ଆଇଏଏସ୍‌ ସଞ୍ଜୀବ ହଂସଙ୍କ ବିରୋଧରେ ଇଡି ଆକ୍ସନ; ୩ ସହରରେ ରେଡ୍, ୨୩ କୋଟିର ସମ୍ପତ୍ତି ଜବତ

Published By : Prameya-News7 Bureau | December 17, 2024 IST

ନୂଆଦିଲ୍ଲୀ: ବିହାର କ୍ୟାଡର ଆଇଏଏସ୍‌ ସଞ୍ଜୀବ ହଂସଙ୍କ ପାଇଁ ବଢ଼ିଲା ଅଡ଼ୁଆ । ସଞ୍ଜୀବ ହଂସ ଗିରଫ ହୋଇ ଏବେ ଜେଲ୍‌ ରହିଛନ୍ତି । ଏପଟେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କ ସମ୍ପତ୍ତି ଜବତ କରିବାରେ ଲାଗିଛି । ଇଡି ପକ୍ଷରୁ ୩ଟି ସ୍ଥାନରେ ଥିବା ତାଙ୍କ ଜମି ଓ କୋଠା ଜବତ ହୋଇଛି । ଏହାର ଆନୁମାନିକ ମୂଲ୍ୟ ୨୩ କୋଟି ୭୨ ଲକ୍ଷ ଟଙ୍କା ହେବ ।

ଆଇଏଏସ୍‌ ସଞ୍ଜୀବ ହଂସଙ୍କର ୩ଟି ପ୍ଲଟ, ଦିଲ୍ଲୀରେ ଏକ ଫ୍ଲାଟ୍, ଜୟପୁରରେ ୩ଟି ଫ୍ଲାଟ୍ ଜବତ କରିଛି ଇଡି । ସଞ୍ଜୀବ ହଂସ ନିଜେ ଏହି ସବୁ ସମ୍ପତ୍ତି ମାଲିକ ନୁହନ୍ତି । ହେଲେ ସେ ନିଜ ସମ୍ପର୍କୀୟ ତଥା ଷ୍ଟାଫଙ୍କ ନାଁରେ  ପଞ୍ଜୀକରଣ କରାଇଥିଲେ । ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ତଦନ୍ତ କରି ଗତ ୩ ତାରିଖରେ ଇଡି ପକ୍ଷରୁ ଦିଲ୍ଲୀ, ଗୁରଗ୍ରାମ, କୋଲକତା, ଜୟପୁର, ନାଗପୁରରେ ଚଢ଼ାଉ କରାଯାଇଥିଲା। ଗତ ୬ ତାରିଖରେ ଇଡି ସଞ୍ଜୀବଙ୍କ ପତ୍ନୀ ମୋନା ହଂସ ଓ ତାଙ୍କ ଶଳକଙ୍କୁ ପଚରାଉଚରା କରିଥିଲା । ପରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ସମ୍ପତ୍ତି ଜବତ କରିଛି ।

ଇଡି ସଞ୍ଜୀବ ହଂସଙ୍କ ପରିବାର ସଦସ୍ୟଙ୍କ ନାମରେ ଥିବା ବିପୁଳ ସମ୍ପତ୍ତିକୁ ଚିହ୍ନଟ କରିଛି  । ସଞ୍ଜୀୟ ହଂସଙ୍କ ପରିବାର ସଦସ୍ୟଙ୍କ ନାଁରେ ଥିବା ୬୦ କୋଟି ଟଙ୍କାର ସେୟାର ସହ ୭୦ଟି ବ୍ୟାଙ୍କ ଆକାଉଣ୍ଟରେ ଥିବା ୬ କୋଟି ଟଙ୍କା ଜବତ କରିଛି । ଏହି ମାମଲାରେ ଏଯାବତ ୮୦ ଲକ୍ଷ ଟଙ୍କାର ଅଳଙ୍କାର ସିଜ୍ ହୋଇ ସାରିଥିବା ବେଳେ ସଞ୍ଜୀବଙ୍କ ଦିଲ୍ଲୀ ଓ ପାଟଣାସ୍ଥିତ ଘରୁ ୬୫ ଲକ୍ଷ ଟଙ୍କାର କ୍ୟାସ୍‌ ଜବତ ହୋଇଛି । ଏଥିସହ ୧୧ ଲକ୍ଷ ମୂଲ୍ୟର ୧୩ କେଜି ଓଜନ ରୂପା ବିସ୍କୁଟ, ୧କୋଟି ୨୫ ଲକ୍ଷ ଟଙ୍କା ମୂଲ୍ୟର ସୁନା ବିସ୍କୁଟ ଜବତ ହୋଇଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.