ନୂଆଦିଲ୍ଲୀ: ତେଲଙ୍ଗାନା ବିଜେପିକୁ ବଡ଼ ଝଟକା ଲାଗିଛି । ରାଜ୍ୟର ଫାୟାରବ୍ରାଣ୍ଡ ନେତା ଗୋସାମହଲ ଆସନରୁ ବିଧାୟକ ଟି ରାଜା ସିଂହ ଓରଫ୍ ଟାଇଗର୍ ରାଜା ପାର୍ଟିରୁ ଇସ୍ତଫା ଦେଇଛନ୍ତି । ନିଜର ବିବାଦୀୟ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ରାଜା ସିଂହ ରାଜ୍ୟରେ ନେତୃତ୍ୱ ବିବାଦ ଭିତରେ ବିଜେପି ଛାଡ଼ିବା ପାଇଁ ଘୋଷଣା କରିଛନ୍ତି । ରାଜା ସିଂହ ନିଜର ଇସ୍ତଫା ପତ୍ର ସେୟାର କରି କ୍ୟାପ୍ସନରେ ଲେଖିଛନ୍ତି, ଅନେକଙ୍କ ମୌନକୁ ସହମତି ଭାବିବା ଭୁଲ । ମୁଁ କେବଳ ମୋ ପାଇଁ ନୁହେଁ, ବରଂ ଅଗଣିତ କାର୍ଯ୍ୟକର୍ତ୍ତା ଓ ମତଦାତାଙ୍କ ପାଇଁ କହୁଛି । ଯେଉଁମାନଙ୍କ ଆମ ଉପରେ ସମ୍ପର୍ଣ୍ଣ ଆସ୍ଥା ଥିଲା ଓ ଆମ ସହ ଛିଡ଼ା ହୋଇଥିଲେ କିନ୍ତୁ ଆଜି ସେମାନେ ନିରାଶ ଅନୁଭବ କରୁଛନ୍ତି । ଜୟ ଶ୍ରୀ ରାମ ।
ବିଜେପି ବିଧାୟକ ରାଜ୍ୟ ସଭାପତି ଜି କିଷନ ରେଡ୍ଡୀଙ୍କୁ ନିଜ ଇସ୍ତଫା ପଠାଇଛନ୍ତି । ତେଲଙ୍ଗାନା ବିଜେପି ନେତୃତ୍ୱକୁ ନେଇ ଜାରି ବିବାଦ ଭିତରେ ସେ ଏହି ବଡ଼ ପଦକ୍ଷେପ ନେଇଛନ୍ତି । ରିପୋର୍ଟ ଅନୁସାରେ ତେଲଙ୍ଗାନାରେ ରାମଚନ୍ଦ୍ର ରାଓଙ୍କୁ ପାର୍ଟିର ସଭାପତି କରାଯାଇପାରେ ।
ନିଜ ଇସ୍ତଫାରେ ଟି ରାଜା ଲେଖିଛନ୍ତି, ଆପଣଙ୍କ ନିଷ୍ପତ୍ତି ପାର୍ଟିର ଲକ୍ଷାଧିକ କାର୍ଯ୍ୟକର୍ତ୍ତାଙ୍କ ସହ ବିଶ୍ୱାସଘାତକ ଅଟେ । ଯେଉଁ କାର୍ଯ୍ୟକର୍ତ୍ତା ପାର୍ଟିର ଭଲ-ଖରାପ ସମୟରେ ଠିଆ ହୋଇଛନ୍ତି, ସେମାନଙ୍କ ସହ ଭୁଲ ହୋଇଛି । ସେ କହିଛନ୍ତି, ଏହି ନିଷ୍ପତ୍ତି ଆମ ପାଇଁ ନୁହେଁ ବରଂ ଲକ୍ଷ ଲକ୍ଷ କର୍ମକର୍ତ୍ତାଙ୍କ ପାଇଁ ଝଟକା ଅଟେ । ବିଜେପି ତେଲଙ୍ଗାନାରେ ନିଜର ପ୍ରଥମ ସରକାର ଗଢିବା ପାଇଁ ପ୍ରସ୍ତୁତ ଥିଲା । କିନ୍ତୁ ଏବେ ଗୋଟିଏ ଭୁଲ ନିର୍ବାଚନ ଏହି ବିଜୟର ସ୍ୱପ୍ନକୁ ଧୂଆଁଧୂଆଁ କରିଦେଇଛି ।
The silence of many should not be mistaken for agreement.
— Raja Singh (@TigerRajaSingh) June 30, 2025
I speak not just for myself, but for countless karyakartas and voters who stood with us with faith, and who today feel let down.
Jai Shri Ram 🚩 pic.twitter.com/JZVZppknl2
ଟି ରାଜା କହିଛନ୍ତି, ବିଜେପିରୁ ଇସ୍ତଫା ଦେବା ପରେ ବି ହିନ୍ଦୁତ୍ୱ ବିଚାରଧାରା ଓ ଧର୍ମ ସେବା ଜାରି ରଖିବେ । ହିନ୍ଦୁ ସମାଜ ପାଇଁ ନିଜ ସ୍ୱରକୁ ଆହୁରି ମଜଭୁତ କରିବେ । ଏବେ ହିନ୍ଦୁତ୍ୱ ପାଇଁ ସ୍ୱର ଆହୁରି ଶାଣିତ ହେବ ବୋଲି ସେ କହିଛନ୍ତି । ରାଜା କହିଛନ୍ତି, ଏହା ଅତ୍ୟନ୍ତ କଠିନ କିନ୍ତୁ ଜରୁରି ନିଷ୍ପତ୍ତି ଥିଲା । ଉଲ୍ଲେଖଯୋଗ୍ୟ ଯେ ଗୋସାମହଲ ବିଧାୟକ କିଛି ଦିନ ପୂର୍ବେ ଏକ ଭିଡିଓ ବାର୍ତ୍ତାରେ ତାଙ୍କୁ ରାଜ୍ୟର ମୁଖ୍ୟ କରିବା ଲାଗି ବିଜେପି ନେତୃତ୍ୱଙ୍କୁ ଅପିଲ୍ କରିଥିଲେ ।