ପୋରବନ୍ଦର ୫।୧: ଗୁଜରାଟ ପୋରବନ୍ଦର ବାହ୍ୟ ଅଞ୍ଚଳରେ ଥିବା ବିମାନ ବନ୍ଦରରେ ରବିବାର ଭାରତୀୟ ତଟରକ୍ଷକ ବଳ (ଆଇସିଜି)ର ଏକ ହେଲିକପ୍ଟର ଦୁର୍ଘଟଣାର ଶିକାର ହୋଇ ଜଳି ଯାଇଛି। ଫଳରେ ଏଥିରେ ଥିବା ଚାଳକ ଦଳର ୩ ସଦସ୍ୟ ପ୍ରାଣ ହରାଇଛନ୍ତି। ପୋରବନ୍ଦର ପୋଲିସ ଅଧିକ୍ଷକ ଭାଗିରଥ ସିଂହ ଜଡେଜା ଏହି ସୂଚନା ଦେଇଛନ୍ତି। ଜଡେଜା କହିଛନ୍ତି ଯେ ମଧ୍ୟାହ୍ନ ପ୍ରାୟ ୧୨ଟା ବାଜି ୧୦ ମିନିଟରେ ଆଇସିଜିର ଆଡଭାନ୍ସ ଲାଇଟ ହେଲିକପ୍ଟର (ଏଲଏଲଏଚ) ନିୟମିତ ଉଡାଣରୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି।
ଜଡେଜା କହିଛନ୍ତି ଯେ ହେଲିକପ୍ଟରଟି ବିମାନ ବନ୍ଦର ରନୱେରେ ଅବତରଣ ଉଦ୍ୟମ କରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଓ ଏଥିରେ ନିଆଁ ଲାଗିଯାଇଥିଲା। ପରେ ଦମକଳ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ ସେତେବେଳେକୁ ହେଲିକପ୍ଟରରେ ଥିବା ପାଇଲଟ ସମେତ ଚାଳକ ଦଳର ୩ ସଦସ୍ୟ ଗୁରୁତର ଭାବେ ପୋଡି ହୋଇଯାଇଥିଲେ। ସେମାନଙ୍କୁ ଉଦ୍ଧାର କରି ପୋରବନ୍ଦର ହସ୍ପିଟାଲକୁ ପଠାଯାଇଥିଲା।
କମଲାବାଗ ପୋଲିସ ଥାନା ଇନିସପେକ୍ଟର ରାଜେଶ କନମିଆ କହିଛନ୍ତି ଯେ ଗୁରୁତର ଆହତ ଚାଳକ ଦଳ ସଦସ୍ୟଙ୍କ ମଧ୍ୟରୁ ୨ ଜଣଙ୍କୁ ମୃତ ଘୋଷଣା କରିଦିଆଯାଇଥିଲା। ତେବେ ବଞ୍ଚିଥିବା ଜଣକ ହସ୍ପିଟାଲ ପହଞ୍ଚିବା ପରେ ଆଖିବୁଜି ଦେଇଥିଲେ। ତେବେ ମୃତ ୩ ଜଣଙ୍କର ଏପର୍ଯ୍ୟନ୍ତ ଚିହ୍ନଟ ହୋଇ ନଥିବା ଇନିସପେକ୍ଟର କନମିଆ କହିଛନ୍ତି।