କିଏ ହେବେ ଉପରାଷ୍ଟ୍ରପତି ପ୍ରାର୍ଥୀ ? ପିଏମ୍ ମୋଦୀ ଓ ଜେପି ନଡ୍ଡାଙ୍କୁ ଚୟନ ଅଧିକାର ଦେଲା ଏନଡିଏ

Published By : Prameya-News7 Bureau | August 07, 2025 IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ଚୟନ ପାଇଁ ସହଯୋଗୀ ଦଳ ଅଧିକାର ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ଗୁରୁବାର ଏହି ସୂଚନା ଦେଇଛନ୍ତି । ସଂସଦୀୟ କାର୍ଯ୍ୟ ମନ୍ତ୍ରୀ କହିଛନ୍ତି ଯେ ସର୍ବସମ୍ମତିରେ ଏହି ନିଷ୍ପତ୍ତି ନିଆଯାଇଛି ।

ଏହା ପୂର୍ବରୁ ସଂସଦ ପରିସରରେ ବିଜେପିର ପ୍ରମୁଖ ନେତା ଓ ଏହାର ସହଯୋଗୀଙ୍କ ମଧ୍ୟରେ ଏକ ବୈଠକ ହୋଇଥିଲା । ବୈଠକରେ ଏହା ଉପରେ ନିଷ୍ପତ୍ତି ନିଆଯାଇଛି । ଏନଡିଏର ଏହି ବୈଠକରେ ନଡ୍ଡାଙ୍କ ସହ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ଓ ଅମିତ୍ ଶାହ, ଜେଡିୟୁର ଲଲନ ସିଂହ, ଶିବସେନାରୁ ଶ୍ରୀକାନ୍ତ ସିନ୍ଦେ, ଟିଡିପିରୁ ଲବୁ ଶ୍ରୀକୃଷ୍ଣ ଦେବରାୟଲୁ ଓ ଏଲଜେପି (ରାମବିଳାସ)ର ଚିରାଗ ପସାୱନ ଉପସ୍ଥିତ ରହିଥିଲେ । ରାଜନାଥ ସିଂହ ବୈଠକରେ ଅଧ୍ୟକ୍ଷତା କରିଥିଲେ । 

ଉପରାଷ୍ଟ୍ରପତି ପଦ ପାଇଁ ଦୁଇ ଜଣଙ୍କ ନାମ ଉପରେ ପ୍ରାରମ୍ଭିକ ଆଲୋଚନା ହୋଇଛି । ଗୋଟିଏ ନାଁ ହେଉଛି ଗୁଜରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଏବଂ ଅନ୍ୟ ଜଣେ ହେଉଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗୱାର । ଦେବବ୍ରତ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିବା ଜଗଦୀପ ଧନଖଡ଼ଙ୍କ ସମ୍ପ୍ରଦାୟରୁ ଆସନ୍ତି, ଅନ୍ୟପଟେ ବରେଲିରୁ ବହୁଥର ସାଂସଦ ଥିବା ଗଙ୍ଗୱାର କୁର୍ମି ସମ୍ପ୍ରଦାୟର । ଗତ ଲୋକସଭା ନିର୍ବାଚନରେ ଗଙ୍ଗୱାରଙ୍କୁ ଟିକେଟ୍ ମିଳିନଥିଲା ।

ଭାରତୀୟ ନିର୍ବାଚନ ଆୟୋଗଙ୍କ ବିଜ୍ଞପ୍ତି ଅନୁସାରେ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଅଗଷ୍ଟ ୨୧ ସୁଦ୍ଧା ନାମାଙ୍କନ ଦାଖଲ କରାଯିବ । ସେପ୍ଟେମ୍ୱର ୯ରେ ମତଦାନ ଓ ମତଗଣନା ହେବ । ଉଲ୍ଲେଖଯୋଗ୍ୟ ଯେ ଜୁଲାଇ ୨୧ରେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଜଗଦୀପ ଧନଖଡ଼ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.