ଭଦ୍ରକ: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପରେ ମୁଖ୍ୟମନ୍ତ୍ରୀଙ୍କୁ ବିଜେଡିର ଶାଣିତ ପ୍ରଶ୍ନ। ବିଜେଡିର ବରିଷ୍ଠ ନେତାଙ୍କ ସହ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଓ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକ ସାମ୍ବାଦିକ ସମ୍ମିଳନୀରେ ବିଜେପି ସରକାରକୁ ପ୍ରଶ୍ନ କରିବା ସହ ବିଜେଡି ବିଧାୟକଙ୍କୁ ଅଣଦେଖା କରାଯିବା ଅଭିଯୋଗ ଆଣିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ କହିଛନ୍ତି ଯେ, ସରକାରୀ କାର୍ଯ୍ୟକ୍ରମକୁ ଜିଲ୍ଲାର କୌଣସି ବିଜେଡି ବିଧାୟକଙ୍କୁ ଡକା ଗଲା ନାହିଁ ।
ସେ କହିଛନ୍ତି, ଫଳକରେ ନାମ ମଧ୍ୟ ରହିଲା ନାହିଁ । ଆମକୁ ନ ଡକାଇବା ପାଇଁ ବ୍ୟାପକ ଷଡ଼ଯନ୍ତ୍ର ହୋଇଛି। ଅତିଥି ଭାବେ ନ ଡାକି ସଭାରେ ଅଂଶଗ୍ରହଣ ପାଇଁ ଗତକାଲି ପ୍ରଶାସନ ତରଫରୁ ଚିଠି ହୋଇଛି। ଘୋଷଣା ହୋଇଥିବା ୨୭୪ କୋଟି ଟଙ୍କାରୁ ୨୬୦ କୋଟିର ପ୍ରକଳ୍ପ ଗୁଡ଼ିକ ନବୀନ ସରକାରରେ ହୋଇଥିଲା। ନୂଆ ମେଡିକାଲ, ରୋଡ ଓ ଇଣ୍ଡୋର୍ ଷ୍ଟାଡିୟମକୁ ନବୀନ ବାବୁ କରିଥିଲେ । ନିର୍ବାଚନ ପୂର୍ବରୁ କାର୍ଯ୍ୟ ସରିଥିଲା। କିନ୍ତୁ ନୂଆ ସରକାର ଆସିବା ପରେ ଉଦଘାଟନ କରି ନଥିଲେ । ଏମିତି କି ନୂଆ ମେଡିକାଲ କାର୍ଯ୍ୟକ୍ଷମ ନ ହେବାରୁ ଲିଫ୍ଟ ଫସି ଜଣେ ରୋଗୀଙ୍କର ମୃତ୍ୟୁ ହୋଇଥିଲା ।
ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜିଲ୍ଲା ପାଇଁ କିଛି ନୂଆ ପ୍ରକଳ୍ପ ଘୋଷଣା କରି ନାହାଁନ୍ତି , କେବଳ ପୁରୁଣା ପ୍ରକଳ୍ପକୁ ଉଦଘାଟନ କରି ଭଦ୍ରକ ଜିଲ୍ଲାବାସୀଙ୍କୁ ଦିନରେ ଲଣ୍ଠନ ଦେଖାଇଥିବା କହିଛନ୍ତି ବିଜେଡି ନେତା । ତେବେ ସରକାରୀ କାର୍ଯ୍ୟକ୍ରମ ରେ କେଉଁ ପ୍ରୋଟୋକଲ ରେ ବିଜେପି ସଭାପତି ମନମୋହନ ସାମଲଙ୍କୁ ମଞ୍ଚରେ ବସିବା ପାଇଁ ସୁଯୋଗ ଦିଆଗଲା ସେ ପ୍ରଶ୍ନର ଉତ୍ତର ମୁଖ୍ୟମନ୍ତ୍ରୀ ଦିଅନ୍ତୁ ବୋଲି କହିଛନ୍ତି।