ଜେଲ୍ ଯିବେ ବଣେଇ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ, ଠୁଳ କରିଥିଲେ ଆୟଠୁ ଅଧିକ ସମ୍ପତ୍ତି

Published By : Prameya-News7 Bureau | January 31, 2025 IST

ବଣାଇ ୩୧/୦୧: ଗିରଫ ହୋଇପାରନ୍ତି ବଣେଇ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ବିଶ୍ଵଦର୍ଶୀ ସାହୁ।  ଆୟ ବହିର୍ଭୁତ ସଂପତ୍ତି ଠୁଳ ମାମଲାରେ ତାଙ୍କ ଅଫିସ ସମେତ ୭ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ପରେ ଆଖି ଖୋସିଲା ଭଳି ସଂପତ୍ତି ଠାବ କରିଛି ।  

ଭିଜିଲାନ୍ସ ଟିମ ଯାଞ୍ଚ ସମୟରେ ଭୁବନେଶ୍ୱରରେ ଗୋଟିଏ ଦୁଇ ମହଲା କୋଠା ସହ ଗୋଟିଏ ଫ୍ଲାଟ, ଅର୍ଦ୍ଧ ନିର୍ମିତ ଦୁଇଟି ଫ୍ଲାଟ, ଭୁବନେଶ୍ୱର ଓ ପୁରୀରେ ୯ଟି ଦାମୀକିଆ ପ୍ଲଟ,୧୫୯ ଗ୍ରାମ ସୁନା ଗହଣା,ବିଭିନ୍ନ ବ୍ୟାଙ୍କରେ ୬୧ ଲକ୍ଷ ଟଙ୍କାର ଜମା,ନଗଦ ୪ ଲକ୍ଷ ୫୧ ହଜାର ଟଙ୍କା, ଗୋଟିଏ ଦାମୀ କାର ସହ ଆହୁରି ଅନେକ ସଂପତ୍ତି ଠାବ କରିବା ପରେ ସଂପୂର୍ଣ୍ଣ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି।

ସୂଚନା ଥାଉକି, ଆଇ.ଟି.ଡି.ଏର ପ୍ରକଳ୍ପ ପ୍ରଶାସକ ବିଶ୍ୱଦର୍ଶୀ ସାହୁ । ବାବୁଙ୍କ ଆଖି ତରଟା ସମ୍ପତି ଦେଖି ଭିଜିଲାନ୍ସ ବି ତାଜୁବ । ବାବୁଙ୍କର ଉଭା ଯେତିକି ପୋତା ସେତିକି । ଖାଲି ଆଖିକୁ ସାଦା ସିଧା ଦେଖାଯାଉଥିବା ଏହି ସରକାରୀ ବାବୁ ଜଣେ କୋଟିପତି । ନୀରିହ ଆଦିବାସୀଙ୍କ ବିକାଶ ବା ଉନ୍ନୟନ ମୁଳକ କାମ ପାଇଁ ଆସିଥିବା ଟଙ୍କା ବାଟମାରଣା ଅଭିଯୋଗ ଆସିଥିଲା । 

ବିନା ଟଙ୍କାରେ ଫାଇଲ ଘୁଞ୍ଚାଉ ନଥିବା ଏହି କୋଟିପତି ଅଫିସରଙ୍କ ବିରୋଧରେ ମାଳ ମାଳ ପିଟିସନ୍ ଭିଜିଲାନ୍ସରେ ପଡି ଆସୁଥିଲା । ଲାଞ୍ଚ ନେଲା ବେଳେ, ଭିଜିଲାନ୍ସକୁ ଚକମା ଦେଇ ଛୁ ମାରୁଥିଲେ । ଆଉ ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଛାପା ମାରିବା ପରେ, ସାମନାକୁ ଆସିଛି ଏହି ଅମାପ ସମ୍ପତିର ଲମ୍ୱା ତାଲିକା । ଏମିତିକି ସମ୍ପର୍କୀୟଙ୍କ ନାମରେ କିଛି କାରବାର କରିଥିବାର ଗନ୍ଧ ଭିଜିଲାନ୍ସ ପାଇଛି। ସେମାନଙ୍କୁ ଖୁବଶୀଘ୍ର ସମ୍ପର୍କୀୟଙ୍କୁ ଭିଜିଲାନ୍ସ ଅଫିସକୁ ଘୋଷାଡିବ ବୋଲି ଚର୍ଚା ଜୋର ଧରିଛି। 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.