ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ତିରୋଧାନ ଦିବସ, ବିଜୁ ପଟ୍ଟନାୟକ ପାର୍କରେ ପୁଷ୍ପମାଲ୍ୟ ଅର୍ପଣ କଲେ ନବୀନ ପଟ୍ଟନାୟକ

Published By : Prameya-News7 Bureau | April 17, 2025 IST

ଭୁବନେଶ୍ବର ୧୭ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୨୮ତମ ତିରୋଧାନ ଦିବସ । ଏହି ଅବସରରେ ବିଜୁ ପଟ୍ଟନାୟକ ପାର୍କରେ ପୁଷ୍ପମାଲ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ ।

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ଅବସରରେ ବିଜୁ ପଟ୍ଟନାୟକ ପାର୍କରେ ପୁଷ୍ପମାଲ୍ୟ ଅର୍ପଣ କାର୍ଯ୍ୟକ୍ରମ ଆୟୋଜିତ କରିଛି ବିଜେଡି । ବିଜୁ ପଟ୍ଟନାୟକ ପାର୍କରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ ।

ଏହି ଅବସରରେ ବିଜେଡି ସମନ୍ବୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ର, ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସ, ଭୃଗୁ ବକ୍ସିପାତ୍ର, ସଂତୃପ୍ତ ମିଶ୍ର, ବ୍ୟୋମକେଶ ରାୟ, ଅଶୋକ ପଣ୍ଡା, ପ୍ରତାପ ଜେନା, ସୁଦାମ ମାରାଣ୍ଡି, ସଞ୍ଜୟ ଦାସବର୍ମା, ପ୍ରଣବ ବଳବନ୍ତରାୟ, ସାଂସଦ ମୁନ୍ନା ଖାଁ, ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଉତ୍ତର ବିଧାୟକ ସୁଶାନ୍ତ ରାଉତ, ମେୟର ସୁଲୋଚନା ଦାସ, ମନ୍ମଥ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ ।

ସେହିପରି ଶଙ୍ଖ ଭବନ ଠାରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ଗମ୍ଭୀର ପରିବେଶରେ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ବିଜେଡି ସଭାପତି ନବୀନ ପଟ୍ଟନାୟକ ସ୍ବର୍ଗତ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଥିଲେ ଯେ, ବିଜୁ ବାବୁ ଜଣେ ଓଡ଼ିଆ ଭାବରେ ସବୁବେଳେ ଗର୍ବ କରୁଥିଲେ । ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟରେ ପରିଣତ କରିବା ତାଙ୍କର ଲକ୍ଷ୍ୟ ଥିଲା । ବିଜୁ ବାବୁଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ବିଜେଡି ସରକାର ଅନେକ ପଦକ୍ଷେପ ନେଇଥିଲା । ଏହି ସମୟ ମଧ୍ୟରେ ବହୁତ ଭଲ କାମ ହୋଇଥିଲା, ଯେଉଁଥିପାଇଁ ଓଡ଼ିଶାକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଅନେକ ସ୍ୱୀକୃତି ମଧ୍ୟ ମିଳିଥିଲା । 

ବିଜୁ ବାବୁଙ୍କ ସ୍ମୃତି ଚାରଣ କରି ନବୀନ କହିଥିଲେ ଯେ, ଦେଶର ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥାକୁ ଶକ୍ତିଶାଳୀ କରିବା ଓ ମହିଳା ସଶକ୍ତିକରଣ ହେଉଛି ଭାରତୀୟ ରାଜନୀତିକୁ ବିଜୁ ବାବୁଙ୍କ ଶ୍ରେଷ୍ଠ ଅବଦାନ । ବିଜୁ ବାବୁଙ୍କ ଅବଦାନକୁ କେହି ଭୁଲି ପାରିବେ ନାହିଁ ବୋଲି ନବୀନ କହିଥିଲେ ।

ବରପୁତ୍ର ମାନଙ୍କ ତ୍ୟାଗ ଓ ଅବଦାନକୁ ନ୍ୟୁନ କରିବା ପାଇଁ ବର୍ତ୍ତମାନ କିଛି ଲୋକ ଯେଭଳି ଉଦ୍ୟମ କରୁଛନ୍ତି ଏବଂ ଇତିହାସ ବଦଳେଇବାକୁ ଚେଷ୍ଟା କରୁଛନ୍ତି ସେଥିରେ କ୍ଷୋଭ ପ୍ରକାଶ କରି ନବୀନ କହିଥିଲେ ଯେ, ଇତିହାସ ହେଉଛି ଗୋଟିଏ ନିର୍ଦ୍ଦିଷ୍ଟ କାଳଖଣ୍ଡରେ ଗୋଟିଏ ଜାତିର ସାମୁହିକ ଅନୁଭବର ପରିପ୍ରକାଶ । ଏହାକୁ କେହି ବଦଳେଇ ପାରିବେ ନାହିଁ ବୋଲି ସେ ମତବ୍ୟକ୍ତ କରିଥିଲେ । ତେଣୁ ଏଥିରେ ସମୟ ନଷ୍ଟ ନ କରି ବିକାଶ ଇତିହାସରେ ନୂଆ ଅଧ୍ୟାୟ ଯୋଡି ପାରିଲେ ରାଜ୍ୟର ମଙ୍ଗଳ ହେବ ବୋଲି ନବୀନ ପଟ୍ଟନାୟକ କହିଥିଲେ ।

ବିଧାୟକ ସୁଶାନ୍ତ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବରିଷ୍ଠ ନେତା ଅଶୋକ ପଣ୍ଡା, ଅମର ପଟ୍ଟନାୟକ, ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ମେୟର ସୁଲୋଚନା ଦାସ ପ୍ରମୁଖ ଉଦବୋଧନ ଦେଇ ବିଜୁ ବାବୁଙ୍କୁ ଶ୍ରଦ୍ଧା ନିବେଦନ କରିଥିଲେ । ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଓ ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଧନ୍ୟବାଦ ଅର୍ପଣ କରିଥିଲେ ।

You Can Read:

ଦିନିକିଆ ଓଡ଼ିଶା ଗସ୍ତରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ, ୧୯ଟି ପ୍ରକଳ୍ପର କରିବେ ଉଦ୍‌ଘାଟନ ଓ ଶିଳାନ୍ୟାସ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.