ରାଜଧାନୀରୁ ଶିଶୁ ଚୋରି, CWCର ତଦନ୍ତ ଆରମ୍ଭ, ବିଭିନ୍ନ ସ୍ଥାନରେ ସିସିଟିଭି ଯାଞ୍ଚ

Published By : Prameya-News7 Bureau | April 14, 2025 IST

ଭୁବନେଶ୍ବର୧୪/୪: ରାଜଧାନୀରୁ ଦେଢ ବର୍ଷର ଶିଶୁ ପୁତ୍ର ଚୋରି ଘଟଣାକୁ ବିତିଲାଣି ୩୦ ଘଣ୍ଟା । ଏଯାଏ ଅପହରଣକାରୀଙ୍କ ପତ୍ତା ମିଳିନି । ସେପେଟ ଘଟଣାର ତଦନ୍ତ ଆରମ୍ଭ କରିଛି CWC ।  ଅଭିଯୁକ୍ତକୁ ଧରିବାକୁ ୩ଟି ଟିମ୍‌ ଗଠନ କରାଯାଇଛି । ଏୟାରପୋର୍ଟ,ବସଷ୍ଟାଣ୍ଡ,ରେଲୱେ ଷ୍ଟେସନ ଓ ବିଭିନ୍ନ ଛକରେ ଛାନଭିନ୍‌ କରାଯାଉଛି । ଅଭିଯୁକ୍ତର ପତ୍ତା ଲଗାଇବାକୁ ବିଭିନ୍ନ ସ୍ଥାନରେ ସିସିଟିଭି ଯାଞ୍ଚ କରୁଛି ପୋଲିସ । ସେପଟେ ପୁଅକୁ ନପାଇ ଥାନା ଆଗାରେ ବାହୁନି ବାହୁନି କାନ୍ଦୁଛି ଦୃଷ୍ଟିବାଧିତ ମାଆ । 


ରବିବାର ରାଜଧାନୀରୁ ଶିଶୁ ଚୋରିର ଆସିଥିଲା ସାଂଘାତିକ ଅଭିଯୋଗ । ଜଣେ ଦୃଷ୍ଟିବାଧିତ ମାଆର ଦେଢ ବର୍ଷର ପୁଅକୁ ଚୋରି କରି ନେଇଯାଇଥିଲେ ଦୁର୍ବୃତ୍ତ । ମହିଳା ଜଣକ ରାମ ମନ୍ଦିର ଆଗରେ ଭିକ୍ଷାବୃତ୍ତି କରି ସେଠାରେ ରହୁଥିଲେ । ତେବେ ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ କେହି ତାଙ୍କ ପୁଅକୁ ବିସ୍କୁଟ,ଜୁସ ଓ ମୋବାଇଲର ଲୋଭ ଦେଖାଇ ନେଇଯାଇଥିବାର ଅଭିଯୋଗ ଆଣି ଖାରବେଳ ନଗର ଥାନାର ଦ୍ବାରସ୍ଥ ହୋଇଥିଲେ । 

ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଥିଲା । ଏକାଧିକ ସିସିଟିଭି ଯାଞ୍ଚ କରିବା ପରେ ମହିଳାଙ୍କ ଅଭିଯୋଗର ସତ୍ୟତା ଥିବା ଜାଣିବାକୁ ପାଇଥିଲା ପୋଲିସ । ଦୁର୍ବୃତ୍ତମାନେ ଜଣେ ଦେଢ ବର୍ଷର ଶିଶୁକୁ ଏକ ଗାଡିରେ ଖାରବେଳ ନଗର ଥାନା ଅଞ୍ଚଳ ଦେଇ ଯାଉଥିବାର ଦେଖିବାକୁ ମିଳିଥିଲା । ତେବେ ଘଟଣାକୁ ୩୦ ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ପୋଲିସ ଦୁର୍ବୃତ୍ତଙ୍କ ସନ୍ଧାନ ପାଇନି । ପୁଅକୁ ନପାଇ ନିରାଶ ହୋଇପଡିଛନ୍ତି ଅଭିଯୋଗକାରିଣୀ । 

 

 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.