ହରିୟାଣା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ୬୭ ପ୍ରାର୍ଥୀ ନାଁ ଘୋଷଣା କଲା ବିଜେପି, ଲାଡୱାରୁ ଲଢିବେ ମୁଖ୍ୟମନ୍ତ୍ରୀ ସୈନୀ

Published By : Prameya-News7 Bureau | September 04, 2024 IST

ନୂଆଦିଲ୍ଲୀ: ବିଜେପି ବୁଧବାର ହରିୟାଣା ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ପ୍ରଥମ ଲିଷ୍ଟ ଜାରି କରିଛି । ପ୍ରଥମ ପର୍ଯ୍ୟାରେ ୬୭ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । ରାଜ୍ୟର ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନୀଙ୍କୁ ଲାଡୱାରୁ ପ୍ରାର୍ଥୀ କରାଯାଇଛି । ସେହିପରି ବରିଷ୍ଠ ନେତା ଅନିଲ ବିଜ୍‌ଙ୍କୁ ଅମ୍ୱାଲା ଆସନରୁ ଏବଂ ଅରବିନ୍ଦ ଶର୍ମାଙ୍କୁ ଗୁହାନା ଆସନରୁ ଟିକଟ ଦିଆଯାଇଛି । ପାର୍ଟି ବିଭିନ୍ନ ବିଧାନସଭା କ୍ଷେତ୍ରରୁ ଦଳର ପ୍ରମୁଖ ନେତାଙ୍କୁ ନିର୍ବାଚନୀ ମୈଦାନକୁ ଓହ୍ଲାଇବା ପାଇଁ ନିଷ୍ପତ୍ତି ନେଇଛି ।

ବିଜେପିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଜେଜେପିର ତିନି ଜଣ ପୂର୍ବତନ ବିଧାୟକଙ୍କୁ ମଧ୍ୟ ଟିକଟ ଦିଆଯାଇଛି । ଦେବେନ୍ଦ୍ର ବବଲିଙ୍କୁ ଟୋହାନା, ରାମକୁମାର ଗୌତମଙ୍କୁ ସଫିଦୋ ଏବଂ ଉକଲାନାଙ୍କୁ ଅନୂପ ଘାନକୁଙ୍କୁ ଟିକଟ ଦିଆଯାଇଛି ।


ଉଲ୍ଲେଖଯୋଗ୍ୟ ଯେ ହରିୟାଣା ବିଧାନସଭାର ୯୦ ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ । ଅକ୍ଟୋବର ୫ରେ ଭୋଟିଂ ଏବଂ ଅକ୍ଟୋବର ୮ରେ ରେଜଲ୍ଟ ଘୋଷଣା କରାଯିବ । ପ୍ରଥମେ ଅକ୍ଟୋବର ୧ରେ ମତଦାନ ହେବାର ଥିଲା କିନ୍ତୁ ପାର୍ବଣ ଏବଂ ଛୁଟି ଯୋଗୁଁ ନିର୍ବାଚନ ତାରିଖରେ ପରିବର୍ତ୍ତନ କରିଥିଲେ ନିର୍ବାଚନ ଆୟୋଗ ।

ହରିୟାଣା ବିଧାନସଭାର କାର୍ଯ୍ୟକାଳ ୨୦୨୪ ନଭେମ୍ୱର ୩ରେ ଶେଷ ହେବ । ଗତ ବିଧାନସଭା ନିର୍ବାଚନ୨୦୧୯ ଅକ୍ଟୋବରରେ ହୋଇଥିଲା । ହରିୟାଣାରେ ୨୦୧୯ ବିଧାନସଭା ନିର୍ବାଚନରେ ବିଜେପିକୁ ୩୬.୭ ପ୍ରତିଶତ ଭୋଟ ମିଳିଥିଲା । ସେତେବେଳେ ବିଜେପି ୪୦ ଆସନ ଜିତି ସବୁଠୁ ବଡ଼ ପାର୍ଟି ହୋଇଥିଲା । ବିଜେପିକୁ ବହୁମତ ମିଳି ନଥିଲା । କଂଗ୍ରେସକୁ ଗତ ନିର୍ବାଚନରେ ୨୮.୨ ପ୍ରତିଶତ ଭୋଟ ମିଳିଥିଲା ଏବଂ ଦଳ ୩୧ ଆସନ ଜିତିବାରେ ସଫଳ ହୋଇଥିଲା । ଦୁଷ୍ୟନ୍ତ ଚୌଟାଲାଙ୍କ ଜେଜେପିକୁ ୧୦ ଆସନ ମିଳିଥିଲା । ବିଜେପି ଏବଂ ଜେଜେପି କିଛି ସ୍ୱାଧୀନ ବିଧାୟକଙ୍କ ସହ ମିଶି ସରକାର ଗଠନ କରିଥିଲେ । କିନ୍ତୁ ଜେଜେପି ଏବେ ବିଜେପିର ମେଣ୍ଟ ସରକାରରେ ସହଯୋଗୀ ନାହିଁ । ୨୦୧୪ ମସିହାରେ ପ୍ରଥମ ଥର ପାଇଁ ବିଜେପି ରାଜ୍ୟରେ ସରକାର ଗଢିବାରେ ସଫଳ ହୋଇଥିଲା । ବିଜେପି ୪୭ ଆସନ ଜିତି ପୂର୍ଣ୍ଣ ବହୁମତ ସହ ସରକାର କରିଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.