ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦାବିରେ ବିଜେଡିର ଲୋକସେବା ଭବନ ଘେରାଉ ଉଦ୍ୟମ : ପୋଲିସ ସହ ଧସ୍ତାଧସ୍ତି, ଟିୟର ଗ୍ୟାସ୍ ମାଡ଼

Published By : Prameya-News7 Bureau | July 16, 2025 IST

ଭୁବନେଶ୍ବର ୧୬।୭: ଫକୀରମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦେବାକୁ ରାଜରାସ୍ତାକୁ ଓହ୍ଲାଇଲା ବିଜେଡି । ନ୍ୟାୟିକ ତଦନ୍ତ ଦାବିରେ ବିଜେଡିର ରଣହୁଙ୍କାର । ଲୋକସେବା ଭବନ ଘେରାଉ ଉଦ୍ୟମ ବେଳେ ପୋଲିସ ସହ ବିଜେଡି କର୍ମୀ ଧସ୍ତାଧସ୍ତି ହୋଇଛନ୍ତି । ଲୋୟର ପିଏମ୍‌ଜିରେ ପ୍ରଥମ ବ୍ୟାରିକେଡ୍ ଭାଙ୍ଗି ଆଗକୁ ବଢ଼ିବା ବେଳେ ବିଜେଡି କର୍ମୀଙ୍କୁ ଅଟକାଇଲା ପୋଲିସ । ପରିସ୍ଥିତି ନିୟନ୍ତ୍ରଣ ପାଇଁ ଆନ୍ଦୋଳନସ୍ଥଳରେ ବିଜେଡି କର୍ମୀଙ୍କ ଉପରେ ପାଣି ମାଡ଼ କରିଛି ପୋଲିସ । ଆନ୍ଦୋଳନକାରୀଙ୍କ ଉପରକୁ ମଧ୍ୟ ଟିୟର ଗ୍ୟାସ୍ ପ୍ରୟୋଗ କରାଯାଇଛି । 

ଏମିତି କି ଆନ୍ଦୋଳନସ୍ଥଳରେ ଟେକା, ପଥର ମାଡ଼ ମଧ୍ୟ ହୋଇଥିବା ଦେଖିବାକୁ ମିଳିଛି । କିଛି ପୋଲିସ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି । ଟେକା ମାଡ଼ରେ ଜଣେ ଗଣମାଧ୍ୟମ ପ୍ରତିନିଧି ସାମାନ୍ୟ ଆହତ ହୋଇଥିବା ମଧ୍ୟ ସୂଚନା ରହିଛି । ଆନ୍ଦୋଳନ ବେଳେ ବିଜେଡି ନେତା ପ୍ରୀତିରଞ୍ଜନ ଘଡ଼େଇ ଆହତ ହୋଇଛନ୍ତି । ଲୁହବୁହା ଗ୍ୟାସ୍ ପ୍ରୟୋଗ ଯୋଗୁଁ ସେ ଆହତ ହୋଇଥିବା ଜଣାପଡିଛି । ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କାଜୁଆଲଟିରେ ତାଙ୍କର ଚିକିତ୍ସା ଚାଲିଛି । ପୋଲିସର ରବର ବୁଲେଟ୍ ମାଡ଼ରେ ଅନେକ ନେତା ଆହତ ହୋଇଥିବା ସୂଚନା ରହିଛି ।

ଆନ୍ଦୋଳନକାରୀଙ୍କୁ ଉଠାଇ ନେଲା କମିଶନରେଟ୍ ପୋଲିସ । ଶତାଧିକ ବିଜେଡି କର୍ମୀଙ୍କୁ ଉଠାଇ ନେଇ ଅଟକ ରଖିଲା ପୋଲିସ । ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟିକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଲୋକସେବା ଭବନର ସବୁ ଗେଟ୍‌ରେ ପୋଲିସ ଛାଉଣୀ ହୋଇଛି । 

ସେପଟେ ପାଣିମାଡ଼ ଖାଇ ଭୋ ଭୋ ହୋଇ କାନ୍ଦିଲେ ବିଜେଡି କର୍ମୀ । ବିଜେଡି ନେତା କହିଲେ ଆନ୍ଦୋଳନ ଚାପି ଦେବାକୁ ଉଦ୍ୟମ ହେଉଛି । ପାଣି ମାରି ଆମ ସ୍ୱର ବନ୍ଦ କରିବାକୁ ଚାହୁଁଛନ୍ତି । ହେଲେ ପୀଡିତାକୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଆମେ ଲଢେଇ ଜାରି ରଖିବୁ ।

You Can Read:

ଧନାପାଳରେ ଡବଲ୍ ମର୍ଡର, ବାପା-ମା’ଙ୍କୁ ପଥରରେ ଛେଚି ହତ୍ୟା କଲା ପୁଅ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.