟଣାରେ ମୁଖ୍ୟ ଅଭିଯୁକ୍ତ ସହ ଜଣେ ଅଭିଯୁକ୍ତ ଫେରାର ହୋଇଥିବା ବେଳେ ଜଣେ ନାବାଳକ ସହଯୋଗୀ ପୋଲିସ ଦ୍ଵାରା ଗିରଫ ହୋଇଛି । ଗିରଫ ନାବାଳକକୁ ସ୍ଵଧାର ଗୃହରେ ଛଡ଼ାଯିବା ସହ ଫେରାର ଦୁଇ ଜଣ ଖୁବ୍ଶୀଘ୍ର ଗିରଫ ହେବେ ବୋଲି ଭଦ୍ରକ ଏସ୍ପି ମନୋଜ ରାଉତ କହିଛନ୍ତି ।
You Can Read:
ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା