ଓଡ଼ିଆ ପୁଅ ଜ୍ୟୋତି ପ୍ରକାଶ ଓଝାଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | December 17, 2024 IST

କଟକ ୧୭/୧୨: ଇଣ୍ଡିଆନ ଆଇଡଲରେ ଚମକୁଛନ୍ତି କଟକର ପୁଅ ଜ୍ୟୋତି ପ୍ରକାଶ ଓଝା। ଜଣେ ଗୋ ସେବକ ଭାବରେ ସାରା ଭାରତରେ ପ୍ରଶଂସା ସାଉଁଟିଛନ୍ତି ଜ୍ୟୋତି । ଗୋ ସେବା ପାଇଁ ଆଜି ଏହି ସଫଳତା ହାସଲ କଥା କହିଛନ୍ତି ଜ୍ୟୋତି। ସେହିଭଳି ପୁଅର ଏହି ସଫଳତା ପାଇଁ ପରିବାର ଲୋକେ ବେଶ୍ ଖୁସି ଅଛନ୍ତି। ତେବେ ଓଡ଼ିଆ ପୁଅ ଜ୍ୟୋତି ପ୍ରକାଶ ଓଝାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । 

ମୁଖ୍ୟମନ୍ତ୍ରୀ ୬୯ ତମ ରାଜ୍ୟ ପୋଲିସ୍ ଡ୍ୟୁଟି ମିଟ୍‌ର କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଗୋଭକ୍ତ ପ୍ରତିଭାବାନ ଯୁବ ଗାୟକ କଟକ ବାସିନ୍ଦା ଜ୍ୟୋତି ପ୍ରକାଶ ଓଝାଙ୍କୁ କଥା ଶୁଣି ସଭାରେ ଆନନ୍ଦ ପ୍ରକଟ କରି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ବହୁ ସଂଘର୍ଷ ପରେ ଜ୍ୟୋତି ଲକ୍ଷ ଲକ୍ଷ ପ୍ରତିଯୋଗୀ ମାନଙ୍କୁ ପଛରେ ପକାଇ ବର୍ତ୍ତମାନ ପ୍ଲାଟିନମ ମାଇକ ପାଇ ଟପ୍ ୧୫ ରେ ଜାଗା ପାଇଛନ୍ତି। ତାଙ୍କ ପାଇଂ ଆମେ ଗର୍ବୀତ । 


ସୂଚନା ଥାଉକି, ନିଜର ସୁମଧୁର ଓ ଦମଦାର ସ୍ଵରରେ ଖାଲି ଜଜ୍ ମାନଙ୍କୁ ନୁହେଁ ବରଂ ସାରା ଭାରତବର୍ଷର ଦର୍ଶକ ମାନଙ୍କୁ ଆକୃଷ୍ଟ କରି ସାରିଛନ୍ତି। ସେ ସବୁବେଳେ କିମ୍ବଦନ୍ତୀ ଗାୟକ ମାନଙ୍କୁ ନିଜର ଆଦର୍ଶ ମାନିବା ସହ ଗୋ ସେବା ପାଇଁ ଆଜି ଏହି ମେଗା ପ୍ରତିଯୋଗିତାରେ ନିଜର ସ୍ଥାନ ସୁରକ୍ଷିତ କରି ସାରିଛନ୍ତି। 

ପିଲାଟି ବେଳୁ ଗୋ ମାତାଙ୍କ ସେବା କରିବାରେ ବେଶ୍ ରୁଚି ରଖନ୍ତି। ପରିବାର ଲୋକଙ୍କ ସହ ମିଶି ସବୁବେଳେ ଗୋ ସେବା କରି ଥାଆନ୍ତି ସେ। ଏମିତିକି କିଛି ମାସ ତଳେ ତାଙ୍କ ଘରେ ପାଳିତ ଗାଈ ନନ୍ଦିନୀର ମୃତ୍ୟୁ ପରେ ସେ ବେଶ୍ ମର୍ମାହତ ହୋଇଛନ୍ତି। ଏମିତିକି ଇଣ୍ଡିଆନ ଆଇଡଲ୍ ରେ ନନ୍ଦିନୀର ଆଶୀର୍ବାଦ ନେବାକୁ ମଧ୍ୟ ଭୁଲି ନାହାନ୍ତି। 

ଜ୍ୟୋତି ଆଗକୁ ଅନେକ ପର୍ଯ୍ୟାୟ ଅତିକ୍ରମ କରିବାକୁ ଥିବା ବେଳେ ଗୋ ସେବା ତାଙ୍କୁ ସର୍ବ ଭାରତୀୟ ସ୍ତରରେ ସଫଳତା ଆଣି ପାରିବ ବୋଲି ଆଶା ରଖିଛନ୍ତି। ଅନ୍ୟପଟେ ଜ୍ୟୋତିଙ୍କ ପରିବାର ଲୋକେ ମଧ୍ୟ ସବୁବେଳେ ଗୋ ସେବାରେ ମଗ୍ନ ଥାଆନ୍ତି ।ଘରେ ଓ ବାହାରେ ଗାଈ ଓ ଷଣ୍ଢ ମାନଙ୍କର ସେବା କରି ଚାଲିଛନ୍ତି । 

ପ୍ରତ୍ୟେକ ଦିନ ଭିଡିଓ କଲ କରି ପୁଅ କଥା ବୁଝିବା ସହ ଆଗକୁ ଯିବା ପାଇଁ ମନୋବଳ ବୃଦ୍ଧି କରାଇଥାନ୍ତି। ପୁଅର ଏହି ସଫଳତାରେ ନାହିଁ ନଥିବା ଖୁସି ଅଛନ୍ତି ପରିବାର ଲୋକେ। ବର୍ତ୍ତମାନ ଏକମାତ୍ର ଓଡ଼ିଆ ଭାବେ ଜ୍ୟୋତି ପ୍ରକାଶ ଇଣ୍ଡିଆନ ଆଇଡଲ୍ ରେ ଥିବା ବେଳେ ଆଗକୁ ଅଧିକ ଭଲ ପ୍ରଦର୍ଶନ କରି ତାଇଟଲ ହାସଲ କରନ୍ତୁ ଏତିକି କାମନା କରୁଅଛୁ।


 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.