ମହାଙ୍ଗା ବ୍ଲକ୍ ଅଧ୍ୟକ୍ଷଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗ : ତଦନ୍ତ ଦାବି କଲା ବିଜେଡି

Published By : Prameya-News7 Bureau | May 15, 2025 IST

ଭୁବନେଶ୍ବର ମାହାଙ୍ଗା ବ୍ଲକ୍ ଅଧ୍ୟକ୍ଷଙ୍କ ନାଁରେ ଅନାସ୍ଥା ପ୍ରସ୍ତାବକୁ ନେଇ ବର୍ଷିଲା ବିଜେଡି । ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତ ସିଂହାର କହିଛନ୍ତି, ୨୦୨୪ ନିର୍ବାଚନ ପରେ ଶାସକ ଦଳ ଓ ଅନ୍ୟ କିଛି ଗୋଷ୍ଠୀ ଗଣତନ୍ତ୍ରକୁ ସମ୍ମାନ ଦେଉ ନାହାନ୍ତି । ଯେଉଁଠି ପଞ୍ଚାୟତି ରାଜ ଅନୁଷ୍ଠାନ ତାଙ୍କ ସପକ୍ଷରେ ନାହିଁ ସେଗୁଡିକୁ ଭାଙ୍ଗିବା ପାଇଁ ଚେଷ୍ଟା କରୁଛନ୍ତି । ଯେଉଁଠି ବିଜେଡିର ବ୍ଲକ ଅଧ୍ୟକ୍ଷ କିମ୍ବା ସ୍ୱାଧୀନ ରହିଛନ୍ତି ସେଠି ତାଙ୍କୁ ଭାଙ୍ଗିବାକୁ ଚେଷ୍ଟା କରାଯାଉଛି । ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ବ୍ଲକ ଅଧ୍ୟକ୍ଷଙ୍କ ନାଁରେ ବିଧାୟକ ଶାରଦା ପ୍ରଧାନଙ୍କ ସମର୍ଥକ ମାନେ ଅନାସ୍ଥା ଆଣିଥିଲେ । କିନ୍ତୁ ଭୋଟିଂ ଦିନ ପିଆରଆଇ ମେମ୍ବର ଅସୁସ୍ଥ ହୋଇଗଲେ । ତାଙ୍କୁ ଜଣାଥିଲା ଯେ ତାଙ୍କ ଅନାସ୍ଥା କାଟ୍ ଖାଇଯିବ । ତେଣୁ ଏଭଳି ନାଟକ କରାଯାଇଛି । 

ମହାଙ୍ଗା ବ୍ଲକ ଅଧ୍ୟକ୍ଷଙ୍କ ବିରୁଦ୍ଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ନେଇ ତଦନ୍ତ କରାଯାଉ ବୋଲି ବିଜେଡି ଦାବି କରୁଛି । କାହିଁକି କେଉଁ ପରିସ୍ଥିତିରେ ଅନାସ୍ଥା ଅଣାଗଲା ଆଉ ଅନାସ୍ଥା ଆଣିଥିବା ପିଆରଆଇ ମେମ୍ବର କେମିତି ଅସୁସ୍ଥ ହୋଇଗଲେ । ସେ କେଉଁଠି ଚିକିତ୍ସା ହେଲେ ତାଙ୍କୁ କ'ଣ ରୋଗ ହୋଇଥିଲା ସେନେଇ ମେଡ଼ିକାଲରେ ଯାଞ୍ଚ ମଧ୍ୟ ହେଉ । ଯେଉଁ ଅଧିକାରୀ ଭୋଟିଂ କରିବା କଥା ସେ କେମିତି ଛୁଟିରେ ରହିଗଲେ । ଆଉ ପରବର୍ତ୍ତୀ ସମୟରେ ଭୋଟିଂ କଲେ ନାହିଁ । ଦୁଇଟି ଏତଲା ଦାୟର ହୋଇଛି ତେଣୁ ପୋଲିସ ନିକଟରେ ଆମେ ଦାବି କରୁଛୁ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉ । 

ଯେଉଁ ପିଆରଆଇ ମେମ୍ବରଙ୍କୁ ଧମକ ଚମକ ଦିଆଯାଇଛି ତାଙ୍କୁ ସୁରକ୍ଷା ଦିଆଯାଉ । ଯିଏ ଧମକ ଦେଇଛନ୍ତି ତାଙ୍କୁ ଗିରଫ କରାଯାଉ ବୋଲି ବିଜେଡ଼ି ଦାବି କରୁଛି । ଅନାସ୍ଥା ଭୋଟିଂକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ କରାଯାଇ ପାରିବ ନାହିଁ । ଥରେ ଯଦି ଅନାସ୍ଥା ଭୋଟିଂ ପାଇଁ ନିର୍ଦ୍ଦେଶ ହେଲା ତାକୁ ଆଉ ଗୋଟେ ତାରିଖ ଦିଆଯାଇପାରିବ ନାହିଁ କି ସ୍ଥଗିତ ରଖାଯାଇ ପାରିବନାହିଁ । 

ସେହିପରି କୁକୁଡ଼ାଖଣ୍ଡିରେ ମଧ୍ୟ ୩ ଥର ତାରିଖ ଦିଆଗଲାଣି । ଏହା କେମିତି ସମ୍ଭବ ହେଉଛି । କେଉଁ ନୀତି ନିୟମ ଏବଂ ମାନୁଆଲ ଆଧାରରେ କରାଯାଉଛି ସରକାର ଉତ୍ତର ରଖନ୍ତୁ ବୋଲି ଲେଖାଶ୍ରୀ କହିଛନ୍ତି । 


You Can Read:

କର୍ଣ୍ଣେଲ ସୋଫିଆ କ୍ୟୁରେସୀଙ୍କୁ ନେଇ ଘୃଣ୍ୟ ମନ୍ତବ୍ୟ ପ୍ରସଙ୍ଗ : ମଧ୍ୟପ୍ରଦେଶ ମନ୍ତ୍ରୀଙ୍କ ବୟାନକୁ ବିଜେଡିର ନିନ୍ଦା


  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.