ତାମିଲ ଅଭିନେତ୍ରୀ ବି.ସରୋଜା ଦେବୀଙ୍କ ନିଧନ, ୮୭ ବର୍ଷ ବୟସରେ ନେଲେ ଅନ୍ତିମ ନିଶ୍ୱାସ

Published By : Prameya-News7 Bureau | July 14, 2025 IST

ବେଙ୍ଗାଲୁରୁ ୧୪।୭: ଭାରତୀୟ ସିନେମାର ଉଜ୍ଜ୍ୱଳ ନକ୍ଷତ୍ର ବି.ସରୋଜା ଦେବୀଙ୍କର ସୋମବାର ବେଙ୍ଗାଲୁରୁ ମଲ୍ଲେଶ୍ୱରମରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା। ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ। ତାଙ୍କ ପରଲୋକ ଖବର ପ୍ରସାରିତ ହେବା ପରେ ନା କେବଳ କର୍ଣ୍ଣାଟକ ସାରା ଦେଶରେ ଶୋକର ଲହରି ଖେଳି ଯାଇଛି। ସିନେମା ଜଗତ ନା କେବଳ ଜଣେ ଅଭିନେତ୍ରୀଙ୍କୁ ହରାଇଛି ବରଂ ଏକ ଯୁଗକୁ ବିଦାୟ ଦେଇଛି। 

ଅଭିନୟ ସରସ୍ୱତୀ ଓ କନ୍ନଡଥୁ ପ୍ୟାଙ୍ଗିଲୀ ଭଳି ନାମରେ ପ୍ରସିଦ୍ଧ ସେ ଦକ୍ଷିଣ ଭାରତୀୟ ସିନେମାର ପ୍ରମୁଖ ବ୍ୟକ୍ତିତ୍ୱ ଥିଲେ। ସେ କନ୍ନଡ, ତାମିଲ, ତେଲଗୁ ସମେତ ହିନ୍ଦୀ ଭାଷାରେ ୨୦୦ରୁ ଅଧିକ ଚଳଚିତ୍ରରେ ଅଭିନୟ କରିଛନ୍ତି। ସରୋଜା ଦେବୀ ୧୭ ବର୍ଷ ବୟସରେ ଚଳଚିତ୍ର ଜଗତକୁ ପ୍ରବେଶ କରିଥିଲେ ଓ ୧୯୫୫ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ମହାକବି କାଳି ଦାସ’ରେ ତାଙ୍କୁ ଦେଖାଯାଇଥିଲା। ତେବେ ୧୯୫୮ ମସିହାରେ ମୁକ୍ତିଲାଭ କରିଥିବା ‘ନଦୋଦୀ ମନନ’ ଫିଲ୍ମରେ ପରିଚୟ ମିଳିଥିଲା। ଏହି ଫିଲ୍ମରେ ସେ ଏମ.ଜି.ରାମଚନ୍ଦ୍ରନଙ୍କ ବିପକ୍ଷରେ ଅଭିନୟ କରିଥିଲେ। 

ବି. ସରୋଜାଙ୍କ ଜନ୍ମ ୭ ଜାନୁୟାରୀ ୧୯୩୮ରେ କର୍ଣ୍ଣାଟକର ବେଙ୍ଗାଲୁରୁ ସହରରେ ହୋଇଥିଲା। ବୋକ୍କାଲିଗା ପରିବାରରେ ଜନ୍ମିତ ସରୋଜା ଦେବୀଙ୍କ ପିତା ଭୈରପ୍ପା ପୋଲିସ ଅଫିସର ଥିଲେ ଓ ତାଙ୍କ ମା ରୁଦ୍ରାମ୍ମା ଗୃହିଣୀ ଥିଲେ। ପିତାମାତାଙ୍କ ଚତୁର୍ଥ ସନ୍ତାନ ଥିଲେ ବି.ସରୋଜା। କୁହାଯାଏ ତାଙ୍କ ପିତା ତାଙ୍କୁ ନୃତ୍ୟ ଶିକ୍ଷା କରିବାକୁ କହିଥିଲେ ଓ ଅଭିନୟରେ କ୍ୟାରିୟର କରିବାକୁ ପ୍ରୋତ୍ସାହିତ କରୁଥିଲେ। ଅନ୍ୟପଟେ ତାଙ୍କ ମା ଅତ୍ୟନ୍ତ ରକ୍ଷଣଶୀଳ ଥିଲେ। 

ବି.ସରୋଜା ଦେବୀ କନ୍ନଡ ଫିଲ୍ମର ପ୍ରଥମ ସୁପରଷ୍ଟାର ଥିଲେ। ତାଙ୍କୁ କନ୍ନଡ ଫିଲ୍ମ ମହାକବି କାଳି ଦାସରେ ବଡ଼ ବ୍ରେକ୍ ମିଳିଥିଲା। ଜାତୀୟ ପୁରସ୍କାର ବିଜେତା ଏହି ଫିଲ୍ମରେ ସେ ସହକଳାକାର ଥିଲେ।  ୧୯୫୬ରେ ମୁକ୍ତିଲାଭ କରିଥିବା ‘ଥିରୁମନ୍ନମ’ରେ ସେ ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ରଖିଥିଲେ। ୧୯୫୭ରେ ମୁକ୍ତିଲାଭ କରିଥିବା ‘ପଣ୍ଡୁରଙ୍ଗ ମହାତ୍ୟମ’ ତାଙ୍କର ପ୍ରଥମ ତେଲଗୁ ଫିଲ୍ମ ଥିଲା। ୧୯୫୯ରେ ମୁ୍କ୍ତିଲାଭ କରିଥିବା ‘ପୈଗାମ’ ଫିଲ୍ମ ମାଧ୍ୟମରେ ସେ ହିନ୍ଦୀ ଚଳଚିତ୍ର ଜଗତରେ ପାଦ ଥାପିଥିଲେ। ୧୯୫୫ରୁ ୧୯୮୪ ମଧ୍ୟରେ ସରୋଜା ଦେବୀ ଲଗାତାର ୧୬୧ଟି ଫିଲ୍ମରେ ଅଭିନୟ କରିଥିଲେ। ସେ ତାଙ୍କର ପୁରା କ୍ୟାରିୟରରେ ୨୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.