ଆସନ୍ତା ମାସରେ ହୋଇଥାନ୍ତା ବାହାଘର : OYOରୁ ମିଳିଲା ଯୁବତୀଙ୍କ ରକ୍ତାକ୍ତ ମୃତଦେହ, ପୁରୁଷବନ୍ଧୁ ଥାନାରେ ଅଟକ

Published By : Prameya-News7 Bureau | May 15, 2025 IST

ଭୁବନେଶ୍ବର : OYOରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ଦୁଇ ମହଲା ଛାତରୁ ଖସିପଡ଼ି ଯୁବତୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଭୁବନେଶ୍ବର ଜାଗମରା ସ୍ଥିତ ଏକ ଗେଷ୍ଟ ହାଉସରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଯୁବତୀ ଜଣଙ୍କ ହେଲେ ନୟାଗଡ଼ର ସୋନାଲି ମହାପାତ୍ର । ରକ୍ତାକ୍ତ ମୃତଦେହ ଉଦ୍ଧାର କଲା ଖଣ୍ଡଗିରି ଥାନା ପୋଲିସ । ସୋନାଲି ତଳେ ପଡ଼ିବା ବେଳେ ରୁମ୍‌ରେ ଥିଲେ ପୁରୁଷବନ୍ଧୁ । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଅସ୍ପଷ୍ଟ ରହିଛି । ପୁରୁଷବନ୍ଧୁଙ୍କୁ ଅଟକ ରଖି ଖଣ୍ଡଗିରି ପୋଲିସର ପଚରାଉଚରା । ଆସନ୍ତା ମାସରେ ଉଭୟଙ୍କ ବିବାହ ସ୍ଥିର ହୋଇଥିଲା । ଘଟଣାର କାରଣ ଜାଣିବାକୁ ତଦନ୍ତ ଆରମ୍ଭ କରିଥିବା ଖଣ୍ଡଗିରି ଥାନା ପୋଲିସ ମୃତଦେହର ପୋଷ୍ଟମର୍ଟମ୍ ପାଇଁ ପଠାଇଥିବା ବେଳେ OYOର ସିସିଟିଭି ଫୁଟେଜ ଯାଞ୍ଚ କରୁଛି ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ଜାଗମରା ପଞ୍ଚଶଖାନଗରରେ ଥିବା ଏକ OYOକୁ ବୁଧବାର ସକାଳେ ଯୁବତୀ ଜଣଙ୍କ ପୁରୁଷବନ୍ଧୁଙ୍କ ସହ ବାଇକ୍‌ ଯୋଗେ ଯାଇଥିଲେ । ହୋଟେଲର ତୃତୀୟ ମହଲରେ ଥିବା ଏକ ରୁମ୍ ବୁକ୍ କରିଥିଲେ । ଦିନ ତମାମ ସେମାନେ ରୁମ୍‌ରେ ରହିଥିଲେ । ସନ୍ଧ୍ୟା ବେଳକୁ ଉଭୟେ ରୁମ୍‌ରୁ ବାହାରି ମାର୍କେଟ୍‌କୁ ଯାଇଥିଲେ । ସେତେବେଳେ ଉଭୟଙ୍କ ହାବଭାବ ଠିକଠାକ ଥିବା ହୋଟେଲ କର୍ତ୍ତୃପକ୍ଷ ଦେଖିଥିବା କହିଛନ୍ତି । କିଛି ସମୟ ପରେ ଉଭୟେ ମାର୍କେଟରୁ ଫେରି ପୁଣି ରୁମ୍‌କୁ ଯାଇଥିଲେ । ସାଙ୍ଗରେ ରାତ୍ରିଭୋଜନ ପାଇଁ ଖାଦ୍ୟ ବି ଆଣିଥିଲେ । କିନ୍ତୁ ରାତି ୧୧ଟା ବେଳେ ରୁମ୍‌ ଭିତରେ ଉଭୟଙ୍କ ମଧ୍ୟରେ ଖୁବ୍‌ ଜୋରରେ ପାଟିତୁଣ୍ଡ ଲାଗିଥିଲା । ଉଭୟେ ପରସ୍ପରକୁ ଗାଳିଗୁଲଜ କରିଥିଲେ । ଏସବୁ ଶୁଣି ପାଖ ରୁମ୍‌ରେ ରହୁଥିବା ଆଉ ଏକ ପ୍ରେମୀଯୁଗଳ, ହୋଟେଲ କେୟାରଟେକର ଓ ଅନ୍ୟ କର୍ମଚାରୀଙ୍କୁ ଜଣାଇଥିଲେ । ସେମାନେ ଉକ୍ତ ରୁମ୍‌କୁ ଯାଇ କବାଟ ବାଡ଼େଇଥିଲେ । ପାଟିତୁଣ୍ଡ ବନ୍ଦ କରିବାକୁ ଉଭୟଙ୍କୁ କହିଥିଲେ । ରୁମ୍‌ ବାହାରେ ଏତେ ଲୋକଙ୍କୁ ଦେଖି ଉଭୟ ରୁମ୍‌କୁ ଭିତରପଟୁ ବନ୍ଦ କରିଦେଇଥିଲେ ।  

