କଳା ରଙ୍ଗ ପାଇଁ ଲୋକହସା ହେଉଥିଲେ ବିପାଶା, ଆଜି ସେ ବଲିଉଡ୍‌ ପାଇଁ ବ୍ୟୁଟି କ୍ଵିନ୍‌...

Published By : Prameya-News7 Bureau | January 07, 2025 IST

ମୁମ୍ଵାଇ ୦୭।୦୧; ବଲିଉଡର ବ୍ଲାକ୍ ବିୟୁଟି ଅଭିନେତ୍ରୀ ବିପାଶା ବସୁ। ଆଜି ତାଙ୍କର ଜନ୍ମଦିନ। ବିପାଶା ୭ ଜାନୁୟାରୀ ୧୯୭୯ରେ ନୂଆଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ବିପାଶା ହୁଏତ ଅନେକ ବର୍ଷ ଧରି ଚଳଚ୍ଚିତ୍ରରେ କାମ କରି ନାହାନ୍ତି, କିନ୍ତୁ ଜୀବନଶୈଳୀ ଦୃଷ୍ଟିରୁ ସେ କାହାଠାରୁ କମ୍‌ରେ ନାହାନ୍ତି। ସେ ମାତ୍ର ୧୭ ବର୍ଷ ବୟସରେ ନିଜର ମଡେଲିଂ କ୍ୟାରିୟର ଆରମ୍ଭ କରିଥିଲେ। ବିପାଶା ବଲିଉଡର ଜଣେ ପ୍ରମୁଖ ଅଭିନେତ୍ରୀ ।  ଯିଏ ତାଙ୍କ ଅଭିନୟ ଆଧାରରେ ଇଣ୍ଡଷ୍ଟ୍ରିରେ ନିଜର ସ୍ଥାନ ହାସଲ କରିଥିଲେ। କିନ୍ତୁ ଏପରି ଏକ ସମୟ ଥିଲା ଯେତେବେଳେ ତାଙ୍କୁ ତାଙ୍କ ରଙ୍ଗକୁ ନେଇ ଅନେକ ଅପମାନର ସମ୍ମୁଖୀନ ହେବାକୁ ପଡିଲା । 

ଦୁଇ ଦଶନ୍ଧି ଧରି ଚାଲିଥିବା କ୍ୟାରିଅରରେ ବିପାଶା ଅନେକ ଫିଲ୍ମରେ କାମ କରିଛନ୍ତି । ଯେଉଁଥିରେ ତାଙ୍କ ଭୂମିକାକୁ ବହୁ ପ୍ରଶଂସା କରାଯାଇଛି। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପିଲାଦିନେ ତାଙ୍କୁ କେହି ପସନ୍ଦ କରୁ ନଥିଲେ କାରଣ ସେ ଖୁବ କଳା ଥିଲେ। ତାଙ୍କର କଳା ରଙ୍ଗ ପାଇଁ ତାଙ୍କୁ ବହୁତ ପରିହାସ କରୁଥିଲେ।

ଯେତେବେଳେ ବିପାଶା ସୁପର୍‌ମଡେଲ୍‌ ପ୍ରତିଯୋଗିତାରେ ଜିତିଥିଲେ । ସେତେବେଳେ ସେ ଏକ ପୋଷ୍ଟରେ କହିଥିଲେ। ପ୍ରତ୍ୟେକ ଖବରକାଗଜରେ ଖବର ପ୍ରକାଶ ପାଇଲା ଯେ କୋଲକାତାର ଶ୍ୟାମଳୀ ଝିଅ ବିଜେତା ହେଲେ। ମୋର ପ୍ରତିଭା କେହି ଦେଖିଲେ ନାହିଁ। ଏପରିକି ମୋ ଘରେ ମୋର ରଙ୍ଗକୁ ନେଇ ଚର୍ଚ୍ଚା ହେଉଥିଲା। ମୋର କଳା ରଙ୍ଗ ହେତୁ ମୋତେ ଅନ୍ୟ ଅଭିନେତ୍ରୀମାନଙ୍କଠାରୁ ଭିନ୍ନ ବିବେଚନା କରାଯାଉଥିଲା। ସବୁଠି ମୋତେ ପରିହାସ କରାଯାଉଥିଲା ।

୨୦୦୧ ରେ ଥ୍ରୀଲର ଫିଲ୍ମ ‘ଅଜନବୀ’ ସହିତ ବିପାଶା ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ସେ ଏହି ଫିଲ୍ମ ପାଇଁ ଫିଲ୍ମଫେୟାର ଆୱାର୍ଡ ପାଇଥିଲେ। ଏହା ପରେ ସେ ସୁପରହିଟ୍ ହରର୍ ଫିଲ 'ରାଜ୍'ରେ କାମ କରିଥିଲେ। ଏହି ଫିଲ୍ମ ତାଙ୍କ କ୍ୟାରିୟରର ମୋଡ଼ ବଦଳାଇଥିଲା। ଏହା ପରେ ବିପାଶାଙ୍କୁ ଅନେକ ଫିଲ୍ମ ଅଫର ହୋଇଥିଲା। ଆଜି ବି ବିପାଶା ହରର ଚଳଚ୍ଚିତ୍ର ପାଇଁ ପ୍ରଥମ ପସନ୍ଦ।

ବିପାଶା ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ମଧ୍ୟ ଖୁବ୍ ଚର୍ଚ୍ଚାରେ ରୁହନ୍ତି। ପୂର୍ବରୁ ତାଙ୍କର ଅଭିନେତା ଡିନୋ ମୋରିଆଙ୍କ ସହ ସମ୍ପର୍କ ଥିଲା, ପରେ ସେ ଜନ୍ ଆବ୍ରାହମ୍‌ଙ୍କ ସହ ଦୀର୍ଘ ସମୟ ଧରି ସମ୍ପର୍କ ରଖିଥିଲେ। ପ୍ରାୟ ୯ ବର୍ଷ ପରେ ସେମାନଙ୍କ ସମ୍ପର୍କ ଭାଙ୍ଗିଯାଇଥିଲା। କିଛି ବର୍ଷ ପରେ, ସେ ହରମାନ ବାୱେଜାଙ୍କୁ ଡେଟ୍‌ କରିଥିଲେ ଏବଂ ଶେଷରେ ଟିଭି ଅଭିନେତା କରଣ ସିଂହ ଗ୍ରୋଭରଙ୍କୁ ବିବାହ କରିଥିଲେ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.