କାମାରେଡ୍ଡୀ ୩।୧୨: ତେଲେଙ୍ଗାନା ବିଧାନସଭା ନିର୍ବାଚନ ଫଳାଫଳ ପାଖାପାଖି ସ୍ପଷ୍ଟ ହୋଇଗଲାଣି। କେ.ଚନ୍ଦ୍ରଶେଖର ରାଓ (କେ.ସି.ଆର)ଙ୍କ ପାର୍ଟି ଭାରତ ରାଜ୍ୟ ସମିତି (ବିଆରଏସ୍) ନିର୍ବାଚନରେ ପରାଜିତ ହୋଇଛି। ରାଜ୍ୟରେ କଂଗ୍ରେସ ସରକାର ଗଢିବା ଏକ ପ୍ରକାର ସ୍ପଷ୍ଟ ହୋଇସାରିଲାଣି। ତେବେ ରାଜ୍ୟର କାମାରେଡ୍ଡୀ ଆସନରେ ଅପ୍ରତ୍ୟାସିତ ଫଳାଫଳ ଆସିଛି। ଏହି ଆସନରୁ ମୁଖ୍ୟମନ୍ତ୍ରୀ କେ.ସି.ଆର ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କ ସହ ପ୍ରତିଦ୍ୱନ୍ଦ୍ୱୀତା କରୁଥିଲେ ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ରେବନ୍ତ ରେଡ୍ଡୀ। ତେବେ ଏହି ଆସନରେ ବିଜେପି ପ୍ରାର୍ଥୀ କେ.ଭି.ରମଣ ରେଡ୍ଡୀ ବିଜୟୀ ହୋଇଛନ୍ତି।
ଏହି ଆସନରେ କିଏ ବାଜିମାତ କରିବ ସେ ନେଇ ଶନିବାର ରାତି ପର୍ଯ୍ୟନ୍ତ ଲୋକେ ସଟ୍ଟା ଲଗାଉଥିଲେ। ପ୍ରାୟ ଲୋକେ କେ.ସି.ଆରଙ୍କ ପାଇଁ ସଟ୍ଟାରେ ପଇସା ଲଗାଇଥିବା ବେଳେ ଅନେକ କଂଗ୍ରେସ ପ୍ରାର୍ଥୀ ରେବନ୍ତ ରେଡ୍ଡୀଙ୍କ ଉପରେ ବାଜି ଲଗାଇଥିଲେ। ହେଲେ ସମସ୍ତ ଆକଳନକୁ ଭୁଲ ପ୍ରମାଣିତ କରି ଏଠାରେ ବିଜେପି ପ୍ରାର୍ଥୀ କେ.ଭି.ରମଣ ରେଡ୍ଡୀ ବିଜୟୀ ହୋଇ ସମସ୍ତଙ୍କୁ ଚକିତ କରି ଦେଇଛନ୍ତି। ଏଠାରେ କେ.ସି.ଆର ଓ ରେବନ୍ତ ରେଡ୍ଡୀ ଉଭୟ ପରାସ୍ତ ହୋଇଛନ୍ତି। ଯାହା ରାଜ୍ୟ ରାଜନୀତି ଲାଗି ଏକ ଝଟକା ସାବ୍ୟସ୍ତ ହୋଇଛି।
{"id":878177,"width":839,"height":552,"sizeSlug":"full","linkDestination":"none"}ରାଜ୍ୟ ବିଧାନସଭା ନିର୍ବାଚନରେ ପ୍ରଥମ ଥର ବିଜେପି ୨ ଅଙ୍କକୁ ଛୁଇଁଛି। ଏପରି ସ୍ଥଳେ କେ.ଭି.ରମଣ ରେଡ୍ଡୀଙ୍କ ବିଜୟକୁ ବିଜେପିର ଏକ ବଡ଼ ଉପଲବ୍ଧି ମନେ କରାଯାଉଛି। ତେଲେଙ୍ଗାନାର କାମାରେଡ୍ଡୀ ବିଧାନସଭା ଆସନ କଥା କହିବାକୁ ଗଲେ ଏହା ରାଜ୍ୟର ଏକ ଭିଆଇପି ଆସନ। ଏହି ସିଟ୍ରୁ କେ.ସି.ଆର ଓ କଂଗ୍ରେସର ରେବନ୍ତ ରେଡ୍ଡୀ ପ୍ରତିଦ୍ୱନ୍ଦ୍ୱୀତା କରୁଥିବା ବେଳେ ବିଜେପି କେ.ଭି.ରମଣ ରେଡ୍ଡୀଙ୍କୁ ପ୍ରାର୍ଥୀ କରିଥିଲା। ତେବେ ଦୁଇ ବଡ଼ ଚେହେରା କେ.ସି.ଆର ଓ ରେବନ୍ତ ରେଡ୍ଡୀଙ୍କୁ ଏଠାରେ ପରାଜୟର ମୁହଁ ଦେଖିବାକୁ ମିଳିଛି।
ଗୋଟିଏପଟେ ରାଜ୍ୟରେ କଂଗ୍ରେସର ଲହର ବିଆରଏସ୍ର ସତ୍ତା ଉଡେଇ ଦେଇଥିବା ବେଳେ କାମା ରେଡ୍ଡୀ ଆସନରେ ବିଜେପିର ବାଜିମାତ୍ ସମସ୍ତଙ୍କୁ ଚକିତ କରିଦେଇଛି। କଂଗ୍ରେସର ବିଜୟ ପାଗ ରେବନ୍ତ ରେଡ୍ଡୀଙ୍କୁ ପିନ୍ଧାଯାଇ ପାରେ। ଯଦିଓ ରେବନ୍ତ କାମାରେଡ୍ଡୀରେ ନିର୍ବାଚନ ହାରିଛନ୍ତି ସେ କୋଡଙ୍ଗଲ ଆସନରୁ ବିଜୟୀ ହୋଇଛନ୍ତି। ତାଙ୍କୁ ଏଠାରେ ମୋଟ ୧ଲକ୍ଷ ୭ ହଜାର ୪ଶହ ୨୯ଟି ଭୋଟ ମିଳିଛି। ଏଠାରେ ରେବନ୍ତ ବିଆରଏସର ପି.ନରେନ୍ଦ୍ର ରେଡ୍ଡୀଙ୍କୁ ପରାସ୍ତ କରିଛନ୍ତି। ନରେନ୍ଦ୍ର ରେଡ୍ଡୀଙ୍କୁ ୭୪ ହଜାର ୮୯୭ଟି ଭୋଟ ମିଳିଛି। କମାରେଡ୍ଡୀ ବିଧାନସଭା ଆସନ ନିଜାମାବାଦ ଜିଲ୍ଲାରେ ରହିଛି।