ଝଗଡ଼ାର ସମାଧାନ ହୋଇଗଲା ଭାବି ହୋଟେଲ କର୍ତ୍ତୃପକ୍ଷ ଓ ଅନ୍ୟମାନେ ସେଠାରୁ ଚାଲିଯାଇଥିଲେ । ଏହାର ଅଧଘଣ୍ଟା ପରେ ପ୍ରେମୀଯୁଗଳ ରୁମ୍‌କୁ ବାହାରୁ ତାଲା ମାରି ଛାତ ଉପରକୁ ଯାଇଥିଲେ । ସେଠାରେ ପୁଣି କିଛି ସମୟ ଧରି ଉଭୟଙ୍କ ଭିତରେ ଝଗଡ଼ା ହୋଇଥିଲା । କଥା ମାରପିଟ ଯାଏଁ  ଯାଇଥିଲା । ହଠାତ କ’ଣ ହେଲା କେଜାଣି ଯୁବତୀ ଜଣଙ୍କ ଛାତ ଉପରୁ ତଳକୁ ପଡିଗଲେ । OYO କର୍ତ୍ତୃପକ୍ଷ ଏନେଇ ପୋଲିସକୁ ଖବର ଦେଲେ । ପୋଲିସ ଘଟଣାସ୍ଥଳକୁ ଯାଇ ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ଉଦ୍ଧାର କରି କ୍ୟାପିଟାଲ   ହସ୍ପିଟାଲ ନେଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ପୁରୁଷବନ୍ଧୁଙ୍କୁ ପଚରାଉଚରା କରିବାରୁ ଜଣାପଡିଛି ଯେ, ଉଭୟଙ୍କ ପ୍ରେମ ସମ୍ପର୍କ ବିଷୟରେ ଉଭୟଙ୍କ ପରିବାର ଲୋକ ଜାଣିଥିଲେ । ଆସନ୍ତା ମାସରେ ସେମାନଙ୍କ ବିବାହ ସ୍ଥିର ହୋଇଥିଲା । କେଉଁ କାରଣ ପାଇଁ ଝଗଡ଼ା ହୋଇଥିଲା, ସେନେଇ ସେ ମୁହଁ ଖୋଲିନାହାନ୍ତି ।

You Can Read:

ବିଜେଡିରେ ହଲଚଲ, ସଂଖ୍ୟାଲଘୁ ସଂପ୍ରଦାୟରୁ ମୁନ୍ନା ଖାଁ ଇସ୍ତଫା ଦେଇଥିବା ଚର୍ଚ୍ଚା


  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.