ୱାକଫ ଆଇନକୁ ନେଇ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କଲେ କେନ୍ଦ୍ର ସରକାର, ଜାଣନ୍ତୁ ଧର୍ମକୁ ନେଇ କହିଛନ୍ତି କ’ଣ?

Published By : Prameya-News7 Bureau | April 25, 2025 IST

ନୂଆଦିଲ୍ଲୀ ୨୫।୪: କେନ୍ଦ୍ର ସରକାର ୱାକଫ ସଂଶୋଧନ ଆଇନ ଉପରେ ଶୁକ୍ରବାର ଜବାବୀ ସତ୍ୟପାଠ ଦାଖଲ କରିଛନ୍ତି। ସୁପ୍ରିମକୋର୍ଟରେ ଦାଖଲ ଜବାବରେ ସରକାର ଆଇନକୁ ଉଚିତ ବୋଲି କହି ଗତ ୧୦୦ ବର୍ଷରୁ ଅଧିକ ସମୟ ହେଲା ୱାକଫ ବାଇ ୟୁଜରକୁ ମୌଖିକ ନୁହେଁ  କେବଳ ପଞ୍ଜିକରଣ ଆଧାରରେ ମାନ୍ୟତା ଦିଆଯାଉଥିବା କହିଛନ୍ତି। ସତ୍ୟପାଠରେ କେନ୍ଦ୍ର ସରକାର ୱାକଫ ମୁସଲମାନଙ୍କ ଧାର୍ମିକ ସଂସ୍ଥା ନୁହେଁ ବରଂ ବୈଧାନିକ ଅନୁଷ୍ଠାନ ବୋଲି କହିଛନ୍ତି। 

ୱାକଫ ସଂଶୋଧନ ଆଇନ ଅନୁସାରେ ଅଭିଭାବକଙ୍କ କାମ ଧର୍ମ ନିରପେକ୍ଷ ହୋଇଥାଏ ଏହି ଆଇନ ନିର୍ବାଚିତ ଜନପ୍ରତିନିଧିଙ୍କ ଭାବନାକୁ ଦର୍ଶାଉଛି। ସେହିମାନେ ହିଁ ଆଇନକୁ ବହୁମତରେ ଗୃହୀତ କରାଇଛନ୍ତି। କେନ୍ଦ୍ର ସରକାର କୋର୍ଟରେ ୱାକଫକୁ ନେଇ ଯେଉଁ ସତ୍ୟପାଠ ଦାଖଲ କରିଛନ୍ତି ସେଥିରେ କୁହାଯାଇଛି ଯେ ସଂସଦ ଦ୍ୱାରା ଗୃହୀତ ଆଇନକୁ ସମ୍ବିଧାନିକ ରୂପେ ବୈଧ ବୋଲି କୁହାଯାଏ। ବିଶେଷ କରି ସଂଯୁକ୍ତ ସଂସଦୀୟ କମିଟି (ଜେପିସି)ଙ୍କ ସୁପାରିସ ଓ ସଂସଦରେ ବ୍ୟାପକ ତର୍କ ପରେ ବିଧେୟକ ଆଇନରେ ପରିଣତ ହୋଇଛି। 

କେନ୍ଦ୍ର ସରକାର କୋର୍ଟଙ୍କୁ ଅନୁରୋଧ କରିଛନ୍ତି ଯେ ଏବେ ଆଇନର କୌଣସି ପ୍ରାବଧାନ ଉପରେ ଅନ୍ତରୀଣ ରୋକ ଲଗା ନଯାଉ। ଏହି ସଂଶୋଧିତ ଆଇନ ଦ୍ୱାରା କୌଣସି ବ୍ୟକ୍ତିଙ୍କ ୱାକଫ କରିବାରେ ଧାର୍ମିକ ଅଧିକାରରେ କୌଣସି ହସ୍ତକ୍ଷେପ ହେଉ ନାହିଁ। କେବଳ ପ୍ରବନ୍ଧନ ଓ ପାରଦର୍ଶିତା ସୁନିଶ୍ଚିତ କରିବା ପାଇଁ ଏହି ଆଇନରେ ପରିବର୍ତ୍ତନ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ଏହି ବିଧେୟକକୁ ଗୃହୀତ କରିବା ପୂର୍ବରୁ ଜେପିସିର ୩୬ଟି ବୈଠକ ହୋଇଥିଲା ଓ ୯୭ଲକ୍ଷରୁ ଅଧିକ ହିତାଧିକାରୀ ଏଥି ପାଇଁ ପରାମର୍ଶ ଓ ଜ୍ଞାପନ ଦେଇଥିଲେ। ଏହାଛଡା ଜେପିସି ଦେଶର ୧୦ଟି ବଡ଼ ସହରାଞ୍ଚଳକୁ ଗସ୍ତ କରି ଆଇନକୁ ନେଇ ଜନତାଙ୍କ ରାୟ ମଧ୍ୟ ଲୋଡିଥିଲେ।       

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.