ଭଦ୍ରକ ୧୯।୬: ରାଜ୍ୟରେ ଅଣାୟତ୍ତ ଡାଇରିଆ ସ୍ଥିତି । ଡାଇରିଆ ପ୍ରବଣ ୩ ଜିଲ୍ଲା ଉପରେ ଦିଆଯାଉଛି ଅଧିକ ଫୋକସ୍ । ଭଦ୍ରକ ଜିଲ୍ଲା ମଧ୍ୟ ଫୋକସ୍ରେ ରହିଛି । ଭଦ୍ରକ ଜିଲ୍ଲାରେ ଝାଡାବାନ୍ତି ସ୍ଥିତି ପରଖିଛନ୍ତି କେନ୍ଦ୍ରୀୟ ଓ ରାଜ୍ୟର ୩ ଜଣିଆ ସ୍ଵତନ୍ତ୍ର ସ୍ବାସ୍ଥ୍ୟ ଟିମ୍ । ଏହି ଟିମ୍ରେ ଦୁଇ ଜଣ କେନ୍ଦ୍ରର ଓ ଜଣେ ରାଜ୍ୟର ସଦସ୍ୟ ସାମିଲ ହୋଇଛନ୍ତି । ପ୍ରଥମେ ଏହି ଟିମ୍ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଓ ଡାକ୍ତରଙ୍କ ସହ ସମୀକ୍ଷା କରିଛନ୍ତି । ପରେ ୱାର୍ଡକୁ ଯାଇ ଝାଡାବାନ୍ତି ଆକ୍ରାନ୍ତଙ୍କ ସହ ଆଲୋଚନା କରିଛନ୍ତି ।
ଝାଡ଼ାବାନ୍ତି ଦ୍ଵାରା ପ୍ରଭାବିତ ହୋଇଥିବା ଷୋଳମପୁର ପଞ୍ଚାୟତ, ତିଖିଲିଆ, ଦାଣ୍ଡକୁଳ ଗ୍ରାମକୁ ଯାଇଥିଲେ । ସ୍ଥାନୀୟ ଅଞ୍ଚଳବାସୀଙ୍କ ସହ ଏବେ ସ୍ଥିତିକୁ ନେଇ ଆଲୋଚନା କରିଥିଲେ । ପରେ ସ୍ଥାନୀୟ ସ୍ବାସ୍ଥ୍ୟକର୍ମୀ, ଆଶା କର୍ମୀ, ଅଙ୍ଗନବାଡ଼ି କର୍ମୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ । ତେବେ ଆକ୍ରାନ୍ତ ଓ ଅନ୍ୟ ମାନଙ୍କୁ ସଫା ସୁତୁରା ରହିବା ସହ ବିଭିନ୍ନ ସ୍ବାସ୍ଥ୍ୟ ଟିପ୍ସ ଦେଉଛନ୍ତି । ବିଭିନ୍ନ ସ୍ଥାନରୁ ଜଳର ସାମ୍ପଲ ଟେଷ୍ଟ ସହ ନମୁନା ସଂଗ୍ରହ କରି ନେଇଛନ୍ତି ।
ସେପଟେ ଗ୍ରାଉଣ୍ଡ ଜିରୋକୁ ଯାଇ ହଇଜା ସ୍ଥିତି ପରଖିବା ପରେ ପାଣିରୁ ଡାଇରିଆ ବ୍ୟାପୁଥିବା କାରଣ ପାଇଥିଲା କେନ୍ଦ୍ରୀୟ ଟିମ୍ । ବୁଧବାର ସ୍ବାସ୍ଥ୍ୟ ବିଭାଗ ସହ ଆଲୋଚନା ବେଳେ ପାନୀୟ ଜଳ ହିଁ ଡାଇରିଆର ପ୍ରମୁଖ କାରଣ ବୋଲି କହିବା ସହ ନିରାକଣ ପାଇଁ ୫ଟି ଗୁରୁତ୍ବପୂର୍ଣ୍ଣ ପରାମର୍ଶ ଦେଇଥିଲେ କେନ୍ଦ୍ରୀୟ ଟିମ୍ । ଯାଜପୁରରେ ଆଉ ୧୬ କଲେରା ପଜିଟିଭ୍ ଚିହ୍ନଟ ହୋଇଥିଲେ । ୩୭ଟି ନମୂନା ପରୀକ୍ଷାରୁ ୧୬ କଲେରା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଯାଜପୁର, ଭଦ୍ରକ ଓ କେନ୍ଦୁଝରରେ ଡାଇରିଆ ସ୍ଥିତି ସଙ୍ଗୀନ ଅଛି ତେଣୁ ଏହି ଜିଲ୍ଲା ଗୁଡ଼ିକରେ ଅଧିକ ଫୋକସ୍ କରିବା ପାଇଁ ପରାମର୍ଶ ଦେଇଥିଲେ କେନ୍ଦ୍ରୀୟ ଟିମ୍ ।
କେନ୍ଦ୍ରୀୟ ଟିମ୍ ସଂଗ୍ରହ କରିଥିବା ରିପୋର୍ଟ ଆଧାରରେ ସ୍ବାସ୍ଥ୍ୟ ବିଭାଗ ଟିମ୍ ସହ ଆଲୋଚନା କରିଥିଲେ । ଏହି ବୈଠକରେ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ସ୍ବାସ୍ଥ୍ୟ ବିଭାଗ ପରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଏବଂ ନଗର ଉନ୍ନୟନ ବିଭାଗ ସହ ପୃଥକ ପୃଥକ ବୈଠକ କରିଥିଲେ କେନ୍ଦ୍ରୀୟ ଟିମ୍ । ଏଥି ସହ ଡାଇରିଆ ନିରାକଣ ପାଇଁ କେନ୍ଦ୍ରୀୟ ଟିମ୍ ୫ଟି ଗୁରୁତ୍ବପୂର୍ଣ୍ଣ ପରାମର୍ଶ ଦେଇଥିଲେ ।
You Can Read:
ଧର୍ମଶାଳା ମେଡିକାଲରେ ଡାଇରିଆ ସ୍ଥିତି ପରଖିଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଓ ସ୍ବାସ୍ଥ୍ୟ ନିର୍ଦ୍ଦେଶକ